ଭୁବନେଶ୍ଵର, ତା୧୯/୦୧/୨୦୨୫: ଜଳବାୟୁ ପରିବର୍ତନ ପ୍ରସଙ୍ଗରେ ସାହିତ୍ୟିକମାନେ ସ୍ଵର ଉଠାଇବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି ।ଆଜି କିଟ୍ ବିଶ୍ଵ ବିଦ୍ୟାଳୟ ପରିସରରେ “ବିଶ୍ଵମୁକ୍ତି” ଆନୁକୂଲ୍ୟରେ ବିଶ୍ବରେ ଜଳବାୟୁ ପରିବର୍ତନରେ ଭାରତୀୟ ଭାଷା ଓ ସଂସ୍କୃତି ଉପରେ ପ୍ରଭାବ ତଥା ବିଚାର ସଂପର୍କରେ ଅଷ୍ଟମ ତ୍ରି-ଦିବସୀୟ ରାଷ୍ଟ୍ରୀୟ କର୍ମଶାଳା ଓ ବହୁଭାଷୀ କାବ୍ୟପାଠର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥ୍ୟ ଭାବେ ଯୋଗ ଦେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଏହି ଆହ୍ଵାନ ଦେଇଛନ୍ତି । ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଜଳବାୟୁ ପରିବର୍ତନ କେବଳ ଏକ ପରିବେଶଗତ ଚ୍ୟାଲେଞ୍ଜ ନୁହେଁ ବରଂ ସାଂସ୍କୃତିକ ଐତିହ୍ୟ ସମେତ ଜୀବନର ପ୍ରତ୍ୟେକ ଦିଗ ଉପରେ ଗଭୀର ପ୍ରଭାବ ପକାଇଥାଏ। ପ୍ରକୃତି ଏବଂ ସଂସ୍କୃତି ମଧ୍ୟରେ ସଂପର୍କ ଭାରତୀୟ ସଭ୍ୟତାର ଏକ ମୌଳିକ ଉପାଦାନ ହୋଇଆସିଛି। ଭାରତୀୟ ସାହିତ୍ୟ ଏହାର ବିଶାଳତା, ବିବିଧତା ଏବଂ ପରିବେଶଗତ ଚେତନାରେ ସମୃଦ୍ଧ । ଆମର ପ୍ରାଚୀନ ଗ୍ରନ୍ଥ, ଲୋକ ପରମ୍ପରା ଏବଂ ସାହିତ୍ୟିକ କୃତୀଗୁଡ଼ିକ ପ୍ରାୟତଃ ମାନବ ଜୀବନ ଏବଂ ପରିବେଶ ମଧ୍ୟରେ ଏକ ପାରସ୍ପରିକ କ୍ରିୟାକୁ ପ୍ରତିଫଳିତ କରିଥାଏ । ତଥାପି, ଆଜି ଆମେ ଯେଉଁ ଦ୍ରୁତ ପରିବେଶଗତ ପରିବର୍ତନ ଦେଖୁଛୁ ତାହା ଧିରେ ଧିରେ ଏହି ସମନ୍ଵୟକୁ ବ୍ୟାହତ କରୁଛି । ଏହି ବାଧାଗୁଡ଼ିକ କେବଳ ପରିବେଶଗତ ନୁହେଁ ବରଂ ଭାଷାଗତ ଓ ସାଂସ୍କୃତିକ ମଧ୍ୟ । ଏହା ଆମ ଭାଷା ଓ ପରଂପରାକୁ ପ୍ରଭାବିତ କରୁଛି ବୋଲି ରାଜ୍ୟପାଳ କହିଥିଲେ । ଆଜି ପରିବେଶ ସଚେତନତା ଜାଗ୍ରତ କରିବା ଏବଂ ଭବିଷ୍ୟତ ପୀଢ଼ିକୁ ପ୍ରେରଣା ଦେବା ପାଇଁ ସାହିତ୍ୟର ବ୍ୟବହାର ଉପରେ ରାଜ୍ୟପାଳ ଗୁରୁତ୍ବାରୋପ କରିଥିଲେ ଏବଂ ପ୍ରାଣୀ ଜଗତକୁ ସୁସ୍ଥ ଓ ସଶକ୍ତ ରଖିବା ପାଇଁ ସାହିତ୍ୟିକମାନେ ନିରନ୍ତର କଲମ ଚାଳନା ଜାରି ରଖୁବାକୁ ରାଜ୍ୟପାଳ ଡ. କମ୍ଭମ୍ପାଟି ଆହ୍ବାନ ଜଣାଇଥିଲେ ।ଏହି ସମାରୋହରେ ପୂର୍ବତନ ଲୋକସଭା ସାଂସଦ ତଥା “ ବିଶ୍ବମୁକ୍ତି”ର ଚେୟାରମ୍ୟାନ ଡ ପ୍ରସନ୍ନ କୁମାର ପାଟ୍ଟଶାଣୀ, କିଟ୍ ଓ କିସ୍ ବିଶ୍ଵ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଡ଼ ଅଚ୍ୟୁତ ସାମନ୍ତ, ଭାରତ ସରକାରଙ୍କ ଆର. ସି.ଏମ୍.ଆର.ର ଏଡିଜି ଡଃ ସଂଘମିତ୍ରା ପତି, ଇଷ୍ଟର୍ଣ୍ଣ କୋଲ୍ ଫିଲଡ୍ ଲି ର ପୂର୍ବତନ ସି.ଏମ୍.ଡ଼ି.ଶ୍ରୀମତୀ ଆହୁତି ସ୍ଵାଇଁ, “ ବିଶ୍ଵମୁକ୍ତି”ର ସଂପାଦକ ପ୍ରଫେସର ଶଶାଙ୍କ ଚୂଡ଼ାମଣି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ପରିବେଶ ପରିବର୍ତନ ଦ୍ଵାରା କିପରି କଳା, ସଂସ୍କୃତି, ଭାଷା ଓ ସାହିତ୍ୟ ପ୍ରଭାବିତ ହେଉଛି ସେ ସଂପର୍କରେ ଅବତାରଣା କରିଥିଲେ । ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ଭାଷାର କୃତୀ ସାରସ୍ଵତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବିଭିନ୍ନ ଭାଷାର ପୁସ୍ତକ ଉନ୍ମୋଚନ କରାଯାଇଥିଲା ଏବଂ “ ବିଶ୍ଵମୁକ୍ତି”ର ସ୍ଵତନ୍ତ୍ର ସଂସ୍କରଣ ଉନ୍ମୋଚିତ ହୋଇଥିଲା ।