ବୁଗୁଡା, ୨୩/୧୦/୨୦୨୦ : ବୁଦ୍ଧଖୋଲ ପାଦଦେଶରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ , ଭୁବନେଶ୍ବର ପକ୍ଷରୁ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ନିର୍ମିତ ଆଦର୍ଶ ଶୌଚାଳୟକୁ ଅକ୍ଟୋବର ୨୩ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବୁଦ୍ଧଖୋଲ ଉନ୍ନୟନ ସମିତି ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିବା ବେଳେ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଅରୁଣ ମଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହାପରେ କଲ୍ୟାଣୀ ମଣ୍ଡପ ପରିସରରେ ବୁଦ୍ଧଖୋଲ ଉନ୍ନୟନ ସମିତିର ବୈଠକ ସଭାପତି ତଥା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସମିତିର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ସହ ପୂର୍ବ ସଭାର ବିବରଣୀ ପଠନ କରିଥିଲେ। ପୂର୍ବ ସଭାର ବିବରଣୀ ଗୃହୀତ ପରେ କାର୍ତ୍ତିକ ମାସରେ ବୁଦ୍ଧଖୋଲରେ ପଞ୍ଚ ମହାଦେବଙ୍କ ଦର୍ଶନ ପାଇଁ ସୋମବାର ଓ କାର୍ତ୍ତିକ ପୂର୍ଣ୍ଣିମା ଜନସମାଗମ ବିଷୟରେ ଆଲୋଚନା ହୋଇଥିଲା। କୋଭିଡ କଟକଣା ଦୃଷ୍ଟିରୁ ଏହି ବିଷୟ ଉପରେ ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା ଉଚିତ ହେବ ବୋଲି ପ୍ରସ୍ତାବ ଗୃହୀତ ହେବା ସହ ଆସନ୍ତା ଅକ୍ଟୋବର ୩୦ ତାରିଖରେ ବୁଦ୍ଧଖୋଲ ଉନ୍ନୟନ ସମିତିର ବୈଠକ ପୁନର୍ବାର ଅନୁଷ୍ଠିତ ହୋଇ କାର୍ତ୍ତିକ ମାସ ପର୍ବ ବିଷୟରେ ଆଲୋଚନା କରିବା ପାଇଁ ଠିକ କରାଗଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଉପଖଣ୍ଡ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ସମେତ ବୁଦ୍ଧଖୋଲ ଉନ୍ନୟନ ସମିତିର ଅନ୍ୟାନ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା