ବୁଗୁଡା, ୨୪/୩/୨୫ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା ୟୁନିଟ ୧ ଓ ୨ ପକ୍ଷରୁ ଆଦିପୁର ନିକଟସ୍ଥ ଦିବ୍ୟ ଦର୍ଶନ ଜରାଶ୍ରମ ପରିସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ମୁଖ୍ୟ ଅତିଥି ଓ ଶୈକ୍ଷିକ ଅଧିକାରୀ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏନଏସଏସ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ୟୁନିଟ ୧ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଈ ଓ ୟୁନିଟ ୨ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା ସାମନ୍ତରା ଉପସ୍ଥିତ ସ୍ୱେଚ୍ଛାସେବୀଙ୍କୁ ନିଜର କର୍ତ୍ତବ୍ୟ ଓ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ବୃନ୍ଦ ପ୍ରଥମେ ଦିବ୍ୟ ଦର୍ଶନ ଜରାଶ୍ରମ ପରିସର ସଫା କରିଥିଲେ। ପରେ ସ୍ୱେଚ୍ଛାସେବୀ ବୃନ୍ଦ ଜରାଶ୍ରମର ଅନ୍ତେବାସୀଙ୍କ ସହ ଭାବର ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ କଲେଜ ପ୍ରିନ୍ସପାଲ ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରିଥିଲେ। ଜରାଶ୍ରମର ଅନ୍ତେବାସୀ ବୃନ୍ଦ ନିଜର ପରିବାର ଓ ସମାଜ ଠାରୁ ଦୂରେଇ ରହି ଯେଉଁ ମାନସିକ ଯନ୍ତ୍ରଣା ଅନୁଭବ କରୁଛନ୍ତି ତାହା ପ୍ରକାଶ କରିଥିଲେ। ଅବଶ୍ୟ ନିଜର ଆତ୍ମୀୟ ଜନଠାରୁ ଯେଉଁ ନିର୍ଯ୍ୟାତନା ପାଉଥିଲେ ଜରାଶ୍ରମରେ ରହି ଭଗବାନଙ୍କୁ ଧ୍ୟାନ କରି ତାହା ଭୁଲି ଯାଉଥିବା ପ୍ରକାଶ କରିଥିଲେ। ଏହିପରି ଦୁଃଖଦ ବିଷୟ ଜାଣିବା ପରେ ସମାଜରେ ଏହି ବିଷୟରେ ସଚେତନତା ସୃଷ୍ଟି କରିବାକୁ ସ୍ୱେଚ୍ଛାସେବୀ ବୃନ୍ଦ ସ୍ଥିର କରିଥିଲେ।