ପୋଲସରା, ୦୫/୦୨/୨୫ : ଫେବୃୟାରୀ ୫ ତାରିଖ ଦିନ “ବିକଶିତ ଗାଁ, ବିକଶିତ ଓଡ଼ିଶା” ଯୋଜନାର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଥିଲେ। ରାଜ୍ୟ ସ୍ତରୀୟ ଏହି ଉଦ୍ଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ କାର୍ଯ୍ୟକ୍ରମକୁ ପୋଲସରା ବ୍ଲକ୍ ପ୍ରଶାସନ ପକ୍ଷରୁ ଭିଡିଓ କନ୍ଫରେନ୍ସରେ ଜରିଆରେ ଦେଖିବାର ବ୍ୟବସ୍ଥା କରାଯାଇଥିଲା। ପୋଲସରା ପେଟ୍ରୋଲ ପମ୍ପର ବିପରୀତ ଦିଗରେ ଥିବା ପଡିଆରେ ଆୟୋଜିତ “ବିକଶିତ ଗାଁ, ବିକଶିତ ଓଡିଶା” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେବା ସହ ବହୁ ଜନପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଜ ବକ୍ତବ୍ୟରେ ଗାଁ ଉନ୍ନତି ହେଲେ ରାଜ୍ୟ ଓ ଦେଶର ବିକାଶରେ ଅଗ୍ରଗତି ନେଇ ମତ ଉପସ୍ଥାପନ କରିଥିଲେ । ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ବାର୍ଷିକ ଏକ ହଜାର କୋଟି ହିସାବରେ ୫ ବର୍ଷରେ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫେବ୍ରୁଆରି ମାସ ୧୫ ତାରିଖ ସୁଦ୍ଧା ପ୍ରତି ଗାଁ ସେହି ଅନୁସାରେ ୫ ବର୍ଷିଆ ଯୋଜନା ପ୍ରସ୍ତୁତ କରି ପଠାଇବାକୁ ନିର୍ଦ୍ଦେଶ ଅଛି। ନୂଆ ମାର୍ଗଦର୍ଶିକା ମୁତାବକ ପ୍ରତି ପଞ୍ଚାୟତର ବିକାଶକୁ ତ୍ବରାନ୍ବିତ କରାଯିବ । ଆଦିବାସୀ ବହୁଳ ଅଞ୍ଚଳକୁ ଏହି ଯୋଜନାରେ ସର୍ବାଧିକ ପ୍ରାଥମିକତା ଦିଆଯିବ। ଏହି ଯୋଜନା ମାଧ୍ୟମରେ ଶିକ୍ଷା, କ୍ରିଡ଼ା, ଗମନାଗମନ, କ୍ଷୁଦ୍ର ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ବିକାଶ ସହ ସାଂସ୍କୃତିକ କେନ୍ଦ୍ର, କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର ଇତ୍ୟାଦି ନିର୍ମାଣ କରାଯିବ। ପୋଲସରା ବିଡିଓ କୁରେଶ ଚନ୍ଦ୍ର ଜାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ବ୍ଲକ କର୍ମଚାରୀ ବୃନ୍ଦ, ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି ଓ ସାଧାରଣ ଜନତା ଉପସ୍ଥିତ ଥିଲେ।