ମାରଦା ମହୋତ୍ସବ ଉଦଘାଟିତ, ଲୋକାରଣ୍ୟ ଶରଣ ଶ୍ରୀକ୍ଷେତ୍ର

0
32

ପୋଲସରା, ୧୫/୦୧/୨୫: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ମଥୁରା ଗ୍ରାମର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପୀଠରେ ପ୍ରଭୁ ଜଗନ୍ନାଥ ଦୀର୍ଘ ଅଢେଇ ବର୍ଷ ଲୁକାୟିତ ଭାବେ ରହି ଘଞ୍ଚ ଅରଣ୍ୟ ମଧ୍ୟରେ ପୂଜା ପାଉଥିଲେ। ସେହି ଜଗନ୍ନାଥ ସଂସ୍କୃତିକୁ ମନେପକାଇବା ପାଇଁ ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତି ଦିନ ମାରଦା ମହୋତ୍ସବର ପ୍ରଥମ ସନ୍ଧ୍ୟାର କାର୍ଯ୍ୟକ୍ରମରେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଉଦଘାଟନ କରିଥିଲେ। ମାରଦା ମହୋତ୍ସବ କମିଟିର ସଭାପତି ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଯାହା ଆଶା କରାଯାଉଥିଲା ତାହାଠାରୁ ଯଥେଷ୍ଟ ଅଧିକ ଜନ ସମାଗମ ହୋଇ ମାରଦା ମନ୍ଦିର ପୀଠ ଲୋକାରଣ୍ୟ ହୋଇଯାଇଥିଲା। ମାରଦା ମନ୍ଦିର ଐତିହ୍ୟ ଓ ସଂସ୍କୃତି ବିଷୟରେ ଜାଣିବା ପରେ ବହୁତ ଖୁସି ଅନୁଭବ କରି ଜଗନ୍ନାଥଙ୍କ ଲିଳା ଖେଳା ସ୍ବୟଂ ଜଗନ୍ନାଥଙ୍କୁ ଜଣା ବୋଲି କହି ମାରଦା ମନ୍ଦିର ପାଇଁ ଆର୍ଥିକ ସହଯୋଗ କରିବା ପାଇଁ ଉଦ୍ଘାଟକ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟ ଅତିଥିଭାବେ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଆସିକା ସାଂସଦ ଅନିତା ସୁଭଦର୍ଶିନୀ ପ୍ରମୁଖ ଯୋଗ ଦେଇ ମାରଦା ପୀଠର ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ଜଗନ୍ନାଥ ସଂସ୍କୃତି ଗବେଷକ ଡ଼ଃ କୃଷ୍ଣ କେଶବ ଷଢଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଉପରେ ବକ୍ତବ୍ୟ ରଖିବା ସହ ମାରଦା ପୀଠର ଐତିହ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥିଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଖଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ସମେତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ସିଡିଓ ମଧୁମିତା, ଆଠଗଡ଼ ମହାରାଜ ଦୁର୍ଗାଶଙ୍କର ପ୍ରସାଦ ହରିଚନ୍ଦନ ଜଗଦେବ, ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ , ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ମଥୁରା ମହନ୍ତ ସୁନ୍ଦର ରାମଦାସ ପ୍ରମୁଖ ମଞ୍ଚାସିନ ରହି ବକ୍ତବ୍ୟ ରଖିଥିଲେ । ତିନି ଗୋଟି ପୁସ୍ତକର ଉନ୍ମୋଚନ , ଅଞ୍ଚଳର ବ୍ଯକ୍ତି ବିଶେଷଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ଅତିଥି ମାନଙ୍କ ଦ୍ବାରା ସମ୍ମାନୀତ କରିବା ସହ ଅତିଥି ବୃନ୍ଦଙ୍କୁ ମାରଦା ସଂସ୍କୃତି ସମ୍ପର୍କିତ ଉପହାର ଦେଇ ସମ୍ମାନିତ କରାଯାଇଥିଲା। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଗାୟିକା ଅସିମା ପଣ୍ଡାଙ୍କ ଗୀତରେ ଦର୍ଶକ ମାନେ ନାଚି ଉଠିଥିଲେ। ପ୍ରଥମ ଦିନର କାର୍ଯ୍ୟକ୍ରମ ସଫଳ ଭାବେ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ପ୍ରଭାକର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here