ବ୍ରହ୍ମପୁର, ୦୪/୦୨/୨୦୨୧: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ସମାଜ କଲ୍ୟାଣ ଯୋଜନା ମାଧ୍ୟମରେ ଗ୍ରାମୀଣ ବିକାଶର ଧାରା ବଜାୟ ରଖିଥିବା ବେଳେ ଭିତ୍ତିଭୂମୀ ବିକାଶକୁ ନେଇ ବହୁ କାର୍ଯ୍ୟ କରିଥିବା ଜଣାଯାଇଛି । ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନାର ମିଳିତ ଭାଗିଦାରିରେ ସମ୍ପ୍ରତି ବଡ଼ ବଡ଼ ପ୍ରକଳ୍ପ ଗ୍ରାମାଞ୍ଚଳରେ ଦେଖିବାକୁ ମିଲୁଅଛି । ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅନୁମୋଦନରେ ବହୁ ପ୍ରଦୂଷିତ ପୋଖରୀର ପୁନରୁଦ୍ଧାର ସହ ଆଦର୍ଶ ପୋଖରୀ କରାଯିବା ଏବଂ ପୋଖରୀର ସୌନ୍ଦର୍ଯ୍ୟ କରଣ କରାଯାଇ ଦର୍ଶନୀୟ କରାଯାଉଥିବା ବେଳେ ସଂଲଗ୍ନ ପରିବେଶରେ ଗ୍ରାମ୍ୟ ପାର୍କ କରାଯାଇ ଚିତ ବିନୋଦର ସୁଯୋଗ ସୃଷ୍ଟି କରାଯାଉଅଛି । ଅନ୍ୟ ପକ୍ଷରେ ପଞ୍ଚାୟତ ତଥା ବ୍ଲକ୍ ସ୍ତରରେ ଥିବା ଦର୍ଶନୀୟ ସ୍ଥାନର ଗମନାଗମନର ସୁବିଧା ପାଇଁ ରାସ୍ତାର ସଂଯୋଗିକରଣ ମଧ୍ୟ କରାଯାଉଅଛି ।
ଏହି ଯୋଜନା ଅନ୍ତର୍ଗତରେ ଦିଗପହଣ୍ଡି ବ୍ଲକ୍ ଅଞ୍ଚଳ ଅଧୀନ ବହୁ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ବ୍ଲକ୍ ଉପାନ୍ତ ପଞ୍ଚାୟତ ଭାବେ ପରିଚିତ ବୀର ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ସଦରଗ୍ରାମ ନିକଟରେ ଥିବା ସୁଦୃଶ୍ୟ ପରିବେଶପୂର୍ଣ୍ଣ ପାହାଡ଼ ଶୀର୍ଷ ଭୂମିରେ ୫୨ ଫୁଟ ଉଚ୍ଚତା ବିଶିଷ୍ଟ ଶ୍ରୀ ହନୁମାନଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ସହିତ ମନୋରମ ପରିବେଶର ଯାତାୟାତ ବ୍ୟବସ୍ଥାରେ ଭିଉ ପଏଣ୍ଟ ସ୍ଥାପନା ପାଇଁ ସମ୍ପ୍ରତି ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଅଛି ।ଦିଗପହଣ୍ଡି ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ବିପିନ ପ୍ରଧାନ , ସରପଞ୍ଚ ପ୍ରତିନିଧି ଶ୍ରୀ ସୂର୍ଯ୍ୟ ନାରାୟଣ ସାହୁ ( ଜଟୁ ସାହୁ ) , ସରପଞ୍ଚ ସଂଘ ସଭାପତି ଶ୍ରୀ ହରିବନ୍ଧୁ ରେଡ୍ଡୀ , ବ୍ଲକ୍ ଛାତ୍ର ବିଜେଡି ସଭାପତି ବିକ୍ରମ ସିଂ ପ୍ରମୁଖଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ହଳଧର ଶବର ଆଜି ନିର୍ମାଣ ପୀଠ ସ୍ଥଳ ପରିଦର୍ଶନ କରିଛନ୍ତି । ଉତ୍ସାହିତ ଗ୍ରାମବାସୀଙ୍କ ସହାୟତାରେ ପାହାଡ଼ ଶୀର୍ଷ ସ୍ଥଳରେ ପହଞ୍ଚି ମନୋରମ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ନିର୍ମିତ ହେବାକୁ ଥିବା ହନୁମାନ ବିଗ୍ରହ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ମୁଖ୍ୟ ରସ୍ତାଠାରୁ ସଂଯୋଗ ରାସ୍ତା ନିର୍ମାଣ କରି ପାହାଡ଼ ଶୀର୍ଷରେ ପହଞ୍ଚାଇବା , ଯାତ୍ରୀ ବିଶ୍ରାମାଗାର ଓ କଲ୍ୟାଣ ମଣ୍ଡପ ନିର୍ମାଣ , ପାନୀୟ ଜଳ ଓ ବିଦ୍ୟୁତ୍ କରଣ କରିବା ନେଇ ଥିବା ଯୋଜନାର କାର୍ଯ୍ୟକାରିତା ନେଇ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ ।
ସନ୍ତୋଷ କୁମାର ଦାଶ








