ବ୍ରହ୍ମପୁର,୩୦/୦୪/୨୦୨୬:ଆଜି ଏପ୍ରିଲ ୩୦ ୨୦୨୬ ଦିନ ଆର୍ଯ୍ୟଭଟ୍ଟ ବ୍ରହ୍ମପୁର ର କାର୍ଯ୍ୟକାରିବାର ୨୦ ବର୍ଷ ପୂର୍ତି ହେଉଅଛି I ଯେଉଁ ସଙ୍କଳ୍ପର ସହ ଆର୍ଯ୍ୟଭଟ୍ଟର ଆରମ୍ଭ କରାଯାଇଥିଲା ତାହା ଅନେକାଂଶରେ ପୂର୍ଣ ହୋଇଅଛି ।
୨୦୦୬ ମହା ବିଷୁବ ସଂକ୍ରାନ୍ତି ଦିନ ବ୍ରହ୍ମପୁରର କିଛି ଅଭିଭାବକ ବନ୍ଧୁଙ୍କ ଅନୁରୋଧକ୍ରମେ ଆର୍ଯ୍ୟଭଟ୍ଟ ର ପରିକଳ୍ପନା କରାଯାଇଥିଲା I ସେଇ ବନ୍ଧୁମାନେ ମୁଁ ଆନ୍ଧ୍ରପ୍ରଦେଶରେ ଏକ ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନରେ ଅଧ୍ଯକ୍ଷ ଭାବେ କର୍ମରତ ଥିଲାବେଳେ ଅନୁରୋଧ କରିଥିଲେ ଯେ ବ୍ରହ୍ମପୁରର ଛାତ୍ରଛାତ୍ରୀମାନେ ଉପଯୁକ୍ତ ପ୍ରଶିକ୍ଷଣ ଅଭାବରୁ ପ୍ରାୟତଃ ଆଇ.ଆଇ.ଟି ପାଉନାହାନ୍ତି । ଯାହାକିଛି ଆଇ.ଆଇ.ଟି ନାଁରେ ଦିଆଯାଉଛି ତାହା ଆବଶ୍ୟକ ସ୍ତରର ନୁହଁ | ତେଣୁ ଏଠାରେ ଗୁଣାତ୍ମକ ଶିକ୍ଷା ଦାନ ପାଇଁ ଏକ ଆଇ.ଆଇ.ଟି ପ୍ରଶିକ୍ଷଣ ଅନୁଷ୍ଠାନ ମୋ ଦ୍ବାରା ଖୋଲାଯାଉ ।
ବନ୍ଧୁମାନଙ୍କ ଅନୁରୋଧ ରକ୍ଷା କରି ଅନୁଷ୍ଠାନଟି ଖୋଲା ଯାଇ ୧ ମଇ ୨୦୦୬ ଦିନ ମୋ ନିଜ ସହ ସର୍ବଭାରତୀୟ ସ୍ଥରର କିଛି ବଛା ବଛା ଶିକ୍ଷକଙ୍କୁ ନେଇ ପାଠ ପଢ଼ା ଆରମ୍ଭ କରାଗଲା I
ଆରମ୍ଭରୁ କିଛି ସଙ୍କଳ୍ପ ନିଆଯାଇଥିଲା ।
ଅନୁଷ୍ଠାନଟି ସମାଜ ସେବା ଭିଭିକ ରହିବ ଓ ସମାଜ ଗଠନ ଓ ସାମାଜିକ ନ୍ୟାୟ ପାଇଁ ଉତ୍ସର୍ଗୀତ ରହିବ ।
ଅନୁଷ୍ଠାନଟି ପାଇଁ ଛାତ୍ରଛାତ୍ରୀଙ୍କ ହିତ ସର୍ବୋପରି ରହିବ ।
ଆର୍ଥିକ ଅନଗ୍ରସର ବର୍ଗର ପିଲାଙ୍କୁ ମାଗଣା ଶିକ୍ଷାଦାନ ସହ ଆବଶ୍ୟକସ୍ଥଳେ ଆର୍ଥିକ ସହାୟତା ଦିଆଯିବ ।
ପିଲାମାନଙ୍କ ପାଠପଢ଼ା ସହ ଚରିତ୍ର ଗଠନ ପ୍ରତି ଧ୍ୟାନ ଦିଆଯିବା ସହ ସାମାଜ ପ୍ରତି ଅଙ୍ଗୀକାର ବଦ୍ଧତା ପାଇଁ ପ୍ରେରିତ କରାଯିବ।
ଅନୁଷ୍ଠାନଟି ର ବ୍ୟବସାୟୀକ ଉଦ୍ଦେଶ୍ୟ ରହିବ ନାହିଁ I ତେଣୁ ଏହାର ପ୍ରଚାର ଭିଭିକ ବିଜ୍ଞାପନ ଦିଆଯିବ ନାହିଁ କି ମାର୍କେଟିଙ୍ଗ କରାଯିବ ନାହିଁ।
ଜିଲ୍ଲାର ଶିକ୍ଷା ଓ ସାମାଜିକ ବିକାଶ ଦିଗରେ ଅନୁଷ୍ଠାନ କାର୍ଯ୍ୟ କରିବ।
ଅନୁଷ୍ଠାନର ପ୍ରଥମ ବର୍ଷରେ ହିଁ ୭ ଜଣ ଆଇ.ଆଇ.ଟି ପ୍ରବେଶିକାରେ ଓ ଆଉ ୨୨ ଜଣ ଏନ୍.ଆଇ.ଟି ପାଇଲେ।
ପରବର୍ତ୍ତୀ ବର୍ଷମାନଙ୍କରେ ଲଗାତାର ଆଇ.ଆଇ.ଟି ଓ ଏନ୍.ଆଇ.ଟି, ଆଇ.ଆଇ.ଏସ୍.ଟି,ନାଇଜର,ଆଇଜର ଓ କେ.ଭି.ପି.ୱାଇ ପରୀକ୍ଷାରେ ଉତ୍କର୍ଷ ଫଳ ପ୍ରଦର୍ଶନ କରି ଆସିଥିଲେ। ଅଭିଭାବକଙ୍କ ଅନୁରୋଧକ୍ରମେ ୨୦୧୨ ରୁ ମେଡିକାଲ୍ ପ୍ରବେଶିକା ପ୍ରଶିକ୍ଷଣ ଆରମ୍ଭ କରାଗଲା। ୨୦୧୩ ରୁହିଁ ଅନେକ ପିଲା ଏ.ଆଇ.ଆଇ.ଏମ୍.ଏସ୍.ଜିପ୍ ମର ଓ ରାଜ୍ୟ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ସଫଳତାର ସହ କୃତିତ୍ୱ ହାସଲ କରିଥିଲେ। ଅନେକ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଆସିଛନ୍ତି । ଅଳ୍ପ ସଂଖ୍ୟକ ପିଲାଙ୍କ ଭିତରେ ଅଧିକ ପିଲା କୃତ କାର୍ଯ୍ୟ ହେବାରେ ଭାରତରେ ଏହି ଅନୁଷ୍ଠାନ ଅନ୍ୟତମ । ଅଦ୍ୟାବଧୂ ଅନ୍ତତଃ ୧୨୦ ଜଣ ଆଇ.ଆଇ.ଟି, ୪୦୦ ରୁ୪୫୦ ଜଣ ଏନ୍.ଆଇ.ଟି, ୨୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏ.ଆଇ.ଆଇ.ଏମ୍.ଏସ୍. ଜିପ୍ ମର ଓ ରାଜ୍ୟ ମେଡିକାଲ କଲେଜରୁ ଡାକ୍ତର, ଆଇଜର,ନାଇଜର ଓ ଆଇ.ଆଇ.ଏସ୍.ଟିରୁ ଅନେକ ଛାତ୍ର ବୈଜ୍ଞାନିକ ହୋଇ ଦେଶ ତଥା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି। ଖୁସିର କଥା ବର୍ଭମାନ ସୁଦ୍ଧା ୨୦ ରୁ ଉର୍ଦ୍ଧ୍ୱ ଛାତ୍ରୀ ଭାରତ ବାହାରେ ବିଶ୍ବର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ମାନଙ୍କରେ ଉଚ୍ଚଶିକ୍ଷା ଲାଭ କରି ଭାରତ ବାହାରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି । ସେଥୁମଧ୍ଯରୁ ଅଭିପ୍ପା ପଣ୍ଡା, ଅଦ୍ୟାଶା ମହାରଣା,ସୁଜାତା ମହାପାତ୍ର, ପ୍ରତ୍ୟାଶା ପଟ୍ଟନାୟକ, ନୌଶିତା ଶର୍ମା ଅନ୍ୟତମ, ଶୁଭାଣୀ ଶୁଭ ଦର୍ଶୀନୀ
ଅନ୍ୟତମ । ଏହା ସହ ଅନେକ ଛାତ୍ର ମଧ୍ୟ ଭାରତ ବାହାରେ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରେ ଯଥା ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ, ଟେକ୍ସାସ ୟୁନିଭର୍ସିଟି, ୱାରୱିକ୍ ୟୁନିଭର୍ସିଟି, ୱାସିଙ୍ଗ ନ୍ ୟୁନିଭର୍ସିଟି, ଡାଇଓ୍ବାନ୍ ୟୁନିଭର୍ସିଟି, ଡେନ୍ ମାର୍କ ୟୁନିଭର୍ସିଟି : ଇତ୍ୟାଦି ବିଶ୍ବ ପ୍ରସିଦ୍ଧ ଅନୁଷ୍ଠାନ ମାନଙ୍କରେ ଉଚ୍ଚତର ଶିକ୍ଷା ଗ୍ରହଣ କରି ସେଠାରେ ଅବସ୍ଥାପିତ ରହି ରାଜ୍ୟ ତଥା ଦେଶର ଟେକ ରଖିବାରେ ସମର୍ଥ ହୋଇ ପାରିଛନ୍ତି । ସେଥୁରୁ ବହୁ ଛାତ୍ର ଛାତ୍ରୀ ଗ୍ରାମାଞ୍ଚଳରୁ ଓ କିଛି ଆର୍ଥିକ ଅନଗ୍ରସର ଶ୍ରେଣୀରୁ ଅଟନ୍ତି ।
ଆର୍ଯ୍ୟଭଟ୍ଟ ନେଇଥିବା ସଙ୍କଳ୍ପ ରକ୍ଷାକରିବା ପାଇଁ ଅନେକାଂଶରେ ସଫଳ ହୋଇ ପାରିଛି ।
ପ୍ରାୟ ସମସ୍ତ ସଫଳ ଛାତ୍ରଛାତ୍ରୀ ସମୟର ସ୍ରୋତରେ ଭାସି ନଯାଇ ନିଜ ଚରିତ୍ରକୁ ବଳିଷ୍ଠ ରଖିପାରିଛନ୍ତି ଓ ସୁନାମ ଅର୍ଜନ କରିଛନ୍ତି | ଫାଇଲିନ୍, ଫଣି, ହୁଡ଼ ହୁଡ଼, ତିର୍କି, ଫଣି ଓ କେରଳ ବନ୍ୟାରେ ଅନୁଷ୍ଠାନ ଓ ଏହାର ଛାତ୍ର ଛାତ୍ରୀମାନେ ଆକୁଣ୍ଠ ସହାୟତା ଯୋଗାଇଛନ୍ତି । କରୋନା ଲକ୍ ଡାଉନ୍ ସମୟରେ ପ୍ରାୟ ଏକ ମାସ ଧରି ଜାତୀୟ ରାଜପଥରେ ଘରଫେରନ୍ତା ପଥଚାରୀ ମାନଙ୍କୁ ଅନୁଷ୍ଠାନ ର କର୍ମକର୍ତ୍ତାମାନେ ଖାଦ୍ୟ ପାନୀୟ ଓ ଯାତ୍ରା ପାଇଁ ଯାନବାହନ ଯୋଗାଇବାରେ ସହାୟତା କରିଛନ୍ତି ।
ଛାତ୍ରଛାତ୍ରୀ ମାନେ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ର ସ୍ୱେଛା ସେବୀଙ୍କ ସହ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମାନଙ୍କରେ ଯୋଗଦେଇଛନ୍ତି ।
ଅନେକ ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀମାନଙ୍କୁ ଦେୟ ମୁକ୍ତ ଶିକ୍ଷାସହ ଆବଶ୍ୟକ ସ୍ଥଳେ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଅଛି । ଅନୁଷ୍ଠାନର ଆର୍ଥିକ ସଙ୍କଟ ବେଳେ ମଧ୍ୟ ଏହି ସହାୟତା କାର୍ଯ୍ୟକ୍ରମ ଜାରି ରହିଅଛି । ଅନୁଷ୍ଠାନ ତରଫରୁ ପ୍ରଚାର ଭିଭିକ ବିଜ୍ଞାପନ ଦିଆଯାଇନାହିଁ କେବଳ କାର୍ଯ୍ୟକ୍ରମ ସୂଚନା ସହ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ଅନୁଷ୍ଠାନ ତରଫରୁ ସହାୟତା ପାଇଁ ବିଜ୍ଞାପନ ଦିଆଯାଇଛି ।
ଆପଣମାନେ ସମସ୍ତେ ଉଣା ଅଧିକେ ଅବଗତ ଥିବେ ଯେ ବ୍ରହ୍ମପୁରରେ ଆଇ.ଆଇ.ଏମ୍ ପ୍ରତିଷ୍ଠା ପାଇଁ ହୋଇଥିବା ଆନ୍ଦୋଳନ ଏଇ ଅନୁଷ୍ଠାନରୁ ହିଁ ଆରମ୍ଭ ହୋଇଥିଲା ଓ ତଜ୍ଜନିତ ନିଷ୍ପଭି ଏଇଠାରେ ହିଁ ନିଆଯାଇ କାର୍ଯ୍ୟକାରୀ କରାଯାଉଥିଲା । ଏଠାକାର ଛାତ୍ରଛାତ୍ରୀ ମାନେ ମଧ୍ୟ ଆନ୍ଦୋଳନରେ ଭାଗ ନେଉଥିଲେ । ଆଇ.ଆଇ.ଏମ୍ ର ଅଭୂତପୂର୍ବ ଦୂର୍ବାର ଆନ୍ଦୋଳନ ସରକାରଙ୍କୁ ଆଇଜର ବ୍ରହ୍ମପୁର କୁ ଦେବାପାଇଁ ବାଧ୍ଯ କରିଥିଲା।
ଆରମ୍ଭରୁ ହିଁ ଆର୍ଥିକ ସ୍ବଛତା ଅବଲମ୍ବନ କରି ଏବଂ ଠିକ୍ ଟିକସ ପୈଠ କରି ଦେଶର ବିକାଶରେ ସହଯୋଗ କରି ଆସିଛି। ପ୍ରତ୍ୟେକ ଅଭିଭାବକଙ୍କୁ ଅନୁଷ୍ଠାନର TAN ଓ GSTN ଦିଆଯାଏ ଯ ଦ୍ବାରା ସେମାନେ ଅନୁଷ୍ଠାନ ଦ୍ବାରା ପୈଠ କରାଯାଉଥିବା ଟିକସ ବିଷୟରେ ମଧ୍ୟ ଅବଗତ ହୋଇ ପାରିବେ ।
ଏହି ଯାତ୍ରା କିନ୍ତୁ ସୁଗମ ଓ ସରଳ ନଥିଲା । ପ୍ରଥମ କିଛି ବର୍ଷ ସଂଘର୍ଷ କରିବାକୁ ପଡିଥିଲା । କିଛି ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟ ରଖ୍ ମୋତେ ଧମକ ଚମକ ଦେବା ସହ ମୋତେ ୪ ମିଛ କେଶ୍ ରେ ଛନ୍ଦି ଦେଇଥିଲେ । ମୋତେ ଦିନଟିଏ ହାଜତରେ ମଧ୍ଯ ରହିବାକୁ ପଡିଥିଲା । କିଛି ସହୃଦୟ ଓକିଲ ବନ୍ଧୁଙ୍କ ସହାୟତାରେ ସମସ୍ତ କେଶ୍ ରୁ ନିଦୋଷ ରେ ମୁକୁଳି ପାରିଥିଲି । ସେଇ ଓକିଲ ବନ୍ଧୁ ମାନଙ୍କ ପ୍ରତି ମୁଁ କୃତଜ୍ଞ । ମୋର ଦୁର୍ଦ୍ଦିନ ସମୟ ରେ କିଛି ବନ୍ଧୁ ନିରନ୍ତର ମୋର ସହାୟତା କରି ମୋର ମନୋବଳ ବଢାଇଥିଲେ I ସେମାନଙ୍କ ଅବଦାନ ଅବିସ୍ମରଣୀୟ । ଏହି ଲମ୍ବା ଯାତ୍ରାରେ ସାମ୍ବାଦିକ ବନ୍ଧୁମାନଙ୍କ ସହଯୋଗ ମଧ୍ୟ ଅଜିସ୍ମରଣୀୟ ।





