ପୋଲସରା, ୨୫/୧/୨୫ ଗଞ୍ଜାମ ଜିଲ୍ଲାର ପୋଲସରା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାନୁଆରୀ ୬ ତାରିଖରେ ଆରମ୍ଭ ହୋଇଥିବା ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ପ୍ରଦୀପ କୁମାର ପରାମଗୁରୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୋଲସରା ତହସିଲଦାର ଦୀପ୍ତିମୟୀ ପାତ୍ର ଯୋଗଦେଇ ଆତ୍ମ ସୁରକ୍ଷା ତାଲିମର ଉପକାରୀତା ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ଡକ୍ଟର ରଞ୍ଜିତା କୁମାରୀ ମିଶ୍ର, ପ୍ରିୟମ୍ବଦା ଦାଶ ଓ ସନ୍ଧ୍ୟା କୁମାରୀ ଦାଶ ଯୋଗଦେଇ ତାଲିମ ଶିବିରରେ ଛାତ୍ରୀମାନେ ଯେଉଁ ସବୁ ଆତ୍ମ କୌଶଳ ଶିକ୍ଷା ଲାଭ କରିଛନ୍ତି ତାହାକୁ ଅଭ୍ୟାସ ରଖିଲେ ବିପଦ ସମୟରେ ନିଶ୍ଚିତ ସହାୟକ ହେବ ବୋଲି ପ୍ରକାଶ କରିଥିଲେ। ଆତ୍ମ ସୁରକ୍ଷା ତାଲିମ ଶିବିରର ସଂଯୋଜକ ଅଧ୍ୟାପକ ଡକ୍ଟର ଆଶୀଷ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାଷ୍ଟର ଟ୍ରେନର ସୁଜ୍ଞାନୀ ପ୍ରଧାନ ଓ ସୁଚିତ୍ରା ବେହେରା ଛାତ୍ରୀମାନଙ୍କୁ ଯେଉଁସବୁ ଆତ୍ମ କୌଶଳ ତାଲିମ ପ୍ରଦାନ କରିଥିଲେ, ଛାତ୍ରୀମାନେ ତାହା ଅତିଥିମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ତାଲିମ ଗ୍ରହଣ କରିଥିବା ଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ତାଲିମ ଶିବିର ସଂଯୋଜକ ଅଧ୍ୟାପକ ଡକ୍ଟର ଶ୍ରୀ ପ୍ରଧାନ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଶିଶିର କାନ୍ତ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।