ବୁଗୁଡା, ୧୭/୨/୨୫ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଳକର ଭାମଶ୍ୟାଳୀ ପଞ୍ଚାୟତର ବହୁ ପୁରାତନ ମାଁ ରତନେଇ ଶକ୍ତି ପୀଠ ଅବହେଳିତ ହୋଇ ପଡିରହିଥିବା ଦେଖିବାକୁ ମିଳିଛି। ମାଁ ରତନେଇ ଶକ୍ତି ପୀଠ ହେଉଛି ଏକ ଆଞ୍ଚଳିକ ପର୍ଯ୍ଯଟନ କ୍ଷେତ୍ର। ବର୍ଷର ବିଭିନ୍ନ ସମୟରେ ମାଁ ରତନେଇ ପୀଠରେ ବିଭିନ୍ନ ପର୍ବପର୍ବାଣୀ ସହ ବିବାହ କାର୍ଯ୍ୟ ଓ ବଣଭୋଜି ଲାଗିରହିଥାଏ। ବହୁ ଜନ ସମାଗମ ହେଉଥିବା ମା’ ଙ୍କ ପୀଠକୁ ଯିବାପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ଯେଉଁ ନଳକୂପ ଖଣ୍ଡେ ଅଛି ସେଥିରୁ ଖାରୀ ପାଣି ସହ ଲୁହା କଳଙ୍କ ବାହାରିବା ଯୋଗୁଁ ତାହା ପାନୀୟ ଜଳ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ। ପ୍ରାକୃତିକ ଶୋଭା ଭରା ମାଁ ରତନେଇ ଶକ୍ତି ପୀଠ ଏକ କ୍ଷୁଦ୍ର ପର୍ଯ୍ୟଟନ କ୍ଷେତ୍ର ହୋଇଥିବା ବେଳେ ଗମନାଗମନ ପାଇଁ ଉତ୍ତମ ରାସ୍ତା ନଥିବା ଓ ପାନୀୟ ଜଳର ସୁବିଧା ନଥିବା ଯୋଗୁଁ ବହୁ ପର୍ଯ୍ୟଟକ ସେଠାକୁ ଯିବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି। ପ୍ରତିଦିନ ଉଣା ଅଧିକେ ମାନସିକ ବ୍ୟକ୍ତି ଓ ବିବାହ, ବ୍ରତ କରୁଥିବା ବ୍ୟକ୍ତି ଓ ବଣଭୋଜି କରିବା ପାଇଁ ସ୍କୁଲ, କଲେଜର ଛାତ୍ରଛାତ୍ରୀ ବୃନ୍ଦ ଯାଉଥିବା ବେଳେ ମୁଖ୍ୟ ସମସ୍ୟା ଭାବେ ପ୍ରତିବନ୍ଧକ ସାଜିଛି ପକ୍କା ରାସ୍ତା ଓ ପାଣି ସମସ୍ୟା। ବର୍ତ୍ତମାନ ରାଜ୍ୟ ସରକାର ବିକଶିତ ଗାଁ, ବିକଶିତ ଓଡିଶା ଯୋଜନା ମାଧ୍ୟମରେ ପ୍ରତି ପଞ୍ଚାୟତକୁ ବାର୍ଷିକ ଏକ କୋଟି ଟଙ୍କା ହିସାବରେ ପାଞ୍ଚ ବର୍ଷରେ ପାଞ୍ଚ କୋଟି ଟଙ୍କା ଦେଇ ବିଭିନ୍ନ କାର୍ଯ୍ୟସହ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ର ଓ ରାସ୍ତା ଘାଟ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନା ହେଉ ବା ବିଧାୟକ ଓ ସାଂସଦଙ୍କ ହାତପାଣ୍ଠିରୁ ଅନୁଦାନ ଦେଇ ମାଁ ରତନେଇ ପୀଠର ଉନ୍ନତି ପାଇଁ ଆନ୍ତରିକ ଉଦ୍ୟମ କଲେ ଏହି ପୀଠକୁ ବହୁ ପର୍ଯ୍ୟଟନ ଯାଇପାରନ୍ତେ।