ବ୍ରହ୍ମପୁର,୧୯/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ବିମାନବନ୍ଦର ସ୍ଥାପନ ନେଇ ଗଞ୍ଜାମ ଜିଲ୍ଲାବାସୀଙ୍କ ଦୀର୍ଘବର୍ଷରୁ ଦାବି ହେଉଥିଲେ ବି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗଞ୍ଜାମ ଜିଲ୍ଲାବାସୀଙ୍କୁ ଅଣଦେଖା କରିଆସିଛନ୍ତି l କେବଳ ନିର୍ବାଚନ ବେଳେ ସୁନ୍ଦର ସୁନ୍ଦର ପ୍ରତିଶୃତିମାନ ଦେଇ ପରବର୍ତ୍ତୀ ସମୟରେ ଉଭାନ ହୋଇଯିବା, ନିଷ୍କ୍ରିୟ ହୋଇଯିବା ଆଜି ଗଞ୍ଜାମ ଜିଲ୍ଲାବାସୀଙ୍କୁ ନିରାଶ କରିଛି l ଦୀର୍ଘ ୨୦ବର୍ଷରୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପର ଉନ୍ନତି ଓ ଜମି ଅଧିଗ୍ରହଣର କଥା କହି କହି ଶେଷରେ କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ବି ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହରକୁ ଅନ୍ତର୍ଭୁକ୍ତ ନକରିବା ଅଧିକ ନିରାଶଜନକ ମନେହୋଇଛି l ଜିଲ୍ଲା ର ବିକାଶ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନଙ୍କୁ ନେଇ ଗଠିତ “ବ୍ରହ୍ମପୁର ବିମାନବନ୍ଦର ସ୍ଥାପନ ମିଳିତ କ୍ରିୟାନୁଷ୍ଠାନ କମିଟି” ପକ୍ଷରୁ ଆଜି ଖଲ୍ଲିକୋଟ କଲେଜ ଛକ ଠାରେ ପ୍ରଥମ ପର୍ଯ୍ୟାୟରେ ପୋଷ୍ଟକାର୍ଡ ଓ ବ୍ୟାନେର ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି l ଏଥିରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ଙ୍କ ସମେତ ଛାତ୍ରଛାତ୍ରୀ ଅଭିଭାବକ ଯୁବକ ଯୁବତୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ବହୁ ଦିନର ବିମାନ ବନ୍ଦର ଦାବିକୁ ଉପସ୍ଥିତ ଜନସାଧାରଣ ସମର୍ଥନ ଜଣାଇ ଏହି ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ l ବ୍ରହ୍ମପୁରରେ ବିମାନ ବନ୍ଦର ସ୍ଥାପନ ନେଇ ସମସ୍ତ ଭିତ୍ତିଭୂମି ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଶିଳ୍ପ, ବେଳାଭୂମି, ପ୍ରତିରକ୍ଷା, ଗୋପାଳପୁର ବନ୍ଦର ଆଦି ଥିବl ସତ୍ୱେ ବାରମ୍ବାର ଜିଲ୍ଲାପ୍ରତି ଅବହେଳା ଯୋଗୁଁ ଆଜି ଉପସ୍ଥିତ ସମସ୍ତ ଅନୁଷ୍ଠାନର ନେତୃବୃନ୍ଦ ଅସନ୍ତୋଷ ବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଆବାହକ ରାଜେନ୍ଦ୍ର ପଣ୍ଡା, ଅବନୀ ଗୟା, ବିଶ୍ଵଦେବ, ଡ଼ଃ. ଶିବ ପ୍ରସାଦ ମିଶ୍ର, ଏସ. କେଶବ ଲିଙ୍ଗମ, ଜେ. ସୁରେଶ, ଶ୍ୟାମସୁନ୍ଦର ଖାଡ଼ଙ୍ଗା, ଗଗନ ମଲ୍ଲିକ, କାମରାଜୂ ମହାରଣା, ସୁଷମା ପଣ୍ଡା, ଈଂ. ବିଜୟ କୁମାର ପାଣିଗ୍ରାହୀ, ତ୍ରିନାଥ ମହାରଣା, ଦୀନବନ୍ଧୁ ଶ୍ରୀପଲ୍ଲଵ, ହାଡିବନ୍ଧୁ ମାଳି, ଏସ. ସାମ୍ବାଶିବା ରାଓ,ପ୍ରଦୀପ କୁମାର ସାହୁ, ଚାମ୍ବର ଅଫ କମର୍ସର ଶିବ ପ୍ରସାଦ, ସ୍ୱରାଜ୍ୟ ସୁବୁଦ୍ଧି, ପ୍ରକାଶ ପାତ୍ର, ଡ଼ଃ. ଡମ୍ବୁରୁଧର ସାହୁ, ରବୀନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l