ନୟାଗଡ଼, ୧୪/୦୮/୨୦୨୦:
କୋଭିଡ୍-୧୯ ମହାମାରୀର ପ୍ରଭାବରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ କୋମଳମତି ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗ୍ରହଣ ପାଇଁ ଏହା ପ୍ରତିବନ୍ଧକ ସାଜିଛି।ଏହାର ସମାଧାନ ନିମନ୍ତେ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ବ୍ଲକ୍ ରେ ଶିକ୍ଷାସଂଯୋଗ କାର୍ଯ୍ୟକ୍ରମ ଜରିଆରେ ଅନଲାଇନ ପାଠପଢ଼ା ଗତ ତିନିମାସଧରି ଚାଲୁରହିଛି।ତେବେ ଏହାକୁ ସୁଦୂରପ୍ରସାରୀ କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି (OSEPA) “ଦୀକ୍ଷା” ନାମକ ଆପ୍ ଜରିଆରେ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାର୍ଥୀ ଓ ଅଭିଭାବକ ମହଲରେ ଶିକ୍ଷା ତଥା ବିଦ୍ୟାଳୟ କ୍ରିୟାଶୀଳତା ସହ ଉତ୍ତମ ସମ୍ପର୍କ, ସମନ୍ବୟ ଏବଂ ଭାବବିନିମୟ ଉଦ୍ଦେଶ୍ୟରେ ଏକ ଅଭିନବ ପ୍ରୟାସ କରିଛି।ଶିକ୍ଷକମାନେ ମଧ୍ୟ ଏହି ଆପ୍ ଜରିଆରେ ନିଜ ନିଜ ଶିକ୍ଷଣକାର୍ଯ୍ୟର ସର୍ବମାନ୍ୟ ବିଧି ନିର୍ଦ୍ଧାରଣ କରିପାରିବେ।
ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରୁ ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ଯଶୋବନ୍ତ ପଟ୍ଟନାୟକ , ଓଡ଼ଗାଁ ବ୍ଲକ୍ ,କଳ୍ପନା ପାଣିଗ୍ରାହୀ , ଓଡ଼ଗାଁ ବ୍ଲକ୍ ଓ ଶ୍ୱେତ କୁମାର ମହାକୁଡ଼ , ଦଶପଲ୍ଲା ବ୍ଲକ୍ ରାଜ୍ୟ ସ୍ତରୀୟ ଦୀକ୍ଷା ସାଧନକର୍ମୀ ଭାବେ ମନୋନୀତ ହୋଇଛନ୍ତି । ଅଧୁନା ଯଶୋବନ୍ତ ପଟ୍ଟନାୟକଙ୍କ ପ୍ରସ୍ତୁତ ଅଷ୍ଟମଶ୍ରେଣୀ ସାହିତ୍ୟିକା ବହିର “ରୋଗୀସେବା” ଗଦ୍ୟର ଶିକ୍ଷଣ ଭିଡିଓ ଦୀକ୍ଷା ଆପ୍ ରେ ପ୍ରଦର୍ଶିତ ହୋଇ ନୟାଗଡ଼ ଜିଲ୍ଲା, ଓଡ଼ଗାଁ ବ୍ଲକ୍ ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛି।ଏଥିପାଇଁ ତାଙ୍କୁ ବିଭିନ୍ନ ଶିକ୍ଷକ ସଂଗଠନ, ଶିକ୍ଷାବିତ୍ ଓ ଶିକ୍ଷାଧିକାରୀଙ୍କ ତରଫରୁ ଅଭିନନ୍ଦନର ସୁଅ ଛୁଟୁଥିବାବେଳେ ଶ୍ରୀପଟ୍ଟନାୟକ ତାଙ୍କର ଏହି ସଫଳତା ପାଇଁ ଓସେପା ଯୁଗ୍ମ ନିର୍ଦ୍ଦେଶକ ପ୍ରକାଶ କୁମାର ଯୋଶୀ , ସମୀକ୍ଷିକା ବିଦ୍ୟୁତ ଲତା ମିଶ୍ର , ନୟାଗଡ଼ ଜିଲ୍ଲା ଗୁଣାତ୍ମକ ଶିକ୍ଷା ସଂଯୋଜିକା କ୍ରିଷ୍ଣା ମାଝି , ଓଡ଼ଗାଁ ବ୍ଲକ ଶିକ୍ଷାଧିକାରୀ ଡଃ ବସନ୍ତ ନାୟକ, ଶିକ୍ଷୟିତ୍ରୀ କଳ୍ପନା ପାଣିଗ୍ରାହୀଙ୍କ ସମେତ ଅଗଣିତ ଶୁଭେଚ୍ଛୁ ଏବଂ ଶିକ୍ଷା ବିଭାଗରେ କାର୍ଯ୍ୟ କରି ଅବସର ନେଇଥିବା ନିଜ ପିତାମାତାଙ୍କୁ ଏହାର ଶ୍ରେୟ ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରିପୋର୍ଟ – ରବୀନ୍ଦ୍ର ପ୍ରଧାନ