ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରଜତ ଜୟନ୍ତୀ

0
20

ପୋଲସରା ୨୧/୦୧/୨୫ ପୋଲସରା ସହରରେ ୧୯୯୭ ମସିହାରେ ଶିକ୍ଷାବିତ ଶ୍ୟାମସୁନ୍ଦର ସାହୁଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ଶିକ୍ଷାନୁଷ୍ଠାନ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରଜତ ଜୟନ୍ତୀ ଜାନୁଆରୀ ୨୧ ତାରିଖ ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରିନ୍ସପାଲ ପ୍ରଦୀପ କୁମାର ପରମଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟକ ଭାବେ ଯୋଗଦେଇ ପ୍ରଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ସମାଜରେ ଭଲ ମଣିଷଟିଏ ହେବାପାଇଁ ପରାମର୍ଶ ଦେଇ ମୋବାଇଲ ଠାରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହିତ ଶିକ୍ଷା ଅନୁଷ୍ଠାନର ପ୍ରଗତି କ୍ଷେତ୍ରରେ ଯାହା ଆବଶ୍ୟକ ପଡିବ ନିଶ୍ଚିତ ଭାବେ ମୁଁ ସହଯୋଗ କରିବି ବୋଲି ପ୍ରତିଶୃତି ଦେଇଥିଲେ ମନ୍ତ୍ରୀ ଶ୍ରୀ ମଲ୍ଲିକ। ମୁଖ୍ୟ ଅତିଥି ଭାବେ ଗୋପାଳପୁର କଲେଜର ପୂର୍ବତନ ପ୍ରିନ୍ସପାଲ ଏସ.ରାମା ରାଓ, ମୁଖ୍ୟ ବକ୍ତା ଭାବେ ଆଇନଜୀବୀ ତଥା ଓଡ଼ିଶା ରାଜ୍ୟ ବାର କାଉନସିଲ ମେମ୍ବର ପୀତବାସ ପଣ୍ଡା, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପ୍ରତିଷ୍ଠା ତଥା ସମାଜସେବୀ ଶ୍ୟାମ ସୁନ୍ଦର ସାହୁ, ବ୍ରହ୍ମପୁର ଜୋନ ଶିକ୍ଷା ଉପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ, ପୂର୍ବତନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ ମଞ୍ଚାସିନ ଥିଲେ। ଅତିଥି ବୃନ୍ଦ ଛାତ୍ରୀମାନଙ୍କୁ ଉଚିତ ଶିକ୍ଷା ଗ୍ରହଣ କରି ଭଲ ମଣିଷଟିଏ ହେବାପାଇଁ ପରାମର୍ଶ ଦେଇଥିଲେ। ପ୍ରତିଷ୍ଠିତ ବର୍ଷରେ ୩୦ ଛାତ୍ରୀଙ୍କୁ ନେଇ ଏହି ଶିକ୍ଷା ଅନୁଷ୍ଠାନ ଆରମ୍ଭ ହୋଇ ଆଜି ୯୩୦ ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଯାହାକି ଆଜିର ଏହି ରୌପ୍ୟ ଜୟନ୍ତୀ ପାଇଁ ଏକ ଗୈାରବ ଆଣିଛି ଯାହାକୁ ନେଇ ବିଦ୍ୟାଳୟ ପ୍ରତିଷ୍ଠାତା ଶ୍ୟାମସୁନ୍ଦର ସାହୁ ଗର୍ବିତ ଅନୁଭବ କରି ପ୍ରତିକ୍ରିୟା ରଖିଥିଲେ । ଅଧ୍ୟକ୍ଷ ଶ୍ରୀ ପରମଗୁରୁ ରୌପ୍ୟ ଜୟନ୍ତୀର ବିବରଣୀ ପଠନ କରିଥିଲେ। ଅତିଥି ପରିଚୟ ଅଧ୍ୟାପକ ଆଶିଷ କୁମାର ପ୍ରଧାନ କରିଥିବା ବେଳେ ସ୍ବାଗତ ଭାଷଣ ଅଧ୍ୟାପକ ଶିଶିର କୁମାର ବିଷୋୟୀ ଦେଇଥିଲେ। ୨୦୦୨ ଠାରୁ ୨୦୨୪ ପର୍ଯ୍ୟନ୍ତ ୨୧ ଜଣ ବ୍ଳକ ଟପ୍ପର ଓ ୩ ଜଣ ଜିଲ୍ଲା ଟପ୍ପର ପୂର୍ବତନ ଛାତ୍ରୀଙ୍କୁ ସମ୍ମାନୀତ କରିବା ସହ ସ୍ବତନ୍ତ୍ର ଭାବେ ବିଦ୍ୟାଳୟ ପ୍ରତିଷ୍ଠାତା ଶ୍ୟାମସୁନ୍ଦର ସାହୁଙ୍କୁ ସ୍ମୃତି ଫଳକ, ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଅନୁଷ୍ଠାନ ତରଫରୁ ଅତିଥିମାନଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ଏହି ରଜତ ଜୟନ୍ତୀ ଦୁଇଦିନ ଧରି ଅନୁଷ୍ଠିତ ହେବାକୁଥିବା ବେଳେ ଆଜି ପ୍ରଥମ ଦିନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here