ଛତ୍ରପୁର,୧୧/୦୬/୨୦୨୫: ଗଞ୍ଜାମ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଓ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ବୈଠକ ବୁଧବାର ଦିନ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳିନ ବିଭାଗର ଡେପୁଟି କଲେକ୍ଟର ଅଭିଷେକ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କହିଥିଲେଯେ, ଗଞ୍ଜାମ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା । ବର୍ତ୍ତମାନ ମୌସୁମୀ ଆସିବାକୁ ଯାଉଛି । ଏଣୁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପଡିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମସ୍ତ ବିଭାଗର ସମନ୍ବୟ ରହିଲେ ଏହାକୁ ସହଜରେ ମୁକାବିଲା କରିପାରିବା ବୋଲି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଦେବଦତ୍ତ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେ । ବର୍ତ୍ତମାନ ସମୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ଏତେ ଉନ୍ନତ ଯେ, ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିବା ପୂର୍ବରୁ ପ୍ରାକ୍ ସୂଚନା ପାଇପାରୁଛୁ । ଯାହା ଫଳରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିପାରୁଛେ ।
ସମସ୍ତ ବ୍ଲକ୍ ସ୍ତରରେ ୧୬ ତାରିଖ ସୁଦ୍ଧା ପ୍ରସ୍ତୁତି ବୈଠକ କରି ୧୮ ତାରିଖ ଦିନ ଟେବୁଲ୍ ଟପ୍ ଅଭ୍ଯାସ କରିବାକୁ କୁହାଯାଇଥିଲା । ଜିଲ୍ଲା ସଦର ମହକୁମାରେ ସେହିଦିନ ପୂର୍ବାହ୍ନରେ ଏବଂ ବ୍ଲକ୍ ଓ ସହରାଞ୍ଚଳରେ ରେ ପ୍ରାକୃତିକ ବିପର୍ଯ୍ୟୟ ନିମନ୍ତେ ସେହି ଦିନ ଅପରାହ୍ନ ସମୟରେ ଅନୁଷ୍ଠିତ ହେବ । ସେହିପରି ୧୯ ତାରିଖ ଦିନ ଜିଲ୍ଲାର ସମସ୍ତ ୧୧୦ ଗୋଟି ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଅନୁଷ୍ଠିତ ହେବ । ସେଥିରେ ଦୈବୀ ଦୁର୍ବିପାକରୁ କିଭଳି ରକ୍ଷା ପାଇପାରିବେ ତାହା ପ୍ରଦର୍ଶନ କରାଯିବ । ଭାରତୀୟ ପାଣିପାଗ ବିଭାଗରୁ ଜିଲ୍ଲାକୁ, ଜିଲ୍ଲାରୁ ବ୍ଲକ୍ କୁ ଏବଂ ବ୍ଲକ୍ ରୁ ବାତ୍ୟା ଆଶ୍ରୟ ସ୍ଥଳକୁ ବୁଲେଟିନ୍ ପ୍ରେରଣ କରାଯିବ । ସେହି ଅନୁସାରେ କିଭଳି ସତର୍କତା ଅବଲମ୍ବନ କରାଯିବ ତାହା ଜନ ସାଧାରଣଙ୍କୁ ପ୍ରଦର୍ଶିତ କରି ସଚେତନ କରାଯିବ । ଏଥିରେ ସମସ୍ତ ଲାଇନ୍ ବିଭାଗ ଯଥା – ଜିଲ୍ଲା ଜରୁରୀକାଳିନ ବିଭାଗ, ସ୍ବାସ୍ଥ୍ୟ ବିଭାଗ,ଜଳସେଚନ, ପୂର୍ତ୍ତ, ଅଗ୍ନିଶମ ସେବା ବିଭାଗ ଇତ୍ୟାଦି ଯୋଗଦେବେ । ବିପର୍ଯ୍ୟୟ ସମୟରେ ସମସ୍ତ ସ୍ବେଚ୍ଛାସେବୀ ସଂଗଠନ, ରେଡକ୍ରସ୍ ସଂସ୍ଥା, ଲୋକ ପ୍ରତିନିଧି, ଏନ.ଡି.ଆର୍.ଏଫ୍, ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ସେବା ବିଭାଗ ଏବଂ ରାଜ୍ୟ ସ୍ତରରୁ ଓସଡମା, ଏସ୍.ଆର୍.ସି. ଆଦି କର୍ମଚାରୀଗଣ କିଭଳି ସେବା ଯୋଗାଇବେ ତାହା ପ୍ରଦର୍ଶିତ କରାଯିବ । ବିଦ୍ୟାଳୟ ମହାବିଦ୍ୟାଳୟର ସ୍ବେଚ୍ଛାସେବୀଗଣ, ନେହେରୁ ଯୁବକେନ୍ଦ୍ର, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି,) ଜନ୍ ଆମ୍ବୁଲାନ୍ସ, ଆପଦା ମିତ୍ରର ସ୍ବେଚ୍ଛାସେବୀଗଣ, ଗୃହରକ୍ଷୀ ବାହିନୀ ମଧ୍ୟ ଏଥିରେ ସହଯୋଗ କରିବେ ।
ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ବ୍ରହ୍ମପୁର ବନଖଣ୍ଡର ବନଖଣ୍ଡ ଅଧିକାରୀ ସନ୍ନି ଖୋକର, ଉପ ଜିଲ୍ଲାପାଳ ଛତ୍ରପୁର ଶିବାଶିଷ ବରାଳ, ଉପ ଜିଲ୍ଲାପାଳ ଭଞ୍ଜନଗର ଉମା ଶଙ୍କର ବେହେରା, ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଓସ୍ଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ଓ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଗଣ ଯୋଗଦେଇଥିଲେ ।