ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ସକାଶେ ଜରୁରୀ ଯୋଜନା ପ୍ରସ୍ତୁତି ବୈଠକ

0
238

ଛତ୍ରପୁର, ୧୪/୦୯/୨୦୨୧ : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ସକାଶେ ଜରୁରୀ ଯୋଜନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଅମିୟ କୁମାର ସାହୁ ଅଧ୍ୟକ୍ଷତା କରି କାରଖାନା ବାହାରେ ଆକସ୍ମିକ ବିପର୍ଯ୍ୟୟ ଏବଂ ରାସାୟନିକ ଦୁର୍ଘଟଣା ଯୋଗୁଁ ଘଟୁଥିବା ବିପତ୍ତି ତଥା ମାନବକୃତ ବିଭିନ୍ନ ଜୀବନ ହାନୀ ଗ୍ୟାସ୍ ଦୁର୍ଘଟଣାକୁ ପ୍ରତିରୋଧ କରିବା ସକାଶେ ଗୁରୁତ୍ୱାରୋପ କରିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ଅନ୍ତର୍ଜାତୀୟ ସ୍ତରରେ ସୁନାମ ବଜାୟ ରହିଛି । ଏହାସହ କୋଭିଡ୍ ମହାମାରୀ ପ୍ରଥମ ଓ ଦ୍ୱିତୀୟ ଲହର୍‌କୁ ମୁକାବିଲା କରିବାରେ ଗଞ୍ଜାମ ଜିଲ୍ଲା ଚର୍ଚ୍ଚିତ ହୋଇ ଆସୁଅଛି । ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଯେପରି ଏକ ଟିମ୍ ୱାର୍କ ଭାବେ କାମ କରି ସଫଳତା ର ଶୀର୍ଷ ସ୍ଥାନରେ ପହଂଚି ପାରିଛି । ସେହିପରି କାରଖାନା ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣାକୁ ପ୍ରତିରୋଧ କରିବା ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଛୋଟ ବଡ କାରଖାନା ଗୁଡିକ ସମନ୍ୱୟ ରଖି କାମ କରିବାକୁ କୁହାଯାଇଛି । ବିଗତ ବର୍ଷ ଗୁଡିକରେ ଜାତୀୟ ରାଜପଥରେ ୪ ଥର ହେଲା ଗ୍ୟାସ୍ ଟ୍ୟାଙ୍କର ଓଲଟି ଦୁର୍ଘଟଣା ଘଟିଛି । ଏଥିରେ ପ୍ରାୟ ୫ ଜଣଙ୍କ ଜୀବନ ହାନୀ ହୋଇଥିବା ବେଳେ ଗ୍ୟାସ୍ ଟ୍ୟାଙ୍କର ଉଦ୍ଧାର କାର୍ଯ୍ୟ ପାଇଁ ଦୀର୍ଘ ସମୟ ଚେଷ୍ଟା କରି ଏହି ଉଦ୍ଧାର କାର୍ଯ୍ୟ କରାଯାଇଛି । ଫଳରେ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଯାତାୟତ ଠପ୍ ହେବା ସହ ହଜାର ହାଜର ଯାନବାହନ ଅଟକି ରହୁଛି । ଜିଲ୍ଲାର ଓଡ୍ରାଫ୍‌, ଅଗ୍ନିଶମ ବାହାନୀ କିମ୍ବା ପୁଲିସ ଓ ପ୍ରଶାସନ ଅଧିକାରୀମାନେ ଲୋକଙ୍କୁ ସଚେତନତା କରିବା ବ୍ୟତୀତ ଏହି ଭଳି ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣାକୁ ରୋକିବାରେ ସମ୍ଭବପର ହୋଇପାରିବେ ନାହିଁ । ଏଥିପାଇଁ ବୈଷୟିକ ଜ୍ଞାନ ରହିତ ବା ଟେକ୍ନିକାଲ ଟିମ୍ ସହ ଅନ୍ୟାନ୍ୟ ଯାବତୀୟ ସାମଗ୍ରୀର ଆବଶ୍ୟକତା ରହିଛି । ଏଣୁ ଏହିପରି ଦୁର୍ଘଟଣାକୁ ପ୍ରତିରୋଧ ଏବଂ ତୁରନ୍ତ ଉଦ୍ଧାର କରିବା ପାଇଁ ଆଇଓସିଏଲ୍ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଏକ ଟେକ୍ନିକାଲ ଟିମ୍ ସହ ସମସ୍ତ ଯନ୍ତ୍ରପାତି ସହ ୨୪ ଘଣ୍ଟା କାମ କରିବା ପାଇଁ ବ୍ୟବସ୍ଥା କରିବା ଲାଗି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ଏହାକୁ ଭାରତୀୟ ଶିଳ୍ପ ଏବଂ ବାଣିଜ୍ୟ ସଂଘ ପ୍ରତିଷ୍ଠାନ(ଫିକ୍କି) ଆଇଓସିଏଲ୍ ସହ ସମନ୍ୱୟ ରଖି ପଦକ୍ଷେପ ନେବାକୁ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରସ୍ତାବ ରଖିଥିଲେ । ଗଞ୍ଜାମ ଜିଲ୍ଲା ଏକ ଶିଳ୍ପ ଜିଲ୍ଲା ଏବଂ ୧୬ ନମ୍ବର ଜାତୀୟ ରାଜପଥ ଗଞ୍ଜାମ ଜିଲ୍ଲା ଦେଇ ଗତି କରିଛି । ଓଡିଶା ବାହାରୁ ଟ୍ୟାଙ୍କର ଯୋଗେ ଏମୋନିଆ ଭଳି ବିଭିନ୍ନ ବିଷାକ୍ତ ରାସାୟନିକ ଗ୍ୟାସ ଟ୍ୟାଙ୍କର ଯାତାୟତ ରହିଥାଏ । ସମ୍ଭାବ୍ୟ ଦୁର୍ଘଟଣାକୁ ପ୍ରତିହିତ କରିବା ନିମନ୍ତେ ଜନସେଚତନତା ସହ ଶିଳ୍ପାଞ୍ଚଳ ଜନ ସାଧାରଣଙ୍କୁ ବ୍ୟାପକ ସତର୍କତା ଓ ସୁରକ୍ଷା ଅବଲମ୍ବନ ନିମନ୍ତେ ଶିଳ୍ପ ସଂସ୍ଥା ଗୁଡିକ ଧ୍ୟାନ ଦେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଗଞ୍ଜାମ ଜିଲ୍ଲାରେ ଗ୍ରାସୀମ ସହ ଅନ୍ୟାନ୍ୟ ଛୋଟବଡ କରି ୨୫ ଗୋଟି କାରଖାନା ରହିଛି । ଏହାସହ ଆଇଆରଇଏଲ୍‌, ଆସିକା ଚିନିଶିଳ୍ପ, ଗୋପାଳପୁର ବନ୍ଦର ଏବଂ ଆଇଓସିଏଲ୍ କାରଖାନା ରହିଛି । ଏହି କାରଖାନା ଗୁଡିକ ପରିସର ଏବଂ ପରିସର ବାହାରେ କେଉଁ ପ୍ରକାର ସୁରକ୍ଷା ଏବଂ ଉତ୍ପାଦକ ଓ ରପ୍ତାନୀ ବିଷୟରେ ଆଲୋଚନା ହେବା ସହ ସଂପୃକ୍ତ ଶିଳ୍ପ ସଂସ୍ଥା ପ୍ରତିନିଧି ଗଣ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଶିଳ୍ପସଂସ୍ଥାର ଚତୁଃପାଶ୍ୱର୍ରେ ଥିବା ଜନସାଧାରଣମାନଙ୍କର ସୁରକ୍ଷା ପ୍ରତି ପ୍ରାଧାନ୍ୟ ଦେବା ଦିଗରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଥିଲେ । ଗଞ୍ଜାମ ଆରଟିଓ ବିକାଶ ଚନ୍ଦ୍ର ଚୌଧୂରୀ ଚଳିତ ବର୍ଷ ଘଟିଥିବା ଦୁଇଗୋଟି ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା ସମୟରେ ଯେଉଁ ସବୁ ସମସ୍ୟା ଗୁଡିକ ଦେଖାଦେଇଥିଲା ତାହାର ସମାଧାନ ଦିଗରେ ଶିଳ୍ପାନୁଷ୍ଠାନ ଗୁଡିକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଜଣାଇଥିଲେ । ବିଶେଷ କରି ଗଞ୍ଜାମ ଜିଲ୍ଲା ନିକଟରେ ଗ୍ୟାସ୍ ଟ୍ୟାଙ୍କର ଉଦ୍ଧାର କାର୍ଯ୍ୟରେ ଟେକ୍ନିକାଲ ଟିମ୍ କିମ୍ବା ଆବଶ୍ୟକ ଯନ୍ତ୍ରପାତି ନଥିବାରୁ ଜଟିଣୀ ଏବଂ ବିଶାଖପାଟଣା ଅଞ୍ଚଳରୁ ଉଦ୍ଧାର ଟିମ୍ ପହଞ୍ଚିବା ସମୟ ପର୍ଯ୍ୟନ୍ତ ଅଞ୍ଚଳରେ ବିଭିନ୍ନ ସମସ୍ୟା ଦେଖାଦେଇଥିଲା । ଏଣୁ ଗଞ୍ଜାମ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଭାବେ ବୈଷୟିକ ଜ୍ଞାନ ରହିତ ଟିମ୍ ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଉଥିବା ଯନ୍ତ୍ରପାତି ରହିବା ଆବଶ୍ୟକ ରହିଛି ବୋଲି ଆରଟିଓ ଶ୍ରୀ ଚୌଧୂରୀ କହିଥିଲେ । କାରଖାନା ଏବଂ ବାଷ୍ପିତ ବିଭାଗର ସହକାରୀ ନିର୍ଦ୍ଦେଶକ ପୁଷ୍ପମିତ୍ରା ଜେନା ବିଗତ ଦିନର ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ସମ୍ବନ୍ଧରେ କିପରି ସମସ୍ୟା ରହିଥିଲା ତାହା ଉପରେ ଆଲୋକପାତ କରିଥିଲେ । ଗଞ୍ଜାମ ଜିଲ୍ଲା ଜରୁରୀ କାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା ୨୦୧୬ରୁ ୨୦୨୧ ମସିହା ମଧ୍ୟରେ ଜାତୀୟ ରାଜପଥରେ ୪ ଟି ଗ୍ୟାସ୍ ଟ୍ୟାଙ୍କର ଓଲଟିଥିବା ସୂଚନା ପ୍ରଦାନ କରିଥିଲେ । ଏହି ସମୟରେ କିଭଳି ମୁକାବିଲା ହୋଇଥିଲା ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେଉଁ ପ୍ରକାର ପଦକ୍ଷେପ ନିଆଯାଇଥିବା ତାହା ଉପରେ ଜଣାଇଥିଲେ । ବୈଠକରେ ଭାରତୀୟ ଶିଳ୍ପ ଏବଂ ବାଣିଜ୍ୟ ସଂଘ ପ୍ରତିଷ୍ଠାନ(ଫିକ୍କି)ର ଯୁଗ୍ମ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ବର୍ମା ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାର ବିଭିନ୍ନ କାରାଖାନର କର୍ତ୍ତୃପକ୍ଷ ରଖିଥିବା ବିବରଣୀ ଉପରେ ଆଲୋକପାତ କରିଥିଲେ । ଏହାସହ ଆସନ୍ତା ଦିନରେ କାରାଖାନା ପରିସରରେ ଏବଂ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣାକୁ ପ୍ରତିରୋଧ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଆଜି ବିଭାଗର ଦୁଇଜଣ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାର ଥିବା ବିଭିନ୍ନ କାରଖାନାକୁ ଗସ୍ତ କରି ସେଠାରେ ସୁରକ୍ଷା ଦିଗରେ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଆଗକୁ ଆଉ କେଉଁ ପ୍ରକାର ପଦକ୍ଷେପ ନିଆଗଲେ ଉଚିତ୍ ରହିବ ତାହାକୁ ନେଇ ତଦାରଖ କରାଯିବ ବୋଲି ଶ୍ରୀ ବର୍ମା କହିଥିଲେ ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର, ଆଦିତ୍ୟ ବିର୍ଲାର ଜିଏମ୍ ଟେକ୍ନିକାଲ ହରଦୀପ୍ କୋହିଲି, ୟୁନିଟ୍ ମୁଖ୍ୟ ଏବଂ କାରାଖାନ ମ୍ୟାନଜର (ଟାଟାଷ୍ଟିଲ୍‌) ବି.ଶ୍ରୀନିବାସ, ସରାଫ ଟିଟାନିୟମ୍‌ର ଜିଏମ୍ (ଏଚ୍‌ଆର୍‌) ଡ. ଯୋଗେନ୍ଦ୍ର ନାୟକ, ଏମ୍‌.ଡି. ଟି.ସଚିଦାନନ୍ଦ ଏବଂ ଅନ୍ୟାନ୍ୟ କାରାଖାନାର କର୍ତ୍ତୃପକ୍ଷ ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here