ବିଜେଡି କନ୍ଦଳ: ସଞ୍ଜୟ ଆଉଟ୍‌, ପ୍ରମିଳାଙ୍କ ଆଶା ମଉଳିଲା ଓ ବଲାଙ୍ଗିର ରାଜପରିବାର ବି ନିରାଶ

0
177

ଭୂବନେଶ୍ୱର,୨୬/୦୬/୨୦୨୧:
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏହି ପର୍ଯ୍ୟବେକ୍ଷକ ତାଲିକା ପ୍ରସ୍ତୁତିରେ ନିଜର ପତିଆରା ପ୍ରଦର୍ଶନ କରିଛନ୍ତି। ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଣବଙ୍କ ତାଲିକାକୁ ମଧ୍ୟ ଦଳ ଅଗ୍ରାଧିକାର ଦେଇଛି। ଏକ କୋଟି ସଦସ୍ୟଙ୍କ ଦଳ ବୋଲି ଦାବି କରୁଥିବା ବିଜେଡିରେ ଏବେ ଏକଚାଟିଆ ନିଷ୍ପତ୍ତି ପ୍ରଭାବୀ ହେଉଛି। ନିଜର ବହୁ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ହତାଦର କରି କିଛି ଅନଭିଜ୍ଞ ନେତାଙ୍କୁ ମଧ୍ୟ ଜିଲ୍ଲା ସଂଗଠନ ଦାୟିତ୍ୱ ଦେବାକୁ ଦଳ ପଛାଇ ନାହିଁ ।ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ଭଳି ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ହଟାଯାଇଛି, କିନ୍ତୁ ପ୍ରଣବ ବଳବନ୍ତରାୟ, ତୁଷାରକାନ୍ତି ବେହେରା, ଚନ୍ଦ୍ରସାରଥୀ ବେହେରାଙ୍କ ଭଳି ଅନଭିଜ୍ଞ ନେତାଙ୍କୁ ଜିଲ୍ଲା ସଂଗଠନ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି ପ୍ରଣବପ୍ରକାଶ ନିଜ ଜିଲ୍ଲାରୁ କାହାରିକୁ ମନ୍ତ୍ରୀ କିମ୍ବା ସରକାରରେ କୌଣସି ଦାୟିତ୍ୱ ଦେବା ସପକ୍ଷରେ ନଥିବାରୁ ପ୍ରମିଳା ମଲ୍ଲିକଙ୍କ ବାଚସ୍ପତି ଓ ମନ୍ତ୍ରୀ ହେବା ଆଶା ମଧ୍ୟ ମଉଳି ଯାଇଛି।ପ୍ରମିଳା ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ହେବେ ବୋଲି ଆଶା ବାନ୍ଧି ବସିଥିବାବେଳେ ତାଙ୍କୁ ପର୍ଯ୍ୟବେକ୍ଷକ କରାଯିବାପରେ ତାଙ୍କର ଏହି ଆଶାରେ ମଉଳି ଯାଇଛି। ସେହିପରି ବଲାଙ୍ଗିର ଜିଲ୍ଲା ସାଂଗଠନିକ କାର୍ଯ୍ୟରୁ ବଲାଙ୍ଗିର ରାଜପରିବାରକୁ ସମ୍ପୂର୍ଣ୍ଣ ଦୂରେଇ ରଖାଯାଇଛି। କଳିକେଶ ସିଂହଦେଓ, ଏୟୁ ସିଂହଦେଓଙ୍କୁ ମଧ୍ୟ ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରାଯାଇନି।ଇଞ୍ଜିନିୟରରୁ ନେତା ପାଲଟିଥିବା ନଳିନୀକାନ୍ତ ପ୍ରଧାନଙ୍କୁ ନିଜେ ଲଢ଼ିଥିବା ଜିଲ୍ଲାର ପର୍ଯ୍ୟବେକ୍ଷକ କରାଯାଇଛି । ସମ୍ବଲପୁର ଲୋକସଭା ଆସନରୁ ଲଢ଼ି ଶ୍ରୀ ପ୍ରଧାନ ପରାଜିତ ହୋଇଥିବାବେଳେ ୨୦୧୯ ସାଧାରଣ ନିର୍ବାଚନ ପରଠୁ ତାଙ୍କୁ ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକ କରାଯାଇଥିଲା, ଯାହାକୁ ଜାରି ରଖାଯାଇଛି। ସେହିପରି ଉଷା ଦେବୀ ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ଯିବା ସମ୍ଭବପର ନଥିବାରୁ ତାଙ୍କ ପୁଅ ଓ ଦିଅର ଏବେ ସେଠାରେ ତାଙ୍କ ପ୍ରତିନିଧି ଭାବେ କାମ କରୁଥିବାବେଳେ ତାଙ୍କୁ ବି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବାକୁ ବିଜେଡି ପଛାଇ ନାହିଁ।ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂ, ଚନ୍ଦ୍ରସାରଥୀ ବେହେରାଙ୍କୁ ୨ଟି ଲେଖାଏଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇ ପ୍ରଣବପ୍ରକାଶ ନିଜେ ଖଣିଜ ସମୃଦ୍ଧ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ନିଜ ପାଖରେ ରଖିଛନ୍ତି। ସେହିପରି ମହିଳାଙ୍କୁ ସମ୍ମାନ ଓ ୩୩ପ୍ରତିଶତ ସଂରକ୍ଷଣ କଥା କହୁଥିବା ବିଜେଡି ଏହି ୩୨ଜଣିଆ ପର୍ଯ୍ୟବେକ୍ଷକ ତାଲିକାରେ ମାତ୍ର ୨ଜଣ ମହିଳାଙ୍କୁ ସ୍ଥାନ ଦେଇଛି। ଏପରିକି ଏପର୍ଯ୍ୟନ୍ତ ଦଳ ନିଜର ମହିଳା ୱିଙ୍ଗର ସାଂଗଠନିକ ପୁର୍ନବିନ୍ୟାସ କରିପାରିନି।

LEAVE A REPLY

Please enter your comment!
Please enter your name here