ଭୁବନେଶ୍ୱର,୧୫/୦୧/ ୨୦୨୫:
ଏସ୍ଏମ୍ପିଭିକୁ ନେଇ ରାଜ୍ୟ ସରକାର ସଂପୂର୍ଣ୍ଣ ସଜାଗ ଅଛନ୍ତି।ଏଣୁ ଜନସାଧାରଣ ଆତଙ୍କିତ ନହେବାକୁ ପରାମର୍ଶ ଦିଆଯାଇଛି ।ହ୍ୟୁମାନ୍ ମେଟାନ୍ୟୁମୋ ଭାଇରସ୍ (ଏଚ୍ଏମ୍ପିଭି) ସଂପର୍କିତ ଏକ ସମୀକ୍ଷା ବୈଠକ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ବତୀ ଏସ୍ଙ୍କ ଅଧ୍ୟକ୍ଷତାରେ ଆଜି ବିଭାଗୀୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଜନସାଧାରଣ ଏଚ୍ଏମ୍ପିଭି ଭୂତାଣୁ ନେଇ ବିଚଳିତ କିମ୍ବା ଆତଙ୍କିତ ହେବାର କିଛି କାରଣ ନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହାକୁ ନେଇ ସଂପୂର୍ଣ୍ଣ ସଜାଗ ରହିଛନ୍ତି । ଅଦ୍ୟାବଧୂ ଏଚ୍ଏମ୍ପିଭିର କୌଣସି ପ୍ରଭାବ ଓଡ଼ିଶାରେ ପରିଲକ୍ଷିତ ହୋଇନାହିଁ । ତା’ ସତ୍ତ୍ଵେ ଓଡ଼ିଶା ସରକାର ସମସ୍ତ ପରିସ୍ଥିତି ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।ଆଇଡିଏସ୍ପି, ଏନ୍ସିଡିସି ((Integrated Disease Surveillance
Programme, National_Centre_for Disease Control) (IDSP – NCDC)ଠାରୁ ଆରମ୍ଭ କରି ସମସ୍ତ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟ, ଓଡ଼ିଶା, ଏମସ୍, ଭୁବନେଶ୍ଵର, ଆର୍ଏମ୍ଆର୍ସି, ଭୁବନେଶ୍ଵର, ଆଇ.ଏଲ୍.ଏସ୍, ଭୁବନେଶ୍ଵର ପ୍ରଭୃତି ପ୍ରମୁଖ ଅନୁଷ୍ଠାନ ଏହା ଉପରେ ତୀକ୍ଷ୍ଣ ନଜର ରଖୁଛନ୍ତି । ତେଣୁ ଜନସାଧାରଣ ତଥା ଗଣମାଧ୍ୟମ ଅଯଥା ବ୍ୟସ୍ତବିବ୍ରତ କିମ୍ବା ବିଚଳିତ
ହେବାର କୌଣସି କାରଣ ନାହିଁ । ବ୍ୟାପକ ଜନସଚେତନତା ଓ ସତର୍କତା ଦ୍ଵାରା ସଂକ୍ରମଣକୁ ସହଜରେ ପ୍ରତିହତ କରାଯାଇପାରେ । ତେଣୁ, ସଦାସର୍ବଦା ବ୍ୟକ୍ତିଗତ ତଥା ପରିବେଶର ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନଦେବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି । ସଚେତନ ହେଲେ ସୁରକ୍ଷିତ ରହିବା ।ଏହି ବୈଠକରେ ସ୍ଵାସ୍ଥ୍ୟସେବା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ବିଜୟ କୁମାର ମହାପାତ୍ର, ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ନୀଳକଣ୍ଠ ମିଶ୍ର, ଡିଏମ୍ଇଟି ଡ. ସନ୍ତୋଷ କୁମାର ମିଶ୍ର, ଭାରତ ସରକାରଙ୍କ ଆଞ୍ଚଳିକ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ଡ. ସୁମିତ୍ରା ସାସମଲ, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଟିମ୍ ଲିଡ୍ ଡ. ନିହାର ରାୟ,ଆର୍ଏମ୍ଆର୍ସିର ଡ. ଶୁଭ୍ର ସୁଭଦ୍ରା, ଡ. ଇରା ପ୍ରହରାଜ, ଅତିରିକ୍ତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଡ. ପ୍ରମିଳା ବରାଳ, ଏପିଏଚ୍ଓ ଡ. ବିଶ୍ୱରଞ୍ଜନ ଦାସ, ଉପଶାସନ ସଚିବ ଅରୁଣା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
Home ବ୍ରହ୍ମପୁର ସ୍ପେଶାଳ ଏଚ୍ଏମପିଭି ସଂପର୍କିତ ସମୀକ୍ଷା ବୈଠକ।ରାଜ୍ୟ ଓ କେନ୍ଦ୍ର ସରକାର ଏସ୍ଏମ୍ପିଭିକୁ ନେଇ ସଂପୂର୍ଣ୍ଣ ସଜାଗ ଅଛନ୍ତି