କଲେଜ ଖୋଲିବନି, ଅନଲାଇନରେ ହେବ ୟୁଜି-ପିଜି ପରୀକ୍ଷା

0
268

ଭୂବନେଶ୍ୱର,୨୮/୦୬/୨୦୨୧: ଆସନ୍ତା ୨-୩ମାସ ମଧ୍ୟରେ ରାଜ୍ୟରେ କୋଭିଡ-୧୯ ମହାମାରୀର ତୃତୀୟ ଲହର ଆସିବାର ଆଶଙ୍କା ଥିବାରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲି କ୍ଲାସ୍ କିମ୍ବା ପରୀକ୍ଷା କରିବା ସମ୍ଭବପର ନୁହେଁ। ତେଣୁ ଆସନ୍ତା ଜୁଲାଇ ଓ ଅଗଷ୍ଟ ମାସରେ ଉଭୟ ୟୁଜି ଓ ପିଜି ଶ୍ରେଣୀର ଫାଇନାଲ ପରୀକ୍ଷା ଅନଲାଇନରେ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ୩ ରାଉଣ୍ଡ ଧରି ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ପ୍ରିନ୍ସିପାଲମାନଙ୍କ ସହ ବିଚାରବିମର୍ଶ ପରେ ବିଭାଗ ପକ୍ଷରୁ ଆଜି ଏନେଇ ଆନୁଷ୍ଠାନିକ ସୂଚନା ଦିଆଯାଇଛି। ତେବେ ଅନ୍ୟ ଶ୍ରେଣୀର କ୍ଲାସ୍ ପ୍ରମୋସନ୍ ଅବା ସେମିଷ୍ଟାର ପରୀକ୍ଷା କେବେ ହେବ ସେ ନିଷ୍ପତ୍ତି ପରେ ନିଆଯିବ ବୋଲି ବିଭାଗ କହିଛି।୨୦୨୦-୨୧ ଶିକ୍ଷା ବର୍ଷର ଯୁକ୍ତ ତିନି ଶେଷବର୍ଷ ଓ ପିଜି ଶେଷବର୍ଷର ଛାତ୍ରଛାତ୍ରୀମାନେ ଆସନ୍ତା ଜୁଲାଇ/ଅଗଷ୍ଟ ମାସରେ ଅନଲାଇନ୍ ମୋଡରେ ପରୀକ୍ଷା ଦେବେ । ସେମାନଙ୍କର ପରୀକ୍ଷା ଫଳ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପ୍ରକାଶ ପାଇବ। ଯେଉଁମାନଙ୍କର ବ୍ୟାକପେପର ଥିବ ସେମାନେ ଅନଲାଇନରେ ଜୁଲାଇ/ଅଗଷ୍ଟରେ ପରୀକ୍ଷା ଦେବେ। ପରୀକ୍ଷା କେବେ ହେବ ତାହା ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷ ସ୍ଥିର କରିବେ। ଛାତ୍ରଛାତ୍ରୀମାନେ ନିଜ ଘରୁ ଅବା ସେମାନଙ୍କୁ ସୁହାଇବା ଭଳି ଯେକୌଣସି ସ୍ଥାନରୁ ଅନଲାଇନ୍ ମୋଡରେ ପରୀକ୍ଷାରେ ସାମିଲ ହୋଇପାରିବେ। ସେମାନଙ୍କ ସୁବିଧା ପାଇଁ ନିଜ ଘର ପାଖରେ ଥିବା ଡିଗ୍ରୀ କଲେଜରୁ ମଧ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଅନଲାଇନ୍ ମୋଡରେ ପରୀକ୍ଷା ଦେଇପାରିବେ। ଅନଲାଇନ୍ ମୋଡରେ ପରୀକ୍ଷା କିଭଳି ହେବ, କ’ଣ ତାର ମାନଦଣ୍ଡ ରହିବ ସେ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ଓ କଲେଜ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇ ଦିଆଯିବ । ଛାତ୍ରଛାତ୍ରୀମାନେ  ଜୁଲାଇ ମଧ୍ୟଭାଗରୁ ଶେଷ ପର୍ଯ୍ୟନ୍ତ ଅନଲାଇନ ମୋଡରେ କ୍ଲାସ୍ କରି ନିଜ ନିଜ ବିଷୟକୁ ନେଇ ମନରେ ଥିବା ସଂଶୟ ଦୂର କରିପାରିବେ।

LEAVE A REPLY

Please enter your comment!
Please enter your name here