ଚତୁର୍ଥ ରାଜ୍ୟସ୍ତରୀୟ ସମାବର୍ତ୍ତନ ଉତ୍ସବ-୨୦୨୫

0
9

ପୋଲସରା ୧୮/ ୨ /୨୫ : ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ସ୍ଥିତ ସାହିତ୍ୟ ଅନୁଷ୍ଠାନ ଗୁଞ୍ଜନ ସାହିତ୍ୟ ସଂସଦର ଚତୁର୍ଥ ରାଜ୍ୟସ୍ତରୀୟ ସମାବର୍ତ୍ତନ ଉତ୍ସବ ୨୦୨୫ ପାଳିତ ହୋଇ ଯାଇଛି। ଉକ୍ତ ଉତ୍ସବରେମୁଖ୍ୟ ଅତିଥି ଭାବେ ସେବା ନିବୃତ୍ତ ପ୍ରଶାସନିକ ଅଧିକାରୀ ଦୁର୍ଗା ପ୍ରସାଦ ଦାଶ, ମୁଖ୍ୟ ବକ୍ତା ଭାବେ ସିମାଞ୍ଚଳ ମିଶ୍ର, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ମୁରଲୀ ଧର ନନ୍ଦ, ପ୍ରଫେସର ଡକ୍ଟର ସମୀର କୁମାର ଭୋଇ ଓ ଆସିକା ଚିନି ଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଉତ୍ସବକୁ ସାହିତ୍ୟିକ ରାମନାଥ ମାଝୀ ପୌରହିତ୍ୟ କରିଥିବାବେଳେ ସଂପାଦକ ଯଜ୍ଞଦତ୍ତ ସାମନ୍ତରାୟ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାଶ ପ୍ରଦୀପ ପ୍ରଜ୍ବଳନ ପୁର୍ବକ ଉଦଘାଟନ କରିଥିଲେ। ଆରାଧ୍ୟା ମିଶ୍ର ବନ୍ଦେ ଉତ୍କଳ ଜନନୀ ଓ କବିସୂର୍ଯ୍ୟଙ୍କ ଚମ୍ପୂ ଗାନ କରିଥିଲେ। ପ୍ରଥମ ଅଧିବେଶନ ସଭା ମୁଖ୍ୟଙ୍କ ଦ୍ଵାରା ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅତିଥି ପରିଚୟ ଓ ସଂପାଦକୀୟ ବିବରଣୀ ପାଠ ପରେ ସାହିତ୍ୟ ସଂସଦର ମୁଖପତ୍ର “ଅନୁରାଗର ଗୁଞ୍ଜନ” ଓ କବି ପ୍ରକାଶ ଚନ୍ଦ୍ର ମୁନିଙ୍କ କବିତା ସଂକଳନ “ବିଦଗ୍ଧ ରାଧାମାଧବ” ମୁଖ୍ୟ ଅତିଥିଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା। କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମ ସ୍ଥାନ ଆଠଗଡ଼ ସହିତ ତାହାଙ୍କ ସାହିତ୍ୟ କୃତି ଏକ ଅଷ୍ଟଦୁର୍ଗ ଇତିହାସ ସଂପର୍କରେ ଅତିଥି ମାନେ ଆଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଶାର ଛଅ ଜଣ ସାରସ୍ଵତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାଞ୍ଛାନିଧି ଚୌଧୁରୀ ସାହିତ୍ୟ ସମ୍ମାନ ବର୍ଷୀୟାନ ପ୍ରାବନ୍ଧିକ ଡକ୍ଟର କାର୍ତ୍ତିକ ଚନ୍ଦ୍ର ରାଉତ, ଭଗବାନ ସାମନ୍ତରାୟ ସ୍ମୃତି ସମ୍ମାନ ବିଶିଷ୍ଟ ସାହିତ୍ୟିକ ହରିହର ଚୌଧୁରୀ, ମାନସଲକ୍ଷ୍ମୀ ପଟ୍ଟନାୟକ ସ୍ମୃତି ସମ୍ମାନ ବରିଷ୍ଠ ଗାଳ୍ପିକ ଗୋପବନ୍ଧୁ ପଟ୍ଟନାୟକ, ଲିଙ୍ଗରାଜ ମହାପାତ୍ର ସ୍ମୃତି ସମ୍ମାନ ଗୀତ କବି ଧନଞ୍ଜୟ ସ୍ୱାଇଁ, ବାସୁଦେବ ଚୌଧୁରୀ ଶିଶୁ ସାହିତ୍ୟ ସମ୍ମାନ ଶିଶୁ ସାହିତ୍ୟିକ ବିପିନ ବିହାରୀ ଶତପଥୀ, ସୁବାସ ପାତ୍ର ଯୁବ ପ୍ରତିଭା ସମ୍ମାନ ଯୁବ ଗାଳ୍ପିକ ଇଂ.ଘନଶ୍ୟାମ ପଲେଇ ପ୍ରମୁଖଙ୍କୁ ଊତ୍ତରୀୟ, ଫଳକ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସଂହାର ଓ ଧନ୍ୟବାଦ ଅର୍ପଣ କରିଥିଲେ ସହ ସଂପାଦକ ବିଷ୍ଣୁ ଚରଣ ପଟ୍ଟନାୟକ। ଦ୍ଵିତୀୟ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ସଭା ମୁଖ୍ୟ ଥିଲେ ସାହିତ୍ୟିକ ମିହିର କୁମାର ଶତପଥୀ ଓ ମୁଖ୍ୟ ଅତିଥି ଥିଲେ ଶିକ୍ଷାବିତ୍ ମୁରଲୀ ଧର ନନ୍ଦ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। କବୟିତ୍ରୀ ଦିବ୍ୟାନୀ ମାର୍ଥା ଓ ତପସ୍ଵିନୀ ମିଶ୍ର କବିତା ଗୁଡ଼ିକୁ ସଂଯୋଜନା କରିଥିଲେ। କୁନିଗାୟିକା ଆରାଧ୍ୟା ମିଶ୍ର, କବି ପ୍ରମୋଦ କୁମାର ରାଉଳ ଓ ଅରୁଣ କୁମାର ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଷ୍ଣୁ ଚରଣ ପଟ୍ଟନାୟକ, ରାମେଶ୍ବର ସାହୁ, ଅନନ୍ତ ବିଡ଼ିକା, ସୁଶାନ୍ତ ଲେଙ୍କା ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here