ବ୍ରହ୍ମପୁର,୨୨/୦୮/୨୦୨୧: ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ”ଟିମ କ୍ଲିନ ସିଟି ବ୍ରହ୍ମପୁର” ପକ୍ଷରୁ ସାପ୍ତାହିକ ସାମାଜିକ ସେବା କାର୍ଯ୍ୟ ଜାରି ରହିଛି। ଟିମ ପକ୍ଷରୁ ୮୧ ତମ ଅସହାୟଙ୍କୁ ସେବା ପ୍ରଦାନ କରାଯାଇଛି। ମାଧବ ସାହୁ ନାମକ ବ୍ୟକ୍ତିଙ୍କୁ ଷ୍ଟେସନ ରୋଡରୁ ଉଦ୍ଧାର କରାଯାଇଛି। ମାଧବଙ୍କ ଘର ସ୍ଥାନୀୟ ଗୋସାନିନୁଆଗାଁ କଦଳିବାଡ ସାହିରେ। ଘରର ଆର୍ଥିକ ଦୁଃସ୍ଥିତି କାରଣରୁ ତାଙ୍କର ମାନସିକ ବିକୃତି ଘଟିଥିବା ସନ୍ଦେହ କରାଯାଉଛି। ତାଙ୍କୁ ଉଦ୍ଧାର କରି ସଫା କରି ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ପରେ ଆଜି ରକ୍ଷା ବନ୍ଧନ ଅବସରରେ ଟିମର ମହିଳା ସଦସ୍ୟଙ୍କ ଦ୍ଵାରା ମାଧବଙ୍କୁ ରାକ୍ଷୀ ବନ୍ଧା ଯାଇଥିଲା। ଏହାସହ ରାସ୍ତା ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ମହିଳା ସଫେଇ କର୍ମଚାରୀଙ୍କ ଦ୍ଵାରା ଟିମ ସଦସ୍ୟମାନେ ରାକ୍ଷୀ ପିନ୍ଧି ରକ୍ଷାବନ୍ଧନ ପାଳନ କରିଥିଲେ। କରୋନା କଟକଣା ଦୃଷ୍ଟିରୁ ଟିମର ଏଭଳି ସେବା କାର୍ଯ୍ୟ ସ୍ଥଗିତ ଥିଲା। ଏଣିକି ପୁଣି ଏହିକାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଟିମ କ୍ଲିନ୍ ସିଟି, ବ୍ରହ୍ମପୁର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।