ପୋଲସରା, ୭/୧/୨୫ : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଉଚ୍ଚ ମାଧ୍ୟମିକ ବିଭାଗର +୨ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଜାନୁଆରୀ ୭ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ଏହି ଆଠ ଦିନର ଆତ୍ମ ସୁରକ୍ଷା ତାଲିମ ଶିବିରର ପ୍ରଥମ ଦିବସରେ କଲେଜର ବରିଷ୍ଠ ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରି ତାଲିମ ଦାତ୍ରୀ ଯେଉଁ ସବୁ କୌଶଳ ବିଷୟରେ ତାଲିମ ଦେବେ ତାହାକୁ ସମସ୍ତ ଛାତ୍ରୀ ଉତ୍ତମ ଭାବେ ଶିକ୍ଷା ଲାଭ କରିବାକୁ ପରାମର୍ଶ ଦେଇଥିଲେ। ଅତିଥି ଭାବେ ଅଧ୍ୟାପକ ଡକ୍ଟର ବିରଞ୍ଚି ନାରାୟଣ ରଥ ଓ ଲିପିନାଥ ସିଂହ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମର ଆବଶ୍ୟକତା ବିଷୟରେ ବକ୍ତବ୍ୟ ରଖିଥିଲେ। ଆତ୍ମ ସୁରକ୍ଷା ତାଲିମ ଶିବିରର ସଂଯୋଜିକା ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ କାର୍ଯ୍ୟକ୍ରମ ବିଷୟରେ ଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ମାଷ୍ଟର ଟ୍ରେନର ଭାବେ ସୁଚିତ୍ରା ବେହେରା ଯୋଗଦେଇ ଜାନୁଆରୀ ୭ ତାରିଖରୁ ଆରମ୍ଭ ହୋଇଥିବା ତାଲିମ ଶିବିରରେ ଛାତ୍ରୀମାନଙ୍କୁ ୮ ଦିନ ପର୍ଯ୍ୟନ୍ତ ଆତ୍ମ ସୁରକ୍ଷାର ବିଭିନ୍ନ କୌଶଳ ବିଷୟରେ ତାଲିମ ପ୍ରଦାନ କରିବେ। ଜାନୁଆରୀ ୧୬ ତାରିଖ ଦିନ ତାଲିମ କାର୍ଯ୍ୟକ୍ରମ ସମାପ୍ତ ହେବ। ଶେଷରେ ସଂଯୋଜିକା ଅଧ୍ୟାପିକା ଡକ୍ଟର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।