ଜାତୀୟ ସ୍ତରରେ ପୋଲସରା ବ୍ଳକର ମନ୍ଦାର ପଞ୍ଚାୟତ ଶ୍ରେଷ୍ଠ

0
16

ପୋଲସରା, ୦୩-୦୪-୨୬ : ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତ ସାମାଜିକ ସୁରକ୍ଷାରେ ସମଗ୍ର ଭାରତରେ ଶ୍ରେଷ୍ଠ ପଞ୍ଚାୟତ ଭାବେ ଘୋଷଣା ହୋଇ ଜାତୀୟ ସ୍ତରୀୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛି। ଦିନଦୟାଲ ଉପାଧ୍ୟାୟ ପଞ୍ଚାୟତ ବିକାଶ ପୁରସ୍କାର ଯୋଜନାରେ ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତକୁ ସାମିଲ କରାଯାଇଛି। ଏନେଇ କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରାଳୟର ଆର୍ଥିକ ପରାମର୍ଶ ଦାତା ବିଜୟ କୁମାର ବେହେରା ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଥିବା ବିଡ଼ିଓ ଶଶିଭୁଷଣ ମହାପାତ୍ର ଜଣାଇଛନ୍ତି । ଗତ ଏକ ବର୍ଷ ଧରି ପଞ୍ଚାୟତର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ବିଡ଼ିଓ ଶଶିଭୁଷଣ ମହାପାତ୍ର ନିଜର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ମନ୍ଦାର ପଞ୍ଚାୟତକୁ ଦେଶର ସର୍ବଶ୍ରେଷ୍ଠ ପଞ୍ଚାୟତ ଭାବେ ପରିଗଣିତ କରିଥିବା ନେଇ ମନ୍ଦାର ପଞ୍ଚାୟତର ସରପଞ୍ଚ ସୁନିତା ଜେନା ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇଛନ୍ତି। ଯାହାକି ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣି ପାରିଛି ବୋଲି ପୋଲସରା ବ୍ଲକରେ ଖୁସିର ଲହରୀ ଖେଳିଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷର ତଥ୍ୟ ଅନୁଯାଇ ଏହି ମାନ୍ୟତା ଚୟନ କରାଯାଇଛି। ଗ୍ରାମାଞ୍ଚଳରେ ହିଂସା ମୁକ୍ତ, ସୁସ୍ଥ, ନିରାମତା ଓ ସମାନତା ମୂଳକ ପରିବେଶ ସୃଷ୍ଟି କରିବା ସହ ସୁରକ୍ଷା ପ୍ରଦାନ କରିବା, ସ୍ବାସ୍ଥ୍ୟ, ଶିକ୍ଷା ଓ ପାନୀୟ ଜଳଯୋଗାଣ, ମହିଳା, ଶିଶୁ , ବୃଦ୍ଧ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସୁଯୋଗ ଦେବାର ସମସ୍ତ ପ୍ରକ୍ରିୟା ସୁନିଶ୍ଚିତ ବ୍ୟବସ୍ଥା ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଛି। ମନ୍ଦାର ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ୬୩୬ ଜଣ ଓ ରାଜ୍ୟ ସରକାରଙ୍କ ପରିଚାଳିତ ବିଭିନ୍ନ ଯୋଜନାରେ ୩୪୭ ଜଣ ହିସାବରେ ମୋଟ ୯୮୩ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା, ୩୩୭୧ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ, ୪୦୪ ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାରେ ରାସନ, ୩ଜଣ ଦିବ୍ୟାଙ୍ଗଙ୍କୁ ବସ୍ ପାସ୍, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦୪ ଜଣଙ୍କୁ ଗୃହ, ଅନ୍ତୋଦୟ ଗୃହ ଯୋଜନାରେ ୩୮ଜଣ ହିତାଧିକାରୀଙ୍କୁ ଗୃହ, ୧୧୬ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ୧୫ହଜାର ଟଙ୍କା ଲେଖାଏଁ ଋଣ ପ୍ରଦାନ, ଓ ଜନଙ୍କି ବୈବାହିକ ସହାୟତା ରାଶି ପ୍ରଦାନ କରାଯାଇଛି। ଆସନ୍ତା ଦିନରେ ଦେଶର ରାଜଧାନୀ ଦିଲ୍ଲୀରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ମନ୍ଦାର ପଞ୍ଚାୟତକୁ ଦେଶର ସର୍ବଶ୍ରେଷ୍ଠ ପଞ୍ଚାୟତ ଭାବେ ପୁରସ୍କାର ପ୍ରଦାନ କରାଯିବ ବୋଲି ପୋଲସରା ବିଡ଼ିଓ ଶଶିଭୁଷଣ ମହାପାତ୍ର ଗଣମାଧ୍ୟମ ଆଗରେ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here