ଦିଗପହଣ୍ଡି, ୦୪/୦୫/୨୦୨୦(ଗଦାଧର ଶୁକ୍ଳ)
ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଜାତି ଓ ଜନଜାତି ଛାତ୍ରୀ ନିବାସ କ୍ୱାରାଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା ପ୍ରତିବାଦରେ ସୋମବାର ସକାଳେ ବହୁସଂଖ୍ୟକ ସୁରଟ ଫେରନ୍ତା ହୋହଲ୍ଲା କରିଥିଲେ। ତଦାରଖ ଦାୟିତ୍ୱରେ ଥିବା ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ ଓ ସ୍ବେଚ୍ଛାସେବୀବୃନ୍ଦ ସେଠାରେ ପହଞ୍ଚି ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେମାନଙ୍କୁ ଅସଦ୍ ବ୍ୟବହାର ପ୍ରଦର୍ଶନ କରିବାସହ ଧମକ ଦେଇଥିଲେ। ଖବର ପାଇ ବିଡିଓ ହଳଧର ଶବର ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ଜଣାପଡିଛି। ଶୋଇବା ପାଇଁ ଖଟିଆ, ପାଇଖାନା ଆଦିର ବ୍ୟବସ୍ଥା ନାହିଁ। ପାନୀୟଜଳ ବ୍ୟବସ୍ଥା ନ ଥିବା ବେଳେ ଗାଧୋଇବାକୁ ମଧ୍ୟ ପାଣି ନ ଥିବା ସେମାନେ ଅଭିଯୋଗ କରିଥିଲେ। ପ୍ରତିବାଦରେ ସେମାନେ ଜଳଖିଆ ଖାଇବୁ ନାହିଁ ବୋଲି ଜିଦ୍ ଧରିଥିଲେ। ବିଡିଓ ବୁଝାଶୁଝା କରିବାପରେ ସେମାନେ ଜଳଖିଆ ଖାଇଥିଲେ।
ଏ ନେଇ ବିଡିଓଙ୍କୁ ପଚାରିବାରୁ, ସେଠାରେ ଜିଲାର ବିଭିନ୍ନ ବ୍ଲକ ଅଧୀନ ଗ୍ରାମର ୨୧୦ ଜଣ ସୁରଟ ଫେରନ୍ତା ରବିବାର ରାତିରେ ପହଞ୍ଚିଥିଲେ। ସେମାନଙ୍କ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ଏଭଳି ଅଭିଯୋଗର କୌଣସି ସତ୍ୟତା ନ ଥିବା ବିଡିଓ କହିଛନ୍ତି।
ସୋମବାର ଦିନ ଦିଗପହଣ୍ଡି ବ୍ଲକର ପଦ୍ମନାଭ ପୁର ରାଧା ଦାମୋଦର ବାଳିକା ବିଦ୍ୟାଳୟ ରେ ପ୍ରାୟ ୯୪ଜଣ ବାହାର ରାଜ୍ୟ ରୁ ଆସିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଖାଦ୍ୟ ପାନୀୟ ଦେଇ ରଖାଯାଇଛି।ତତ୍ସଙ୍ଗ ସଙ୍ଗେ ନିମଖଣ୍ଡି ପେଣ୍ଠ, ଫାସିଗୁଡ଼ା,ଚାଂଚଡ଼ା ପଲ୍ଲୀ ଆଦି ସ୍ଥାନରେ ମଧ୍ୟ ବାହାରୁ ଆସିଥିବା ପ୍ରବାସୀ ମାନଙ୍କୁ ରଖାଯାଇଛି।ଖବର ଲେଖିବା ସୁଦ୍ଧା ୧୨ଟି ବସ ରେ ପ୍ରାୟ ୭୦୦ ଜଣଙ୍କୁ ସୁରକ୍ଷିତ ଭାବେ ଦିଗପହଣ୍ଡି ବ୍ଳକ ର ବିଭିନ୍ନ କରେଂଟାଇନ ସେଣ୍ଟର ରେ ରଖାଯାଇଥିବା ବିଡ଼ିଓ ସୂଚନା ଦେଇଛନ୍ତି।