ପୋଲସରା, ୨୮/୧/୨୫ : ୧୭୩୩ ମସିହା ଡିସେମ୍ବର ୨୯ ତାରିଖ ଠାରୁ ୧୭୩୬ ମସିହା ଏପ୍ରିଲ ମାସ ପର୍ଯ୍ୟନ୍ତ ପ୍ରାୟ ୨୮ ମାସ ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରା, ତତ୍କାଳୀନ ଆଠଗଡ଼ ମହାରାଜାଙ୍କ ରାଜ୍ୟର ମଥୁରା ଗ୍ରାମର ଘଞ୍ଚ ଜଙ୍ଗଲ ମଧ୍ୟରେ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରରେ ଲୁକାୟିତ ଭାବେ ରଖାଯାଇ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଉଥିଲା। ମୋଗଲମାନଙ୍କ ଆକ୍ରମଣ ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସମେତ ପୁରୀq ଗଜପତି ରାଜାଙ୍କୁ ଆଶ୍ରୟ ଦେଇ ଲୁକାୟିତ ଭାବେ ରଖିଥିବାରୁ ଗଜପତି ମହାରାଜାଙ୍କ ନିର୍ଦ୍ଦେଶ କ୍ରମେ ବଡ଼ ଏକାଦଶୀ ଦିନ ଦୀପ ଲାଗିବା ବେଳେ “ଶରଣ ପଞ୍ଜର ମାନ ଉଦ୍ଧାରଣ ଭାଇ ଭାଇ ଶ୍ରୀ ରଘୁନାଥ ହରିଚନ୍ଦନ ଜଗଦ୍ଦେବଜୀ ମହାରାଜାଙ୍କୁ ଶଙ୍ଖରେ ବୁଡାଇ , ଘଣ୍ଟରେ ଘୋଡାଇ ଚକ୍ର ଆଢୁଆଳରେ ରଖହେ ମହାବାହୁ” ଏହି ମହିମା ଗାନ କରାଯାଉଅଛି। ଯେଉଁ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ଓ ଆଠଗଡ଼ ମହାରାଜା ପାଇଁ ପୁରୀ ଶ୍ରୀ ମନ୍ଦିରରେ ଏହିପରି ମହିମା ଗାନ କରାଯାଉଅଛି ସେହି ପ୍ରସିଦ୍ଧ ପୀଠ ଆଜି ଅବହେଳିତ ହୋଇ ପଡ଼ି ରହିଛି। ଶ୍ରୀ ଜୀଉ ମାରଦା ମନ୍ଦିରରୁ ପୁରୀ ଶ୍ରୀକ୍ଷେତ୍ର ଚାଲିଗଲେ ସେହିଦିନଠାରୁ ଠାକୁର ବସିଥିବା ପିଣ୍ଡିର ପୂଜା ପରମ୍ପରା ରହି ଆସୁଅଛି। ରାଜା ରାଜୁଡା ଶାସନ ସମୟରେ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରରେ ଭୋଗ, ରୀତି, ନୀତି ଠିକ ଭାବେ ଚାଲିଥିଲା। ରାଜା ଶାସନ କ୍ଷମତା ଗଲାପରେ ଶ୍ରୀ ମନ୍ଦିର ପ୍ରଶାସନ ପ୍ରତି ବର୍ଷ ୩୬,୦୦୦ ଟଙ୍କା ଅର୍ଥାତ ଦୈନିକ ଏକ ଶହ ଟଙ୍କା ଅନୁଦାନ ଦେଉଥିଲେ। ମାରଦା ମନ୍ଦିର ପରିଚାଳନା କମିଟି ଗଠନ ହୋଇ ଗଞ୍ଜାମ ଜିଲ୍ଲା ମାଜିଷ୍ଟ୍ରେଟ ଏହାର ସଭାପତି, ପୋଲସରା ବିଡ଼ିଓ ସମ୍ପାଦକ , ପୋଲସରା ତହସିଲଦାର କୋଷାଧ୍ୟକ୍ଷ ରହିବା ସହ ସ୍ଥାନୀୟ ଅଞ୍ଚଳର କେତେଜଣ ମାନ୍ୟଗଣ୍ୟ ବ୍ୟକ୍ତି ସଦସ୍ୟ ରହିଛନ୍ତି। ଅତ୍ୟନ୍ତ ଦୁଖଃଦାୟକ ବିଷୟ ଜିଲ୍ଲାପାଳ, ବିଡ଼ିଓ ଓ ତହସିଲଦାର ଙ୍କ ଭଳି ତିନିଜଣ ଦାୟିତ୍ୱବାନ ସରକାରୀ କର୍ମଚାରୀ ମୁଖ୍ୟ କର୍ମକର୍ତ୍ତା ଥିବା ବେଳେ ଶ୍ରୀ ମନ୍ଦିରରୁ ଆସୁଥିବା ଅନୁଦାନର ବିନିଯୋଗ ପ୍ରମାଣପତ୍ର (ୟୁସି) ୨୦୧୨-୧୩ ଆର୍ଥିକ ବର୍ଷରେ ଦେଇ ନଥିବା ଯୋଗୁ ଆସୁଥିବା ଅନୁଦାନ ବନ୍ଦ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୨୧୭୧ ତାରିଖ ୩୦/୧୦/୨୩ ପ୍ରକାରେ ମାରଦା ମନ୍ଦିର ଭୋଗ ପାଇଁ ଦୈନିକ ୫୦୦ ଟଙ୍କା ଲେଖାଁଏ ଅନୁଦାନ ଦେବାକୁ ଶ୍ରୀ ମନ୍ଦିର ଉପ ପ୍ରଶାସକଙ୍କ ନିକଟକୁ ଆନୁରୋଧ ପତ୍ର ସହ ସରକାରୀ ସ୍ତରରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ପୂର୍ବର ବାକେୟା ସହ ପୂର୍ତ୍ତ ବିଭାଗ ପକ୍ଷରୁ ନୂତନ କୋଠା ନିର୍ମାଣ ସମୟରେ ମନ୍ଦିର ବିଦ୍ୟୁତକୁ ନେଇ ବିଭିନ୍ନ ଯନ୍ତ୍ର ଉପକରଣରେ କାର୍ଯ୍ୟ କରିବା ଦ୍ୱାରା ଅଧିକ ବିଦ୍ୟୁତ ଖର୍ଚ୍ଚ ହୋଇ ବର୍ତ୍ତମାନ ବିଦ୍ୟୁତ ବିଲ ପ୍ରାୟ ୩ ଲକ୍ଷ ଟଙ୍କା ବକେୟା ରହିବାରୁ ବିଦ୍ୟୁତ କାଟିଦେବା ପାଇଁ ବିଦ୍ୟୁତ ବିଭାଗ ନିଷ୍ପତ୍ତି ନେଇଥିବା ଯୋଗୁ ମନ୍ଦିର ପରିସର ଅନ୍ଧାର ରହିବ। ଅବଶ୍ୟ ଏହି ବିଷୟ ନେଇ ପୋଲସରା ବିଡ଼ିଓ ବିଦ୍ୟୁତ ବିଭାଗକୁ ଏକକାଳୀନ ସେଟଲ ପାଇଁ ପତ୍ର ଲେଖିଛନ୍ତି। ଶ୍ରୀ ଜଗନ୍ନାଥଙ୍କ ଦୀର୍ଘ ୨୮ ମାସର ଲୀଳା ସହ ଜଡିତ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରକୁ ଆଜି ସୁଦ୍ଧା ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିନଥିବା ଯୋଗୁଁ ଜଗନ୍ନାଥ ପ୍ରେମୀ ଓ ବୁଦ୍ଧିଜୀବୀ ବୃନ୍ଦ କ୍ଷୋଭ ପ୍ରକାଶ କରିଛନ୍ତି। ସରକାର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରର ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ ପାଇଁ ସ୍ଥାନୀୟ ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।