ମନରେଗାରେ ମେସିନ କାମ : ଦୁର୍ନୀତି ନା ସୁନୀତି !!!

0
134

ବୁଗୁଡା,୨୫/୦୭/୨୦୨୧:
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ସଂସ୍ଥା ବା ମନରେଗାରେ ମେସିନ ବ୍ୟବହାର ଏକ ଦୁର୍ନୀତି ପୂର୍ଣ୍ଣ କାର୍ଯ୍ୟ ନା ସୁନୀତି କାର୍ଯ୍ୟ ବିଚାର କରିବା ସମୟ ଆସିଛି।ଗ୍ରାମାଞ୍ଚଳର ଶ୍ରମିକ ମାନଙ୍କ ନିଶ୍ଚିତ ଭାବେ କର୍ମ ନିଯୁକ୍ତି ଦେବା ଉଦ୍ଦେଶ୍ୟରେ ଏହି ଜାତୀୟ ସଂସ୍ଥା ସ୍ଥାପନ ହୋଇଥିବା ବେଳେ ମେସିନ ବ୍ୟବହାର ଦ୍ୱାରା ଶ୍ରମିକ ମାନେ କାମଧନ୍ଦା ହରାଉଥିବା ଏକ ନିଶ୍ଚିତ ଦୁର୍ନୀତି ପୂର୍ଣ୍ଣ କାର୍ଯ୍ୟ ବୋଲି ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଦାବିକାରୀ ବହୁ ସାମ୍ବାଦିକ ସମ୍ମିଳନୀ କରୁଥିବା ଗଣମାଧ୍ୟମରେ ପ୍ରକାଶ ପାଉଅଛି। ଅଭିଯୋଗ ମେସିନ ବ୍ୟବହାର କରି ହରିଲୁଟ କରାଯାଉଛି। ଗରିବ ଲୋକେ କାମଧନ୍ଦା ପାଉନାହାଁନ୍ତି। ଏହି ଅଭିଯୋଗ ଉପରେ ଅନୁସନ୍ଧାନ ପରେ ଜଣାପଡ଼ିଛିଯେ ମେସିନ ବ୍ୟବହାର ସତ୍ୟ ଅଟେ। ମାତ୍ର ଅନ୍ୟ ଅଭିଯୋଗ ସତ୍ୟ ଉପରେ ଆଧାରିତ ନୁହେଁ। ମେସିନ ବ୍ୟବହାର କରି ହରିଲୁଟ ଅଭିଯୋଗ ସବୁ ରାଜନୈତିକ ଦଳ କହୁଛନ୍ତି। ଯେଉଁମାନେ ଅଭିଯୋଗ ଆଣୁଛନ୍ତି ସେହି ପାର୍ଟିର ଲୋକ ପ୍ରତିନିଧି ମାନଙ୍କ ଅଞ୍ଚଳରେ ମଧ୍ୟ ମେସିନ ବ୍ୟବହାର ହେଉଛି। ନିୟମ ଅନୁସାରେ ଶ୍ରମ ଦିବସ ସୃଷ୍ଟି ପାଇଁ ଏହି ଯୋଜନା ଉଦ୍ଦିଷ୍ଟ। ଶ୍ରମିକ ମାନେ ହିଁ କାମକଲେ ସେମାନେ ରୋଜଗାର କରିବା ଦ୍ୱାରା ସେମାନବକ ଆର୍ଥିକ ଅବସ୍ଥା ସୁଧୀରି ପାରିବ। ହେଲେ ଯେଉଁମାନେ ମନରେଗା କାମ କରୁଛନ୍ତି ସେମାନେ ସବୁଜାଣି ମଧ୍ୟ ମେସିନ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ମେସିନ ଲଗାଇ କାମ କରୁଥିବା ର ମୁଖ୍ୟ କାରଣ ମନରେଗା କାମ କରିବାକୁ ଶ୍ରମିକମାନେ ଇଚ୍ଛୁକ ନୁହଁନ୍ତି। ଏହାର ମୁଖ୍ୟ କାରଣ ହେଲା ମନରେଗା ଯୋଜନାରେ କାମକଲେ ଦିନକୁ ଦୈନିକ ମଜୁରୀ ମିଳୁଛି ୨୧୫ ଟଙ୍କା । ମାତ୍ର ସେମାନେ ଅନ୍ୟସ୍ଥାନରେ କାର୍ଯ୍ୟକଲେ ଦୈନିକ ମଜୁରୀ ପାଉଛନ୍ତି ୩୦୦ ଟଙ୍କା। ଯେଉଁମାନେ ତାମିଲନାଡୁ, କେରଳ ପ୍ରଭୃତି ରାଜ୍ୟକୁ କାମକରିବାକୁ ଯାଉଛନ୍ତି ଦୈନିକ ମଜୁରୀ ପାଉଛନ୍ତି ୫୦୦ ଟଙ୍କାରୁ ଉର୍ଦ୍ଧ। ସେଥିପାଇଁ ଓଡ଼ିଶାର ବହୁ ଅଣକୁଶଳୀ ଶ୍ରମିକ ବାହାର ରାଜ୍ୟକୁ କାମକରିବାକୁ ଚାଲିଯାଉଛନ୍ତି। ଓଡ଼ିଶାରେ ଯେଉଁ କେତକ ଶ୍ରମିକ ରହୁଛନ୍ତି ସେମାନେ ମନରୋଗା ଯୋଜନାରେ କାର୍ଯ୍ୟ ନକରି ୩୦୦ ଟଙ୍କା ମଜୁରୀ ପାଇଁ ବାହାରେ କାର୍ଯ୍ୟ କରିଥାନ୍ତି। କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ତାଗିଦ ତୁରନ୍ତ କାର୍ଯ୍ୟ ଶେଷ କର। ଯେଉଁମାନେ ମନରେଗା ଯୋଜନାରେ କାମ କରୁଛନ୍ତି ସେମାନେ ମେସିନ ଲଗାଇ କାମ କରିବାକୁ ବାଧ୍ୟ ହେଉଥିବା ବେଳେ ଶ୍ରମିକ ମାନଙ୍କ ମିଥ୍ୟା ନାମ ଲେଖି ସେମାନେ କାମ କରିବା ଭଳି ଦର୍ଶାଇଥାନ୍ତି । ଯଦି ମେସିନ ଲଗାଇ କାମ କରିବେ ନାହିଁ ତେବେ ସେହି ପ୍ରକଳ୍ପ ହୋଇ ପାରିବ ନାହିଁ। ଟଙ୍କା ଫେରସ୍ତ ଯିବା ସୁନିଶ୍ଚିତ। ଯାହା ଫଳରେ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରିବ ନାହିଁ। କେତେକ ସ୍ଥାନରେ ଯେଉଁ ଶ୍ରମିକ ମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସରକାରୀ ଧାର୍ଯ୍ୟ ଦର ୨୧୫ ଟଙ୍କା ବଦଳରେ ୩୦୦ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି କାମ କରାଉଥିବା ବ୍ୟକ୍ତି। ସେହି ବ୍ୟକ୍ତି ଜଣଙ୍କ ଶ୍ରମିକ ପିଛା ଯେଉଁ ୮୫ ଟଙ୍କା ଅଧିକ ଦେଉଛନ୍ତି ତାହା ଭରଣ କରିବାକୁ ମିଥ୍ୟା ଶ୍ରମିକ ନାମ ଲେଖିବାକୁ ବାଧ୍ୟ ହୋଇଥାନ୍ତି। ଏହା ହେଉଛି ପ୍ରକୃତ ସ୍ଥିତି। ଏହି ବିଷୟ ସମସ୍ତ ରାଜନୈତିକ ଦଳର ନେତାମାନେ ଜାଣିଥିଲେ ମଧ୍ୟ ରାଜନୈତିକ ଉଦ୍ଦେଶ୍ୟରେ ଲୋକଦେଖା ହାହୋଲ୍ଲା କରିଥାନ୍ତି। ଯେଉଁମାନେ ମନରେଗା କାମରେ ମେସିନ ଲାଗି ବେନିୟମ କାର୍ଯ୍ୟ ହେଇଛି ବୋଲି ରଡି ପକାଉଛନ୍ତି ସେହି ରାଜନୈତିକ ଦଳର ନେତାମାନଙ୍କ ଶାସନ ସମୟରେ ଓ ସେମାନଙ୍କ ସମର୍ଥକ ଥିବା ସରପଞ୍ଚଙ୍କ ପଞ୍ଚାୟତରେ ମଧ୍ୟ ମେସିନରେ କାମ ହେଉଥିଲା ଓ କାମ ମଧ୍ୟ ହେଉଛି, ଏଥିରେ ଦ୍ବିମତ ନାହିଁ। ବର୍ତ୍ତମାନର ଶ୍ରମିକ ସମସ୍ୟା ସମୟରେ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ମେସିନ ଲାଗି କାମ ହେଉଥିବା ବେଳେ ତାହା ନିୟମ ଅନୁସାରେ ଦୁର୍ନୀତି କୁହାଗଲେ ମଧ୍ୟ ଏହା ସୁନୀତି ବୋଲି ଧରି ନେବାକୁ ପଡୁଛି। ଯଦି ସମସ୍ତ କାର୍ଯ୍ୟ ଶ୍ରମିକ ଦ୍ୱାରା କରିବାକୁ ହେଲେ ଦୈନିକ ମଜୁରୀ ଅନ୍ୟରାଜ୍ୟ ଓ ଘରୋଇ ସଂସ୍ଥାକୁ ଦେଖି ସ୍ଥିର କରିବାକୁ ପଡିବ। ମନରେଗା କାମରେ ପ୍ରକଳ୍ପ ନିର୍ମାଣ ପାଇଁ ଅଞ୍ଚଳର ଉନ୍ନତି ପାଇଁ ମେସିନ ବ୍ୟବହାର କରିବାକୁ ବାଧ୍ୟ ନତୁବା ସେହି ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରିବା ନାହଁ ଏହା ନିରାଟ ସତ୍ୟ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here