ବ୍ରହ୍ମପୁର,୩୦/୦୩/୨୦୨୫:
ରବିବାର ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ଅବସର ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ବ୍ରହ୍ମପୁର ନଗର ତରଫରୁ ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ପବିତ୍ର ଗୈରିକ ଭଗବା ଧ୍ଵଜ ଓ ଘୋଷବାଦ୍ୟ ସହ ଗଣବେଶଧାରୀ ସ୍ୱୟଂସେବକ ମାନେ ପଥସଞ୍ଚଳନ (ରୁଟ୍ମାର୍ଚ୍ଚ) କରିଥିଲେ।ଗୋସାଇଁନୂଆଗାଁ କାଳୁଆ ମନ୍ଦିରରୁ ପଥସଞ୍ଚଳନ ବାହାରି ବିଜିପୁର ପର୍ଯ୍ୟନ୍ତ ଯାଇ ପୁଣି ଫେରିଥିଲା ।ସେଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ସହ-ନଗର କାର୍ଯ୍ୟବାହ ନୀଳକଣ୍ଠ ଚୌଧୁରୀ,ମୁଖ୍ୟ ବକ୍ତା ଜିଲ୍ଲା ବୌଦ୍ଧିକ ପ୍ରମୁଖ ଡି. ବାବୁଲା ଦୋରା, ସଭାପତି ତଥା ଜଗନ୍ନାଥ ଉପନଗର କାର୍ଯ୍ୟବାହ ପିଣ୍ଟୁ ସାହୁ ମଞ୍ଚାସୀନ ଥିଲେ । ହଜାର ହଜାର ବର୍ଷ ପ୍ରାଚୀନ ଭାରତୀୟ କାଳଗଣନା ପଦ୍ଧତି ଅନୁସାରେ ଏହି ଦିବସର ପୌରାଣିକ ଓ ଐତିହାସିକ ମହତ୍ତ୍ବ ବର୍ଣ୍ଣନା କରିଥିଲେ ମୁଖ୍ୟବକ୍ତା । ସେହିପରି ସଂଘ ସ୍ଥାପନାର ଶତବାର୍ଷିକୀ ଅବସରରେ ଚଳିତ ବର୍ଷ ପଞ୍ଚ ପରିବର୍ତ୍ତନର
ସଂକଳ୍ପ ଯଥା ଜାତି ପନ୍ଥ ଭେଦଭାବ ଶୂନ୍ୟ ସାମାଜିକ ସମରସତା, ପ୍ରକୃତି ତଥା ପରିବେଶ ସଂରକ୍ଷଣ,
କୁଟୁମ୍ବ ସଂସ୍କାର ପ୍ରବୋଧନ, ନାଗରିକ କର୍ତ୍ତବ୍ୟ ଓ ସ୍ବଦେଶୀ ଦିଗରେ ସ୍ବୟଂସେବକମାନେ କାର୍ଯ୍ୟ
କରିବାକୁ ଆହ୍ବାନ ଦେଇଥିଲେ ସେ । ସନ୍ଧ୍ୟାରେ ମନ୍ଦିରରେ ମହାଆଳତୀ କରାଯାଇଥିଲା ।ସେହିପରି ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବଡ଼ବଜାର, ଆସିକା ରୋଡ୍ ଓ ଇଞ୍ଜିନିୟରିଂ ସ୍କୁଲ ଅଞ୍ଚଳରେ ମଧ୍ୟ ବିଭିନ୍ନ ଶାଖାର ସ୍ୱୟଂସେବକମାନେ ସମ୍ମିଳିତ ହୋଇ ରାଷ୍ଟ୍ରୀୟ ନବବର୍ଷ ପାଳିଥିଲେ । ସ୍ୱୟଂସେବକ ଓ କାର୍ଯ୍ୟକର୍ତ୍ତାମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ ।