ପୋଲସରା, ୧୭/୧/୨୫: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ପ୍ରଥମ ବର୍ଷ (ଏକାଦଶ ଶ୍ରେଣୀ) ଛାତ୍ରୀଙ୍କ ୮ ଦିନିଆ ଆତ୍ମ ସୁରକ୍ଷା ତାଲିମ ଶିବିର ଜାନୁଆରୀ ୧୬ ତାରିଖ ଦିନ ଉଡାଯାପିତ ହୋଇଯାଇଛି। ଉଦଯାପନୀ ଦିବସର କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ରବୀନ୍ଦ୍ର ନାଥ ପାଳ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୋଲସରା ତହସିଲଦାର ଦୀପ୍ତିମୟୀ ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଅର୍ଥନୀତି ବିଭାଗର ଅଧ୍ୟାପକ ମନୋଜ କୁମାର ସାହୁ, ତହସିଲ ଅଫିସ କର୍ମଚାରୀ ଗିରିଜା ଶଙ୍କର ମିଶ୍ର ଯୋଗଦେଇଥିଲେ। ତହସିଲଦାର ଦୀପ୍ତିମୟୀ ପାତ୍ର ଛାତ୍ରୀମାନଙ୍କୁ ମାନସିକ ଓ ଶାରୀରିକ ଭାବରେ ସଶକ୍ତ ହେବାର ପ୍ରେରଣା ଦେଇଥିଲେ। ତାଲିମ ଶିବିରର ସଂଯୋଜିକା ଅଧ୍ୟାପିକା ଡକ୍ଟର ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାଷ୍ଟର ଟ୍ରେନର ସୁଚିତ୍ରା ବେହେରା ଓ ସୁଜ୍ଞାନୀ ବେହେରା ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା କୌଶଳ ବିଷୟରେ ତାଲିମ ଦେଇଥିଲେ। ଅଧ୍ୟାପକ ଟୁଟୁ ଡାକୁଆ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ। ସମସ୍ତ ଛାତ୍ରୀ ଆଠ ଦିନରେ ଯେଉଁ ସବୁ ଆତ୍ମ ସୁରକ୍ଷା କୌଶଳ ଶିକ୍ଷାଲାଭ କରିଥିଲେ ତାହା ଅତିଥି ବୃନ୍ଦଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ଶେଷରେ ଅଧ୍ୟାପିକା ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।