“କେନ୍ଦ୍ର ଓ ରାଜ୍ୟ ବଜେଟ” ଦେଶର ଅର୍ଥନୈତିକ ବିକାଶକୁ ଦୃଢୀଭୁତ କରିବ: କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ

0
6

ଭୁବନେଶ୍ୱର,୧୮/୦୨/୨୦୨୫: କେନ୍ଦ୍ରରେ ଭାଜପା ସରକାର ଆସିବା ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୧୪ରେ ଭାରତର ବଜେଟ ୧୬ ଲକ୍ଷ କୋଟିରୁ ଆରମ୍ଭ ହୋଇଥିଲା ।୨୦୨୫-୨୬ ବଜେଟ୍ ଏବେ ୫୧ ଲକ୍ଷ କୋଟିରେ ପହଂଚିଛି । କେନ୍ଦ୍ର ବଜେଟ୍‌ରେ ଚାକିରିଆ, ବ୍ୟବସାୟୀଙ୍କ ପାଇଁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ କରାଯାଇଛି । କୃଷକମାନଙ୍କ ପାଇଁ କିଶାନ କାର୍ଡର ସୀମା ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଓଡ଼ିଶା ସମେତ ପୂରା ଦେଶର ଚାଷୀକୁଳ ଲାଭବାନ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଗ୍ରାମାଚଂଳରେ ୨୯ ଲକ୍ଷ ଓ ୧୭୬ଟି ସହର ପାଇଁ ୩ ଲକ୍ଷ ଘର ତିଆରି କରାଯାଇଛି । ଏହା କେବଳ ୨୦୨୫-୨୬ର ବଜେଟ ନୁହେଁ ବରଂ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ସୁଶାସନର ଗତ ୧୦ ବର୍ଷର ରିପୋର୍ଟ କାର୍ଡ ବୋଲି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି ଯେ, ଭାଜପା ସରକାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପ୍ରାୟ ୪୧ହଜାର କିଲୋମିଟରରୁ ଅଧିକ ସଡ଼କ ତିଆରି କରିଛନ୍ତି । ଜଳଜୀବନ ମିଶନରେ ୭୧ ପ୍ରତିଶତ ଘରକୁ ପିଇବା ପାଣି ଯୋଗାଣ କରାଯାଇଛି । ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ଯୋଗାଣ ସହ ଓଡ଼ିଶାରେ ଜନଧନ ଯୋଜନାରେ ଗ୍ରାମାଂଚଳରେ ବ୍ୟାଙ୍କ ସେବା ପହଂଚାଯାଇପାରିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ସେବା ଯୋଜନାରେ ଲୋକଙ୍କୁ ୧୦ ଲକ୍ଷ ଓ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା ଦିଆଯାଇଛି । ଏହା ବିଶ୍ୱର ସବୁଠାରୁ ବଡ଼ ସାମାଜିକ ସୁରକ୍ଷା ବୀମା ଅଟେ । ଭିତିଭୂମିର ବିକାଶ ପାଇଁ ଆମେ ସର୍ବାଧିକ ଜୋର ଦେଇଛୁ । ପୂର୍ବରୁ କେବଳ ଓଡ଼ିଶାରେ ୩ଟି ମେଡିକାଲ କଲେଜ ଥିଲା । ନରେନ୍ଦ୍ରମୋଦିଙ୍କ ସରକାର ଆସିବା ପରେ ଗତ ୧୦ ବର୍ଷରେ ନୂଆ ୭ଟି ମେଡିକାଲ କଲେଜ ତିଆରି କରାଯାଇଛି । ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାର ସବୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ଯୋଜନା କରାଯାଇଛି । ବିହାର, ଓଡ଼ିଶା ଓ ପଶ୍ଚିମବଙ୍ଗରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ସବୁ ଜିଲ୍ଲାରେ ଗୋଟିଏ ଲେଖାଏଁ “ଡେ କେୟାର ସେଂଟର” କରିବାକୁ ଯୋଜନା କରାଯାଇଛି । ନରେନ୍ଦ୍ର ମୋଦିଙ୍କ ସରକାରରେ ଓଡ଼ିଶାରେ ରେଳର ଭିତିଭୂମିକୁ ସୁଦୃଢ଼ କରାଯାଇଛି । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟରେ ରେଳପଥର ବିକାଶ ପାଇଁ ବାର୍ଷିକ ହାରାହାରି ମାତ୍ର ୮୩୮କୋଟି ଟଙ୍କାର ଅନୁଦାନ ମିଳୁଥିଲା । ବର୍ତମାନ ଏହା ବାର୍ଷିକ ହାରାହାରି ୧୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ମିଳୁଛି । ସେହିପରି ରାଜ୍ୟରେ ବର୍ତମାନ ୪୮ଟି ରେଳପ୍ରକଳ୍ପ ପାଇଁ ୭୩ ହଜାର ୭୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏଥିସହ ଓଡିଶାରେ ୫୯ଟି ଅମୃତ ଷ୍ଟେସନ ପାଇଁ ୨୩୭୯ କୋଟି ବ୍ୟୟବରାଦ କରାଯାଇଛି । ଏହାବାଦ ୬ଟି ବନ୍ଦେ ଭାରତ ଟ୍ରେନ, ଗୋଟିଏ ଅମୃତ ଭାରତ ଟ୍ରେନ ଓଡ଼ିଶା ପାଇଁ ଦିଆଯାଇଛି । ଓଡ଼ିଶାରେ ପେଟ୍ରୋଲିୟମ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମଧ୍ୟ ଭାଜପା ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି । ମହାନଦୀରେ ହୀରାକୁଦ ଡ୍ୟାମ ଓ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ କୃଷି ଓ କୃଷକର ବିକାଶ ପାଇଁ ମଧ୍ୟ ମୋଦିଜୀ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଏହାଛଡ଼ା ଶିକ୍ଷା କ୍ଷେତ୍ରରେ ସବୁ ସ୍କୁଲରେ ଅଟଳ ଇନୋଭେସନ ସେଂଟର, ପିଏମ୍‌ଶ୍ରୀ ଭଳି ଯୋଜନା ଲାଗୁ କରାଯିବା ସହ ଆଇଆଇଟି ବିସ୍ତାର କରିବାକୁ ଯୋଜନା କରାଯାଇଛି । ଦେଶର ଆସନ୍ତା ୫ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ୫୦ହଜାର ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା ହେବାକୁ ଥିଲାବେଳେ ଓଡିଶାରେ ପ୍ରାୟ ୮୬୩ ଅଟଳ ଟିଙ୍କରିଂ ଲ୍ୟାବ ଖୋଲିବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି । ଭାରତନେଟ୍ ପ୍ରକଳ୍ପ ଅଧୀନରେ ଇଂଟରନେଟ୍ ଓ ବ୍ରଡବ୍ୟାଣ୍ଡ ସଂଯୋଗ ନଥିବା ସମସ୍ତ ୩୬୫୯ଟି ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ଗ୍ରାମଂଚଳର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଇଂଟରନେଟ୍ ଓ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।
ସେହିପରି ଦେଶର ଉପକୂଳଗୁଡ଼ିକର ବିକାଶ ପାଇଁ ୨୫ ହଜାର କୋଟି ଟଙ୍କାର ଏକ କର୍ପସ ଫଣ୍ଡ ଗଠନ କରାଯାଇଛି । ମୋଦିଜୀଙ୍କ ଯୋଗୁ ଓଡ଼ିଶାରେ ଏବେ ୫ଟି ଏୟାରପୋର୍ଟ ଥିଲାବେଳେ ପୂର୍ବ ସରକାର ସମୟରେ ଏହି ସଂଖ୍ୟା ୧ ଥିଲା । ଆଗକୁ ଓଡ଼ିଶା ଆହୁରି ୫ରୁ ୬ଟି ଏୟାରପୋର୍ଟ ଖୋଲିବାର ଯୋଜନା ରହିଛି । ଆଗକୁ ଓଡ଼ିଶା କିଭଳି ଦେଶର ସବୁଠାରୁ ବଡ଼ ଟସର ସିଲ୍କ ଉପାଦନକାରୀ ରାଜ୍ୟ ହୋଇପାରିବ ସେଥିପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ବିଶ୍ୱରେ ଭାରତ ସବୁଠାରୁ ବଡ଼ ସିଲ୍କ ଉତ୍ପାଦନକାରୀ ରାଷ୍ଟ୍ର ହେବାକୁ ଥିଲାବେଳେ ଓଡ଼ିଶା ବିଭିନ୍ନ ଶିଳ୍କର କିପରି ହବ୍ ବନିବ ସେଥିପାଇଁ ଯୋଜନା କରାଯାଇଛି । ରାଜ୍ୟର ୪ରୁ ୫ଟି ଜିଲାକୁ ବୟନ ଶିଳ୍ପ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଆଗାମୀ ୫ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ଜିଲାକୁ ପର୍ଯ୍ୟଟନ ସହ ଯୋଡ଼ାଯାଇ ବୟନଶିଳ୍ପ ବ୍ୟବସାୟକୁ ସୁଦୃଢ଼ କରାଯିବ । ଉକ୍ତ ଜିଲ୍ଲାରେ ସମସ୍ତ ବୁଣାକାରଙ୍କ ଆମଦାନୀ କିପରି ବଢ଼ିବ ସେଥିପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଦେଶର ଏଫ୍‌ଡିଆଇ ୩୦୪ ବିଲୟନ ଡଲାରରୁ ବଢ଼ି ୭୦୦ ବିଲିୟନ ଡଲାରରେ ପହଂଚିଛି । ବୈଦେଶିକ ମୁଦ୍ରା ପାଂଠି ୨୫୦ରୁ ବଢ଼ି ୬୫୦ ବିଲିୟନ ଡଲାରରେ ପହଂଚିଛି । ପୂର୍ବରୁ ଦେଶର ରପ୍ତାନୀ ମାତ୍ର ୧୯ ଲକ୍ଷ କୋଟି ଟଙ୍କା ଥିଲାବେଳେ ମୋଦିଜୀଙ୍କ ନେତୃତ୍ୱରେ ଏହା ବୃଦ୍ଧି ପାଇ ୮୦ ଲକ୍ଷ କୋଟି ଟଙ୍କାରେ ପହଂଚିଛି । କଂଗ୍ରେସ କେବଳ ଗରିବ ହଟାଓ ନାରା ଦେଇଥିବାବେଳେ ବିଜେପି ସରକାର ୩୦ କୋଟି ଲୋକଙ୍କୁ ଗରିବ ସୀମାରେଖାରୁ ଉର୍ଦ୍ଧ୍ୱକୁ ଉଠାଇବାରେ ସଫଳ ହୋଇଛି ବୋଲି ଶ୍ରୀ ସିଂହ କହିଛନ୍ତି ।
ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି, କେନ୍ଦ୍ର ସରକାର ଭଳି ରାଜ୍ୟ ସରକାର ମଧ୍ୟ ରାଜ୍ୟବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟି ଦେଇ ଏକ ସମାବେଶୀ ଓ ସର୍ବସ୍ପର୍ଶୀ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ଗରୀବ, ଯୁବବର୍ଗ, କୃଷକ, ମହିଳାଙ୍କ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ୨୦୩୬ରେ ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତି ପାଳନ ହେବ । ଆଗାମୀ ୧୨ ବର୍ଷରେ ଓଡ଼ିଶାକୁ ବିକଶିତ ଓ ଆତ୍ମନିର୍ଭରଶୀଳ କରିବାକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବଜେଟ୍ ପ୍ରସ୍ତୁତ କରାଯାଇଛି । ପଛୁଆ ଅଂଚଳଗୁଡ଼ିକର ସନ୍ତୁଳିତ ଓ ସମତୁଳ ବିକାଶ ପାଇଁ ବଜେଟ୍‌ରେ ବିଶେଷ ଧ୍ୟାନ ଦିଆଯାଇଛି । ଓଡ଼ିଶାର ଭିତିଭୂମିର ବିକାଶ ପାଇଁ ରେକର୍ଡ ୩୭ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ୪୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଓଡ଼ିଆ ଭାଷା ସଂସ୍କୃତିକୁ ବିଶ୍ୱ ଦରବାରରେ ପହଂଚାଇବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟ ବଜେଟ୍‌ରେ ସବୁ ବର୍ଗ, ସବୁ ଶ୍ରେଣୀ ଓ ସବୁ କ୍ଷେତ୍ରର ବିକାଶ ପାଇଁ ଯୋଜନା କରାଯାଇଛି ବୋଲି ଶ୍ରୀ ପୁଜାରୀ କହିଛନ୍ତି ।
ରାଜ୍ୟ ସଭପତି ଶ୍ରୀ ମନମୋହନ ସାମଲ କହିଛନ୍ତି, ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି ଯେଉଁ ବଜେଟ୍ ଆଣିଛନ୍ତି ତାହା ଏକ ଯୁଗାନ୍ତକାରୀ ବଜେଟ୍ । ବିକଶିତ ଓଡିଶା ଗଠନରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ବଜେଟ୍‌ରେ ଯୋଜନାବ୍ୟୟ ଅଟକଳ ଆକାରରେ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ରାବଧାନ ରଖାଯାଇଛି ଯାହା ପୂରା ବଜେଟ୍‌ର ୫୯ ପ୍ରତିଶତ । ମୋଦିଜୀ ସମସ୍ତଙ୍କୁ ପକ୍କା ଘର ପ୍ରଦାନ କରିବା ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି. ତାହ ପୂରଣ କରିବା ପାଇଁ ଏହି ବଜେଟ୍‌ରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଢ଼େ ୪ ହଜାର କୋଟି ଓ ମୁଖ୍ୟମନ୍ତ୍ରୀ ଅର୍ନ୍ତୋଦୟ ଗୃହ ଯୋଜନାରେ ୨୬୦୦ କୋଟି ବ୍ୟୟବରାଦ ହେବା ଓଡ଼ିଶାର ଗରିବ ଲୋକଙ୍କ ମନରେ ଖୁସି ସଂଚାର କରିଛି । ସମାଜର ତଳ ପାହାଚରେ ଥିବା ଲୋକେ କିପରି ଲାଭାନ୍ୱିତ ହୋଇପାରିବେ, ସେଥିପାଇଁ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି । ଆମ ସଂକଳ୍ପପତ୍ରରେ ଥିବା ପ୍ରତିଶ୍ରୁତିଗୁଡ଼ିକୁ ପୂରଣକରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତବଦ୍ଧ, ସେଥିପାଇଁ ବଜେଟ୍‌ରେ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ଏଭଳି ଐତିହାସିକ ଓ ଦୁରଦୃଷ୍ଟିସଂପନ୍ନ ବଜେଟ ପାଇଁ ରାଜ୍ୟ ବିଜେପି ସରାକାରକୁ ଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ସୀମାଂଚଳ ଖଟେଇ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ ।
ସେହିପରି ବିକଶିତ ଭାରତ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ବଜେଟ ସଂପର୍କରେ ଏକ ବୁଦ୍ଧିଜୀବି ସମ୍ମିଳନୀ ଆୟୋଜନ ହୋଇଥିଲା । ରାଜ୍ୟର ବିଭିନ୍ନ ଶ୍ରେଣୀ ଓ ବର୍ଗର ପ୍ରତିନିଧିମାନେ ଏହି ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇ ସେମାନଙ୍କ ସୁଚିନ୍ତିତ ମତାମତ ଦେବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ବଜେଟର ଉପାଦେୟତାକୁ ହୃଦୟଙ୍ଗମ କରି ବଜେଟକୁ ପ୍ରଶଂସା କରିଥିଲେ । ଏହି ଅବସରରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ରାଜ୍ୟ ସଭାପତି ଶ୍ରୀମନମୋହନ ସାମଲ ଏବଂ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରମୁଖ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here