ପୋଲସରା/ବୁଗୁଡା , ୧୧/୩/୨୫ : ଯୁବକ ଓ ଯୁବତୀ ବ୍ରହ୍ମପୁରରେ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ବେଳେ ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବାର ମିଥ୍ୟା ପ୍ରତିଶୃତି ଦେଇ ପ୍ରେମ ସମ୍ପର୍କ ରଖି ପରେ ଧୋକା ଦେବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି। ଯୁବତୀ ଜଣକ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଓ ପୋଲିସ ଥାନା ଅନ୍ତର୍ଗତ ଏକ ଗ୍ରାମର ହୋଇଥିବା ବେଳେ ପୁଅ ଜଣକ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଓ ଥାନା ଅନ୍ତର୍ଗତ କେନ୍ଦୁବାଡି ଗ୍ରାମର ମନ୍ମୟ ଭୂୟାଁ ବୋଲି ଜଣାପଡିଛି। ଯୁବକ ମନ୍ମୟ ଭୂୟାଁ ବ୍ରହ୍ମପୁରର ବଡବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗରରେ ଭଡାଘରେ ରହୁଥିଲେ । ଯୁବକ ଓ ଯୁବତୀ ଦୁହେଁ ସରକାରୀ ଚାକିରୀ ପାଇଁ ଏକ ଅନୁଷ୍ଠାନରେ ପ୍ରସ୍ତୁତ ହେଉଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଯୁବତୀ ଜଣଙ୍କୁ ମନ୍ମୟ ଭୂୟାଁ ଶ୍ରୀରାମ ନଗର ନିଜ ଭଡା ଘରକୁ ଡାକି ବିବାହ କରିବାକୁ ପ୍ରତିଶୃତି ଦେବା ସହ ଘରେ ରାଜି ନହେଲେ ୧୫ ଦିନ ମଧ୍ୟରେ କୋର୍ଟ ମ୍ୟାରେଜ କରିବାକୁ କହି ଯୁବତୀଙ୍କ ଅନିଚ୍ଛା ସ୍ବତ୍ତେ ଦୈହିକ ସମ୍ପର୍କ ରଖିଥିଲେ। ଏହାପରେ ବିବାହ କରିବା ପାଇଁ ଯୁବତୀ ଜଣଙ୍କ କହିବା ପରେ ଜୀବନରେ ମାରିଦେବାକୁ ଓ ଅଶ୍ଳୀଳ ଫୋଟ ଭାଇରାଲ କରିବାକୁ ଧମକ ଦେଇଥିଲେ। ଯୁବତୀ ଜଣକ ମନ୍ମୟ ଭୂୟାଁଙ୍କ ବାପାକୁ ମିଶି ସବୁ କହିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଯାହା ଫଳରେ ଯୁବତୀ ଜଣଙ୍କ ବ୍ରହ୍ମପୁର ବଡବଜାର ପୋଲିସ ଥାନାରେ ମାର୍ଚ୍ଚ ୬ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବଡବଜାର ପୋଲିସ ଥାନା ଆଇଆଇସି ବାବା ଶଙ୍କର ସରାଫ କେଶ ନମ୍ବର ୧୦୪/୨୫ ଧାରା ୬୯/୩୫୧(ଏ) ପ୍ରକାର ଏକ ମାମଲା ରୁଜ୍ଜୁ କରି ଥାନା ସବାଇନ୍ସପେକ୍ଟର ଆର.କେ.ପ୍ରଧାନଙ୍କୁ ଅନୁସନ୍ଧାନ ଦାୟିତ୍ୱ ଦେଇଥିଲେ। ଅନୁସନ୍ଧାନ ପରେ ମନ୍ମୟ ଭୂୟାଁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।