କୃଷକ ଅଧିକାର ଯାତ୍ରାକୁ ବ୍ରହ୍ମପୁର ସହରରେ ଭବ୍ୟ ସମ୍ବର୍ଦ୍ଧନା

0
174

ବ୍ରହ୍ମପୁର,୧୩/୦୩/୨୦୨୧:ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି-ଓଡିଶା ପକ୍ଷରୁ କୃଷକର ଅଧିକାର ସଂଘର୍ଷକୁ ଆଗକୁ ନେବା ପାଇଁ ୧୨ ମାର୍ଚ୍ଚ ୨୦୨୧ରେ ଭୂବନେଶ୍ୱର ମହାତ୍ମାଗାନ୍ଧୀ ପାର୍କରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି କୃଷକ ଅଧିକାର ଯାତ୍ରା ଅଭିଯାତ୍ରୀ ମାନେ ବାହାରି ଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ପାଇ ଆଙ୍କୁଳି ବାଇପାସ ଦେଇ ବ୍ରହ୍ମପୁରରେ ସନ୍ଧ୍ୟା ୭ ଘଟିକାରେ ପ୍ରବେଶ କରିଥିଲେ । ଏହି ଯାତ୍ରାକୁ ସ୍ବାଗତ ସମ୍ବର୍ଦ୍ଧନା, ବାଇକ ଶୋଭାଯାତ୍ରା ସହ ଯାତ୍ରା କୁ ସହର ପରିକ୍ରମା କରାଇ ରାମଲିଙ୍ଗମ ପାର୍କ ସମ୍ମୁଖରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କ୍ରାନ୍ତିକାରୀ କୃଷକ ସଭାର ଜିଲ୍ଲା କମିଟି ସଦସ୍ୟା ପି.ପାର୍ବତୀ, ଓଡିଶା କୃଷକ ସଭାର ଗୋପାଳ ପାଣିଗ୍ରାହୀ, ଅଲ ଇଣ୍ଡିଆ କିଷାନ ସଭାର ସୁଦର୍ଶନ ସ୍ବାଇଁ ଏବଂ ଏ ଆଇ କେ ଏମ୍ ଏସ୍ ର ପ୍ରତାପ ନାୟକ ଙ୍କ ସଭାପତି ମଣ୍ଡଳୀରେ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବର୍ଷିୟାନ କୃଷକ ନେତା ଶ୍ରୀହର୍ଷ ରଥ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲା ଆବାହକ ବସନ୍ତ ନନ୍ଦ ଅତିଥି ପରିଚୟ ପ୍ରଦାନ କରିବା ପରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅଭିଯାତ୍ରୀ ଦଳ କୃଷକ ଅଧିକାର ଯାତ୍ରା ସମ୍ପର୍କରେ ସବିଶେଷ ତଥ୍ୟ ସହ ଦାବି ସମୂହ ଉପସ୍ଥାପନ କରିଥିଲେ । କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷକ ବିରୋଧୀ ତିନୋଟି କଳା କୃଷି ଆଇନ ପ୍ରାଇଭେଟ ମଣ୍ଡି ଆଇନ, ଚୁକ୍ତି ଚାଷ ଆଇନ, ଅତ୍ୟାବଶ୍ୟକୀୟ ସାମଗ୍ରୀ ( ସଂଶୋଧନ) ଆଇନ-୨୦୨୦ କୁ ରଦ୍ଦ କରିବା, କୃଷିଜାତ ଦ୍ରବ୍ୟର ଏମ ଏସ ପିକୁ ଆଇନଗତ ମାନ୍ୟତା, ଟୋକନ ପାଇଥିବା ସମସ୍ତ ଚାଷୀର ଧାନକୁ ଏମ ଏସ ପି ପ୍ରଦାନ କରି ତୁରନ୍ତ ସଂଗ୍ରହ କରିବା, ଧାନ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା ଏମ ଏସ ପି ଧାର୍ଯ୍ୟ କରିବା, ମଣ୍ଡି ବ୍ୟବସ୍ଥା କୁ ସୁଦୃଢ,ସୁରକ୍ଷିତ ଏବଂ ବ୍ୟବସ୍ଥିତ କରିବା, ଭଗଚାଷୀଙ୍କୁ ଚାଷୀର ମାନ୍ୟତା ଓ ସୁରକ୍ଷା ଆଇନ, ଆଦିବାସୀ ଓ ପାରମ୍ପାରିକ ବନବାସୀ ମାନଙ୍କର ଉତ୍ପାଦିତ ଏବଂ ସଂଗୃହିତ ସମସ୍ତ କୃଷିଜାତ ସାମଗ୍ରୀ ଏବଂ ଲଘୁ ବନଜାତ ସାମଗ୍ରୀ ଗୁଡିକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରିବା ଦାବିରେ ସମସ୍ତେ ଏକ ହୋଇ ସଂଘର୍ଷ କରିବା ପାଇଁ ଆହ୍ବାନ ଦେଇଥିଲେ । ଏଥିରେ ବ୍ୟତିକ୍ରମ ହେଲେ କର୍ପୋରେଟ୍ କମ୍ପାନୀର ଦାଶ ହୋଇ ଖଟିବା ବୋଲି ବକ୍ତା ମାନେ ମତପୋଷଣ କରିଥିଲେ ।ନ୍ୟାସନାଲ ଆଲିଆନସ୍ ଅଫ ପିପୁଲସ୍ ମୁଭମେଣ୍ଟର ପ୍ରଫୁଲ୍ଲ ସାମନ୍ତରା, ଅଖିଳ ଭାରତ କୃଷକ ସଭା ଶଶୀ ଭୂଷଣ ସ୍ବାଇଁ, ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ଲିଙ୍ଗରାଜ, ଓଡିଶା କୃଷକ ସଭାର ସୁରେଶ ପାଣିଗ୍ରାହୀ, ଅଲ ଇଣ୍ଡିଆ କ୍ରାନ୍ତିକାରୀ କିଷାନ ସଭା ଶଙ୍କର ସାହୁ, AIKMKS ର ଶ୍ରୀକାନ୍ତ ମହାନ୍ତି, ଇଣ୍ଡିଆନ ସୋସିଆଲ ଆକ୍ସନ ଫୋରମ୍ ନରେନ୍ଦ୍ର ମହାନ୍ତି, ଅଲ ଇଣ୍ଡିଆ କୃଷକ କ୍ଷେତ ମଜଦୂର ସଂଗଠନର ସୋମନାଥ ବେହେରା, ନିରଞ୍ଜନ ମହାନ୍ତି, ଅଖିଳ ଭାରତ କୃଷକ ମହାସଭାଳ ସର୍ବେଶ୍ବର ଭାରତ ଆଦି ନେତୃତ୍ବ ବକ୍ତବ୍ୟ ରଖିଥିଲେ । ଏତଦ୍ ବ୍ୟତୀତ ଓଡିଶା କୃଷକ ସଭାର ଯମେଶ୍ବର ସାମନ୍ତରାୟ ଓ ଅଭିରାମ ବେହେରା, AIKMKS ର ନିରାକାର ନାୟକ, AIKMS କୃଶନାଥ ପ୍ରଧାନ, AIKS ରାମଚନ୍ଦ୍ର ମୁଦୁଲି, CMSSP ରବିଚନ୍ଦ୍ର ପ୍ରଧାନ ଆଦି ଏହି ଯାଥାରେ ସାମିଲ ହୋଇଛନ୍ତି । ଏହି ଯାତ୍ରା ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲରେ ରାତ୍ରୀ ଯାପନ କରିଥିବା ବେଳେ ୧୩ ତାରିଖ ପୂର୍ବାହ୍ନ ୯ ଘଟିକାରେ ରେ ଗଜପତି ଜିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here