ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡ଼ିକରେ ଅଗ୍ନି ନିରାପତ୍ତା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ

0
3

ଭୁବନେଶ୍ୱର, ୨୫/୦୩/୨୦୨୬ : ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାପାଳଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ବିସ୍ତୃତ ଆଲୋଚନା କରିଛନ୍ତି । ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡିକର ଅଗ୍ନି ନିରାପତ୍ତା ଭିତ୍ତିଭୂମି ନିମନ୍ତେ ନିରୀକ୍ଷଣ, ଆବଶ୍ୟକ ଏଷ୍ଟିମେଟ ଏବଂ ସମୟସୀମା ମଧ୍ୟରେ ଶେଷ କରିବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ହସ୍ପିଟାଲରେ ଅଗ୍ନି ନିରୋଧ ଓ ନିର୍ବାପନ ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରାଯାଉଛି । ସ୍ଵତନ୍ତ୍ର ଟାସ୍କ ଫୋର୍ସ ଗଠନ, ମକ୍ ଡ୍ରିଲ, ନିୟମିତ ଯାଞ୍ଚ, ଅଗ୍ନି ନିର୍ବାପକ ବ୍ୟବସ୍ଥା ସହ ଚାଲୁ ରହିଥିବା ପ୍ରକଳ୍ପ ଶୀଘ୍ର ଶେଷ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ମାନଙ୍କରେ ଏସବୁକୁ ଗୁରୁତ୍ଵର ସହ ପାଳନ ନିମନ୍ତେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସମୀକ୍ଷା ବେଳେ ମନ୍ତ୍ରୀ ମହୋଦୟ ରୋଗୀଙ୍କ ସୁରକ୍ଷାକୁ ଧ୍ୟାନ ଦେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଭାବେ ଅଗ୍ନି ସୁରକ୍ଷା ଯାଞ୍ଚ କରାଯିବ । ସମସ୍ତ ଅଗ୍ନି ନିରାପତ୍ତା ଉପକରଣ ବ୍ୟବହାର ଯୋଗ୍ୟ ରହିବା ଆବଶ୍ୟକ, ନିୟମିତ ଭାବେ ଫାୟାର ସେଫ୍ଟି ଅଡିଟ ଓ ମକ୍ ଡ୍ରିଲ୍ ଆୟୋଜନ କରାଯିବ । ଏହାସହ ଫାୟାର ସର୍ଭିସ ଓ ପୂର୍ତ୍ତ ବିଭାଗ ସହ ସମନ୍ୱୟ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ , ସ୍ଵତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ , ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ. , କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସା ଅଧିକାରୀ, ଅଗ୍ନିଶମ ଅଧିକାରୀ, ମେଡିକାଲ କଲେଜର ଅଧ୍ୟକ୍ଷ, ସୁପରିଟେଣ୍ଡେଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here