ବ୍ରହ୍ମପୁର,୧୦/୦୫/୨୦୨୫:ସ୍ଥାନୀୟ ଏମ୍କେସିଜି ମେଡିକାଲ କଲେଜ ନୂତନ ଅଡିଟୋରିୟମ ପରିସରରେ ଜାତୀୟ ସମ୍ମିଳନୀ ଡଟକନ୍-୨୦୨୫ ଆଜି ଉଦ୍ଘାଟିତ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବାକୁ ଥିବା ଏହି ସମ୍ମିଳନୀରେ ମଧୁମେହ, ମେଦବହୁଳତା ଓ ଗଳଗଣ୍ଡକ ରୋଗର ଚିକିତ୍ସା ଉପରେ ବିଶେଷଜ୍ଞମାନେ ନିଜର ଗବେଷଣାତ୍ମକ ଚିକିତ୍ସା ପଦ୍ଧତି ଉପରେ ସୂଚନା ଦେଇଛନ୍ତି। ମଧୁମେହ, ମେଦବହୁଳତା ଏବଂ ଗଳଗଣ୍ଡକ ରୋଗ ଦେଶରେ ଉଦ୍ବେଗଜନକ ଭାବରେ ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ପ୍ରାୟ ଶତକଡ଼ା ୯ ପ୍ରତିଶତ ଭାରତୀୟ ବୟସ୍କମାନେ ମଧୁମେହ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ପ୍ରାୟ ଶତକଡ଼ା ୧୨ ପ୍ରତିଶତ ଲୋକେ ଦେଶରେ ଗଳଗଣ୍ଡକ ଏବଂ ମେଦବହୁଳତା ରୋଗରେ ପୀଡ଼ିତ। ଏହି ରୋଗର ଚିକିତ୍ସା ପାଇଁ ନୂତନ ନିଦାନ ପଦ୍ଧତି ଏବଂ ନୂତନ ଔଷଧର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତ ରଖିଥିଲେ।ବ୍ରହ୍ମପୁର ଏମକେସିଜି ମେଡିକାଲ ଏଣ୍ଡୋକ୍ରୋନୋଲାଜି ବିଭାଗ ଓ ଡିଓଟିଏଏର ମିଳିତ ସହଯୋଗରେ ଏହି ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏମକଜସିଜି ମେଡିକାଲ କଲେଜ ଏଣ୍ଡୋକ୍ରିନୋଲାଜି ବିଭାଗର ମୁଖ୍ୟ ତଥା ସମ୍ମିଳନୀର ସାଙ୍ଗଠନିକ ଅଧ୍ୟକ୍ଷ ପ୍ରଫେସର ଡା. ପି. ରବି କୁମାର ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ଜମ୍ମୁ-କଶ୍ମୀର ସ୍ଥିତ ଏସ୍ଟ ନିର୍ଦ୍ଦେଶକ ପ୍ରଫେସର ଡା.ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଠିକ୍ ସମୟରେ ରୋଗ ନିର୍ଣ୍ଣୟ କରିବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ ନିହାତି ଆବଶ୍ୟକ ବୋଲି ସେ କହିଥିଲେ। ଏସ୍ ସି ବି ମେଡିକାଲ କଲେଜ ଏଣ୍ଡୋକ୍ସିନୋଲାଜି ବିଭାଗର ମୁଖ୍ୟ ପ୍ରଫେସର ଡା. ଏସ ଆର
ପଟ୍ଟନାୟକ ଏହି ସମ୍ମିଳନୀ ଦ୍ୱାରା ନୂତନ ଚିକିତ୍ସା ପଦ୍ଧତିକୁ ସାମ୍ନାକୁ ଆସି ପାରିବ । ଯାହା ଦ୍ଵାରା ରୋଗୀ ଉପକୃତ ହେବେ ବୋଲି କହିଥିଲେ। ଏଭଳି ସମ୍ମିଳନୀର ଆୟୋଜନ କରି ରାଜ୍ୟ ଏବଂ ରାଜ୍ୟ ବାହାର ଡାକ୍ତରଙ୍କ ନିକଟରେ ଚିକିତ୍ସା ବିଜ୍ଞାନର ନୂତନ ଜ୍ଞାନ,କୌଶଳୀ ପହଞ୍ଚାଇବା ପାଇଁ ଏଣ୍ଡୋକ୍ରନୋଲୋଜି ବିଭାଗର ଉଦ୍ୟମକୁ ଏମକେସିଜି ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡା. ସୁଚିତ୍ରା ଦାଶ ପ୍ରଶଂସା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏମ୍ସିଜି ମେଡିକାଲ କଲେଜର ରେଜିଷ୍ଟ୍ରାର୍ ଶ୍ରୀ ସଂଗ୍ରାମ ପଣ୍ଡା ଉପସ୍ଥିତ ରହିଥିଲେ। ଡା. ଦୀପକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ଡା. ଦେବାଶିଷ ପାତ୍ର ଏବଂ ଡା. ଜୀବନ କୁମାର ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ।