ନ୍ୟୁରୋ ସର୍ଜରୀ ଚିକିତ୍ସା ବିଜ୍ଞାନର ଭୀଷ୍ମ ପିତାମହ ପ୍ରଫେସର ଡାକ୍ତର ସନାତନ ରଥ ଙ୍କ ଦେହାନ୍ତ

0
194

 

କଟକ,୦୯/୦୬/୨୦୨୦(ବ୍ୟୁରୋ ରିପୋର୍ଟ):ଓଡ଼ିଶାରେ ନ୍ୟୁରୋ ସର୍ଜରୀ ଚିକିତ୍ସା ବିଜ୍ଞାନର ଭୀଷ୍ମ ପିତାମହ ପ୍ରଫେସର ଡାକ୍ତର ସନାତନ ରଥ ଆଉ ନାହାନ୍ତି । କର୍କଟ ରୋଗରେ ପୀଡ଼ିତ ପ୍ରଫେସର ରଥ ତୁଳସୀପୁରସ୍ଥିତି ନିଜ ବାସଭବନରେ ଶଯ୍ୟାଶାୟୀ ଥିଲେ । ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳକୁ ହୃଦଘାତରେ ଆଖି ବୁଜି ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ପ୍ରଫେସର ରଥଙ୍କ ମୃତ୍ୟୁ ରାଜ୍ୟର ନ୍ୟୁରୋ ଚିକିତ୍ସା କ୍ଷେତ୍ରରେ ଅପୂରଣୀୟ କ୍ଷତି ଆଣିଦେଇଛି ।ଜୁଲାଇ ୨୫, ୧୯୩୪ ମସିହାରେ ଜନ୍ମିତ ପ୍ରଫେସର ରଥ ୧୯୫୭ ମସିହାରେ ଏମବିବିଏସ୍ ପାସ୍ କରିଥିଲେ । ୧୯୬୨ ମସିହାରେ ପାଟଣାରୁ ଏମଏସ୍(ସର୍ଜନ) ଏବଂ ୧୯୬୫ ମସିହାରେ ସିଏମସି, ଭେଲୋର ରୁ ନ୍ୟୁରୋ ସର୍ଜରୀରେ ଏମଏସ୍ ଡିଗ୍ରୀ ହାସଲ କରିଥିଲେ । ଅତ୍ୟନ୍ତ ମେଧାବୀ ଛାତ୍ର ଥିବାରୁ ତାଙ୍କୁ ବାହାରେ ଲୋଭନୀୟ ଅଫର୍ ମିଳିଥିଲେ ମଧ୍ୟ ତାହାକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶାକୁ ନିଜର ସେବା କ୍ଷେତ୍ର ଭାବେ ବାଛିଥିଲେ । ତାଙ୍କୁ ଓଡ଼ିଶାରେ ନ୍ୟୁରୋ ସର୍ଜନ ଚିକିତ୍ସାର ଜନକ ବୋଲି କୁହାଯାଏ ।କଟକରେ ଏସସିବିରେ ଯୋଗଦେବା ପରେ ପ୍ରଫେସର ରଥଙ୍କ ଉଦ୍ୟମରେ ସେଠାରେ ନ୍ୟୁରୋଲୋଜି ଏବଂ ନ୍ୟୁରୋ ସର୍ଜରୀ ୟୁନିଟ୍ ସ୍ଥାପନ କରାଯାଇଥିଲା । ଏସସିବିର ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ଏହାପୂର୍ବରୁ ୧୯୯୧ ମସିହାରେ ରାଜ୍ୟ ଡାକ୍ତରୀ ଶିକ୍ଷାର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୯୪ ମସିହାରେ ନ୍ୟୁରୋଲୋଜିକାଲ୍ ସୋସାଇଟି ଅଫ ଇଣ୍ଡିଆର ସଭାପତି ନିର୍ବାଚିତ ହୋଇଥିଲେ ।ପ୍ରଫେସର ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଜଟିଳ ନ୍ୟୁରୋ ଚିକିତ୍ସା କ୍ଷେତ୍ରରେ ତାଙ୍କର ଯଥେଷ୍ଟ ସୁନାମ ଥିଲା । ଜଣେ ପ୍ରତିଭାବାନ ପ୍ରଫେସର ଭାବେ ମଧ୍ୟ ତାଙ୍କର ଖ୍ୟାତି ଥିଲା । ଓଡ଼ିଶାରେ ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ର ବିଶେଷ କରି ନ୍ୟୁରୋଲୋଜି ଶିକ୍ଷାରେ ତାଙ୍କର ଅବଦାନ ସବୁବେଳ ପାଇଁ ସ୍ମରଣୀୟ ରହିବ ।

LEAVE A REPLY

Please enter your comment!
Please enter your name here