ଚୋରାବାଲି ବୋଝେଇ ଟ୍ରାକ୍ଟର ଚାପାରେ ଜଣେ ମୃତ । ଉତ୍ତେଜିତ ଗାଁ ଲୋକଙ୍କ ରାସ୍ତାରୋକ । ପୋଲିସର ବୁଝାସୁଝା । ଡ୍ରାଇଭର ଗିରଫ ।

0
219

ବ୍ରହ୍ମପୁର,୨୬/୦୭/୨୦୨୧: ଜିଲ୍ଲା ସ୍ତରରେ ଲଘୁ ଖଣିଜ ଉତ୍ସର ଉଚିତ ପରିଚାଳନା କରିବାରେ ପ୍ରଶାସନିକ ଦୁର୍ବଳତାକୁ ନେଇ ସାଧାରଣରେ ବିଭାଗ ଉପହାସିତ ହେଉଥିବା ବେଳେ ତହସିଲ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ତରରେ କାରସାଦି କରି ବହୁ ଅଣ ନିଲାମୀରେ ଥିବା ଖଣିଜ ଉତ୍ସକୁ ଚୋରା ବାଲି ପଥର ମାଫିଆଙ୍କ ହାତରେ ଛାଡ଼ି ଦେଇଥିବା ଦେଖିବାକୁ ମିଳିଅଛି । ଶାସକ ଦଳୀୟ ମାଫିଆଙ୍କ ହିତପାଇଁ ସମ୍ପ୍ରତି ପ୍ରଶାସନ କାର୍ଯ୍ୟକରୁଥିବା ବେଳେ ଉଦ୍ଧତ ମାଫିଆ ସନ୍ଧ୍ୟା ଛଅ ରୁ ସକାଳ ଛଅ ଯାଏଁ ରାତିସାରା ଜେସିବି ଲଗାଇ ଟ୍ରାକ୍ଟର ଦ୍ଵାରା ଅବୈଧ ବାଲି ଚାଲାଣ ଅଞ୍ଚଳରେ ରାଜୁତି କରୁଥିବା ନେଇ ଅଭିଯୋଗ ହେଉଅଛି । ଏହି ସ୍ଥିତିରେ ଆଜି ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଧୀନ ଧରାକୋଟ ତହସିଲ ଓ ରାଜସ୍ବ ସର୍କଲ ଅନ୍ତର୍ଗତ ଜାନିବିଲି ଆନିକଟ ନିକଟ ଅଣ ନୀଲାମୀ ସଇରାତରୁ ଚୋରାଵାଲି ଚାଲାଣ କରୁଥିବା ଏକ ଟ୍ରାକ୍ଟର ଚାପାରେ ନନ୍ଦିଘର ତୋଟା ନିକଟରେ ଗ୍ରାମର ଗୋବିନ୍ଦ ମହାନ୍ତି ( ୫୪ ) ଙ୍କ ମୃତ୍ୟୁକୁ ନେଇ ଉତେଜନା ଦେଖାଯାଇଅଛି । ନନ୍ଦୀଘର ଗ୍ରାମବାସୀ ଟ୍ରାକ୍ଟରକୁ ଜବତ କରି ମୃତ ଶବକୁ ରାସ୍ତାରେ ରଖି ରାସ୍ତାରୋକ କରିଛନ୍ତି । ଘଟଣା ସ୍ଥଳରେ ଧରାକୋଟ ଥାନା ପୋଲିସ ପହଞ୍ଚି ଘଟଣାର ତନାଘନା କରୁଥିବା ସୂଚନା ରହିଅଛି । ଗ୍ରାମବାସୀଙ୍କ ତଥ୍ୟ ପ୍ରକାରେ ଉକ୍ତ ଅଞ୍ଚଳର ଚାରିରୁ ଅଧିକ ବାଲି ଶୈରାତର ନିଲାମି ଅବଧି ସରିଥିଲେ ମଧ୍ୟ ବିଭାଗୀୟ ଉଦାସୀନତା କାରଣରୁ ନିଲାମୀ କରାଯାଉନାହିଁ । ପୁରୁଣା ନିଲାମଧାରୀ ଏହି ବାଲି ଉତ୍ସରୁ ସାରାରାତି ଅବୈଧ ବାଲି ଚାଲାଣ ହେଉଥିବା ବେଳେ ତହସିଲ କିମ୍ବା ପୋଲିସର ନିଘା ରହୁନଥିବା ଅଭିଯୋଗ ରହିଅଛି । ଆଜି ରାତ୍ରି ସାଢେ଼ ସାତଟାରେ ଏହି ରାସ୍ତାରେ ମାଳ ମାଳ ଟ୍ରାକ୍ଟର ବାଲି ଚାଲାଣ କରୁଥିବା ବେଳେ ବେପରୁଆ ପ୍ରତିଯୋଗିତା ପୂର୍ଣ୍ଣ କ୍ଷୀପ୍ରଗତି ଟ୍ରାକ୍ଟର ଚାଳନା କାରଣରୁ ଭାରସାମ୍ୟ ହରାଇ ମୃତକଙ୍କ ଉପରେ ଟ୍ରାକ୍ଟର ଚଢ଼ିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ସୂଚନା ମିଳିଛି । ଖବର ପରିବେଷଣ ସୁଦ୍ଧା ଘଟଣା ସ୍ଥଳରେ ଉତେଜନା ଲାଗି ରହିଥିବା ବେଳେ ଧରାକୋଟ ଥାନା ଅଧିକାରୀ ଆଇନ ଶୃଙ୍ଖଳା ସ୍ଵାଭାବିକ କରାଇବାକୁ ଆଲୋଚନା କରୁଥିବା ସୂଚନା ରହିଅଛି ।

LEAVE A REPLY

Please enter your comment!
Please enter your name here