ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସମସ୍ତଙ୍କ ଗୁରୁ ଦାୟିତ୍ବ

0
31

ପୋଲସରା, ୫/୧/୨୪ : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମରେ ଜାନୁଆରୀ ୫ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଭିନ୍ନକ୍ଷମଙ୍କ ଅଧିକାର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ଭିନ୍ନକ୍ଷମ ଙ୍କ ନିମନ୍ତେ ଦୀର୍ଘ୍ ଚାରି ଦଶକ ଧରି କାର୍ଯ୍ୟକାରୀ ଆସୁଥିବା ବିଶିଷ୍ଟ ସମାଜସେବୀ ଶ୍ରୀ କେ ଆନନ୍ଦ ରାଓ ଅଧ୍ୟକ୍ଷତା କରି ସରକାରୀ ଓ ବେସରକାରୀ ଯୋଜନା ମାଧ୍ୟମରେ ଭିନ୍ନକ୍ଷମ ମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ, ସେଥିପାଇଁ ତାଙ୍କ ଅନୁଷ୍ଠାନ ସବୁବେଳେ ସବୁକ୍ଷେତ୍ରରେ ଭିନ୍ନକ୍ଷମଙ୍କ ସହ ରହିବ ବୋଲି ମତବ୍ୟକ୍ତ କରିଥିଲେ। ଭିନ୍ନକ୍ଷମ ମାନଙ୍କ ଭିତରେ ଥିବା ପ୍ରତିଭା ଅନ୍ୟମାନଙ୍କ ନିକଟରେ ବିରଳ। ଆଜି ଭିନ୍ନକ୍ଷମମାନେ ପ୍ରସାଶନିକ, ନୃତ୍ୟ, କ୍ରୀଡା, ସଙ୍ଗୀତ, ବ୍ୟବସାୟ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିପାରିଛନ୍ତି। ଏଣୁ ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ନିଜେ କିପରି ସ୍ବାବଲମ୍ବୀ ଓ ରୋଜଗାରକ୍ଷମ ହୋଇ ପାରିବେ, ସେଥି ପ୍ରତି ପ୍ରଚେଷ୍ଟା କରିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ବ ବୋଲି ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିବା ସହ ” ଜନ ଜାଗରଣ ବିନା ନିଜ ଯନ୍ତ୍ରଣା, ଜନାର୍ଦ୍ଦନ ମଧ୍ୟ ଦୂର କରି ପାରିବେ ନାହିଁ” ବୋଲି ଆହ୍ବାନ ଦେଇଥିଲେ। ଲୋକ ସେବକ ମଣ୍ଡଳ ଆଜୀବନ ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ ରାଜେନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତେ ନିଶାଦ୍ରବ୍ୟ ଠାରୁ ଦୂରରେ ରହିବା ନିମନ୍ତେ ପରାମର୍ଶ ଦେବାସହ, ସଭାପତି କେ ଆନନ୍ଦ ବାବୁ ନିଜେ ଭିନ୍ନକ୍ଷମ ହୋଇ ମଧ୍ୟ ଦୀର୍ଘବର୍ଷ ଧରି ହଜାର ହଜାର ଭିନ୍ନକ୍ଷମ ଭାଇ ଭଉଣୀ ବୃନ୍ଦଙ୍କୁ ସହଯୋଗ କରୁଥିବା ଅତି ପ୍ରଶଂସନୀୟ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଆଇନଜୀବୀ ପୀତବାସ ପଣ୍ଡା ଯୋଗଦେଇ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି ସହ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ନିମନ୍ତେ ଦାବି କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ଚିତ୍ରସେନ ବେହେରା,

ଚନ୍ଦ୍ରଶେଖର ଗୌଡ଼ ଓ ଅଭିନେତା ଧିରେନ ପାଢ଼ୀ ଯୋଗଦେଇଥିଲେ। ଲୋକସେବକ ମଣ୍ଡଳ ଓ ଅନୁଷ୍ଠାନ ତରଫରୁ କମ୍ବଳ, ହୁୱିଲ ଚେୟାର, ଆଶା ବାଡି, ବଧିର କର୍ଣ୍ଣ ଯନ୍ତ୍ର ଅତିଥିମାନେ ପ୍ରଦାନ କରିଥିଲେ। ପ୍ରାୟ ତିନି ଶହରୁ ଉର୍ଦ୍ଧ୍ବ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ଶେଷରେ ଅଭାଗା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here