୧୪୩ ବର୍ଷର ଖଲ୍ଲିକୋଟ କଲେଜ ଇତିହାସକୁ ବିକୃତ କରିବା ବନ୍ଦ କର -ପୀତବାସ ପଣ୍ଡା

0
190

ବ୍ରହ୍ମପୁର,୧୩/୦୯/୨୦୨୧: ଖଲ୍ଲିକୋଟ କଲେଜ ଓଡିଶାର ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଅନୁଷ୍ଠାନ l ଏହି ଶିକ୍ଷା ଅନୁଷ୍ଠାନ ସହ ଓଡିଶାର ବହୁ ବରପୁତ୍ରଙ୍କ ଭାଗ୍ୟ ଜଡିତ l ଓଡିଶାକୁ ଶିକ୍ଷାର ଆଲୋକ ପ୍ରଦାନ କରିଥିବା ଏହି ‘ମାଁ’ ଙ୍କ ଇତିହାସକୁ ନଷ୍ଟ ଓ କଦର୍ଯ୍ୟ କରିବାକୁ ଏକ ହୀନ ଚକ୍ରାନ୍ତ ଆରମ୍ଭ ହୋଇଛି l ଦୁର୍ଭାଗ୍ୟ ଏହା ଜାଣି ମଧ୍ୟ ସରକାର ଓ କଲେଜ କତୃପକ୍ଷ ଅଜଣା l ବର୍ତ୍ତମାନର ଖଲିକୋଟ ବିଶ୍ବବିଦ୍ୟାଳୟ ତଥା ପୁରୁଣା ଖଲିକୋଟ କଲେଜର ପ୍ରବେଶ ଦ୍ଵାର ରେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ – ଖଲିକୋଟ କଲେଜ ସ୍ଥାପିତ ୧୮୭୮ ବୋଲି ଉଲ୍ଲେଖ ଥିଲା। ସେ ନାମ ତୋରଣ ଉଠାଇ ଦେଇ ଖଲିକୋଟ ବିଶ୍ବବିଦ୍ୟାଳୟ ୨୦୨୧ ଲେଖିଛନ୍ତି ସରକାର l ଏହି ପରିପ୍ରେକ୍ଷୀରେ ଖଲିକୋଟ କଲେଜର ୧୪୩ ବର୍ଷର ଐତିହାସିକତା ହଜାଇବାକୁ ଚେଷ୍ଟା ଚାଲିଛି l ପୁରୁଣା ନାମ ତୋରଣ ଉର୍ଦ୍ଧ୍ବରେ ନୂତନ ତୋରଣ ନିର୍ମାଣ କରି ବିଶ୍ବବିଦ୍ୟାଳୟ ନାମ ଲେଖା ଯାଇ ପାରିଥାନ୍ତା।କିମ୍ବା କଲେଜ ମଧ୍ୟରେ ଥିବା ଅନ୍ୟ ତିନି ଗୋଟି ପ୍ରବେଶ ପଥ ମଧ୍ୟରୁ ଗୋଟିକରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ୨୦୨୧ ବୋଲି ଲେଖା ଯାଇପାରନ୍ତା l ଏହାସହ ସେହିପରି ଖଲିକୋଟ କଲେଜ ପରିସରରେ -“ଧରାକୋଟ ବିଜ୍ଞାନାଗାର “ନାମରେ ଏକ ପୁରାତନ କୋଠା ଥିଲା, ନବନିର୍ମାଣ ନାମରେ ସେହି କୋଠା ଟିକୁ ସମ୍ପୂର୍ଣ୍ଣ ଭାଙ୍ଗିଛନ୍ତି ସରକାର ,ଏଥି ସଂଲଗ୍ନ ୧୯୦୯ ମସିହାର ଫଳକ କୁ ମଧ୍ୟ ଭାଙ୍ଗି ନଷ୍ଟ କରାଯାଇଛି l ସୂଚନା ଯୋଗ୍ୟ ଯେ ଖଲ୍ଲିକୋଟ ରଜା ହରିହର ମର୍ଦ୍ଧରାଜଙ୍କ ଅକାଳ ଵିୟୋଗ ପରେ ତାଙ୍କ ଭିଣୋଇ ଧରାକୋଟ ରଜା ମଦନ ମୋହନ ସିଂହ ଦେଓ କଲେଜ ପରିଚାଳନା ଦାୟିତ୍ୱ ନେଲେ ଓ ସେ ୧୯୦୯ ମସିହା ଫେବୃଆରୀ ୪ତାରିଖରେ ଏହି କୋଠା ନିର୍ମାଣ କରିଥିଲେ, ଏବଂ ତତ୍କାଳୀନ ମାନ୍ଦ୍ରାଜ ଗଭର୍ଣ୍ଣର ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଏହା ବାବଦରେ ସେହି ସମୟରେ ଧରାକୋଟ ରାଜା କୋଟିଏ ରୁ ଉର୍ଦ୍ଧ ଟଙ୍କା ବ୍ୟୟ କରିଥିଲେ l ଏହି କଥା ସରକାର ଓ କଲେଜ କତୃପକ୍ଷ ଅବଗତ ଥାଇ ମଧ୍ୟ ଐତିହାସିକ ଫଳକ ଟିକୁ ସୁରକ୍ଷା ଦେଲେ ନାହିଁ। ଏହି ବିଜ୍ଞାନାଗର କୋଠାରେ ଭାରତର ବହୁ ବିଶିଷ୍ଟ ବ୍ୟକ୍ତି ପାଠପଢି ଦେଶବିଦେଶରେ ସୁନାମ ଅର୍ଜନ କରିଛନ୍ତି, ଯେମିତି କି ବିଶ୍ବପ୍ରସିଦ୍ଧ ଅନ୍ତରୀକ୍ଷ ବିଜ୍ଞାନୀ କୋଟା ହରିନାରାୟଣା ଅନ୍ୟତମ। ଖଲିକୋଟ କଲେଜର ପୂର୍ବତନ ଛାତ୍ର,ତଥା ଗଞ୍ଜାମ ଜିଲ୍ଲାର ଐତିହ୍ୟ ପ୍ରେମୀ ଦାବୀ କରୁଛନ୍ତି ଯେ, ପୁରୁଣା ବିଜ୍ଞାନାଗର ସଂଲଗ୍ନ ୧୯୦୯ ମସିହାର ଫଳକଟି ପୁନର୍ବାର ସ୍ଥାପନ କରାଯିବା ସହ, ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ଖଲିକୋଟ କଲେଜ ୧୮୭୮ ସୂଚନା ତୁରନ୍ତ ରଖାଯାଉ ।ଏହି କଥା ଆମ୍ଭ ଐତିହ୍ୟ, ଭାବାବେଗ, ପରମ୍ପରା ସହ ଜଡ଼ିତ ।ଏଣୁ
ଆସନ୍ତା ୧୫ ଦିନ ମଧ୍ୟରେ ଏ ଦୁଇଟି ଦାବୀ ପୂରଣ ନହେଲେ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣା, ଆନ୍ଦୋଳନ, ଅନଶନ କରିବାକୁ ଆଇନଜୀବୀ ପୀତବାସ ପଣ୍ଡା ଚେତାବନୀ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here