ବ୍ରହ୍ମପୁର , ୨୯/୦୮/୨୦୨୧: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ଛଣମେରୀ ଗ୍ରାମର ତବତିଆ ପ୍ରଧାନଙ୍କ ନାବାଳକ ପୁଅ ଶିବରାମ ପ୍ରଧାନଙ୍କୁ ଗ୍ରାମର ଜନୈକ ଦାଦନ ଦଲାଲ ଅହମଦାବାଦ କମ୍ପାନୀରେ କାମ କରାଇବାକୁ ନେଇଥିବା ବେଳେ ସଂପୃକ୍ତ ନାବାଳକ ଶ୍ରମିକର ମୃତ୍ୟୁକୁ ନେଇ ଛଣମେରୀ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ପୂର୍ବତନ ସାନଖେମୁଣ୍ଡି ବିଧାୟିକାଙ୍କ ଉଦ୍ୟମ କ୍ରମେ ସ୍ଥାନୀୟ ପ୍ରଶାସନ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ହସ୍ତକ୍ଷେପରେ ରାଜ୍ୟ ସରକାରଙ୍କ ” ଓଡ଼ିଶା ମୋ ପରିବାର ” ଯୋଜନ ଅନ୍ତର୍ଗତରେ ଆଜି ମୃତକଙ୍କ ପାର୍ଥିବ ଶରୀର ସୁଦୂର ଗୁଜରାଟର ଅହମଦାବାଦରୁ ଆମ୍ବୁଲାନ୍ସ ଯୋଗେ ବର୍ଷାମୁଖର ସନ୍ଧ୍ୟାରେ ଗ୍ରାମରେ ପହଞ୍ଚିଲା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏକମାତ୍ର ପୁଅକୁ ହରାଇ ପରିବାରର ବାପା ମା ଜେଜେମାଙ୍କ ସହ ଭାଇକୁ ହରାଇଥିବା ତିନି ଭଉଣୀଙ୍କ କୋହଭରା ବିଳାପ ସାହିରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା ବେଳେ ଆଖପାଖ ଗାଁ ସହ ଛଣମେରୀ ଗ୍ରାମର ଆବାଳ ବୃଦ୍ଧ ମହିଳା ସାହିରେ ରୁଣ୍ ହୋଇ ସମବେଦନା ଜଣାଇଥିଲେ ।
ମରଶରୀର ଫେରୁଥିବା ସମୟ ପ୍ରକାରେ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ତଥା ରାଜ୍ୟ ମହିଳା ବିଜେଡିର ଉପଦେଷ୍ଟା ଶ୍ରୀମତୀ ନନ୍ଦିନୀ ଦେବୀ ଭୁବନେଶ୍ୱରରୁ ଛଣମେରୀରେ ପହଞ୍ଚି ନିଜ ଅମୁଗତଙ୍କ ସହିତ ମୃତ ନାବାଳକ ଶ୍ରମିକ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଥିଲେ । ଏକମାତ୍ର ରୋଜଗାରିଆ ପୁଅକୁ ହରାଇଥିବା ପରିବାରକୁ ଆଶ୍ୱାସନା ପ୍ରଦାନ ସହିତ କିଛି ଆର୍ଥିକ ସହାୟତା କରିବା ସହିତ କ୍ଷତିଗ୍ରସ୍ତ ପରିବାର ପାଇଁ ସମସ୍ତ ବିକଳ୍ପ ସରକାରୀ ବ୍ୟବସ୍ଥା ପାଇଁ ସମ୍ମତି ପ୍ରଦାନ କରିଥିଲେ । ବ୍ଲକ ବିଜେଡି ସଭାପତି ଧୋବା ସ୍ବାଇଁ , ବିଜେଡି ରାଜ୍ୟ ପରିଷଦ ସଭ୍ୟ ତଥା ଜିଲ୍ଲା ସମ୍ପାଦକ ଯୋଗେନ୍ଦ୍ର ସ୍ବାଇଁ , ଅମିନ ପ୍ରଧାନ , ଜିଲ୍ଲାପରିଷଦ ସଭ୍ୟା ଗୀତାଞ୍ଜଳୀ ନାୟକ , ଓମ୍ ପ୍ରସାଦ ସାହୁ , ଯୁବ ବିଜେଡିର ସନ୍ତୋଷ ବିଷୋୟୀଙ୍କ ସହ ଶତାଧିକ ବିଜେଡି କର୍ମୀ , କର୍ମକର୍ତ୍ତା ସହ ବିଜେଡି ଅନୁଗତ ଶୋକାକୁଳ ପରିବାରକୁ ଭେଟି ସମବେଦନା ଜଣାଇଥିଲେ ।
ସନ୍ତୋଷ କୁମାର ଦାଶ ।