ବ୍ରହ୍ମପୁର,୩୦/୦୩/୨୦୨୫: ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇଥିବା ଉଚ୍ଚ ମାଧ୍ୟମିକ ଶ୍ରେଣୀ ପରୀକ୍ଷା ୨୭ରେ ଶେଷ ହୋଇଛି। ଦକ୍ଷିଣାଞ୍ଚଳ ଆଠଟି ଜିଲ୍ଲାରେ ଶୃଙ୍ଖଳାର ସହ ପରୀକ୍ଷା ସରିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆଞ୍ଚଳିକ ଉପସଚିବ ଡ. କୁଳମଣି ଓଝା ସୂଚନା ଦେଇଛନ୍ତି। ଆସନ୍ତା ୨ରୁ ଖାତା ମୂଲ୍ୟାୟନ ଆରମ୍ଭ ହୋଇ ଏପ୍ରିଲ୍ ୨୮ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଖାତାଦେଖା ପାଇଁ ଗଞ୍ଜାମ ଜିଲ୍ଲାରେ ୫ଟି, କନ୍ଧମାଳରେ ୨ଟି ଓ ଗଜପତି ଜିଲ୍ଲାରେ ଗୋଟିଏ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଛତ୍ରପୁର ସରକାରୀ ବିଜ୍ଞାନ କଲେଜ, ବ୍ରହ୍ମପୁରସ୍ଥିତ ଶଶିଭୂଷଣ ରଥ ସରକାରୀ ମହିଳା କଲେଜ ଓ ସିଟି କଲେଜ, ହିଞ୍ଜିଳି ବିଜ୍ଞାନ କଲେଜ ଏବଂ ଭଞ୍ଜନଗର କେଏସୟୁବି କଲେଜରେ ଖାତାଦେଖା ହେବ। ସେହିଭଳି ଫୁଲବାଣୀ ଓ ବାଲିଗୁଡ଼ା କଲେଜ ଏବଂ ଗଜପତି ଜିଲ୍ଲା ଏସକେସିଜି ରେ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ହେବ।ଅଫ୍ ଲାଇନ୍ ଖାତାଦେଖା ୨ରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ ଏବଂ ଅନ୍ ଲାଇନ୍ ଖାତାଦେଖା ୧୬ରୁ ଆରମ୍ଭ ହୋଇ ୨୮ରେ ଶେଷ ହେବ। ଖାତାଦେଖା ସମ୍ପର୍କରେ ଶଶିଭୂଷଣ ରଥ କଲେଜ ଅଧ୍ୟକ୍ଷ ଡ଼. ଚିତ୍ତରଞ୍ଜନ ଶତପଥୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଏଠାରେ ଇତିହାସ, ରାଜନୀତି ବିଜ୍ଞାନ, ଗୃହ ବିଜ୍ଞାନ ଓ ଓଡ଼ିଆ ଖାତା ଦେଖା ହେବ। ୪୦ ହଜାରରୁ ଅଧିକ ଖାତା ଦେଖାଯିବ। ସେଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଉଦ୍ଭିଦ ବିଜ୍ଞାନ ବିଭାଗ ସହକାରୀ ପ୍ରଫେସର୍ ଭାଗିରଥୀ କାଣ୍ଡି ମୂଲ୍ୟାୟନ ଦାୟିତ୍ୱରେ ରହିଥିବା ସେ କହିଛନ୍ତି।