ପିପିଲି ଉପନିର୍ବାଚନ:ମୈଦାନରେ ହେବ ବିଗ୍ ଫାଇଟ

0
187

ଭୂବନେଶ୍ୱର, ୧୯/୦୯/୨୦୨୧: ପିପିଲିରେ ଏବେ ଉପନିର୍ବାଚନ ତାତି। ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ହେବ ଚକପଞ୍ଝା। ନିଜ ନିଜ ଦଳର ଷ୍ଟାର ପ୍ରଚାରକଙ୍କୁ ସାଥିରେ ନେଇ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି, ବିଜେପି, କଂଗ୍ରେସ। ସେପ୍ଟେମ୍ବର ୩୦ ରେ ହେବ ମତଦାନ। ଅକ୍ଟୋବର ୩ ରେ ଭୋଟ ଗଣତି ହେବ। ତେବେ ଏହା ପୂର୍ବରୁ ପିପିଲି ମାଟିରେ ସ୍ୱାଭିମାନର ଲଢେଇ ପାଇଁ ସବୁ ଦଳ ପ୍ରସ୍ତୁତ। ଘରକୁ ଘର ବୁଲି ଭୋଟ ଭିକ୍ଷା କରିବେ ପ୍ରାର୍ଥୀ। ଦିବଂଗତ ବିଧାୟକ ତଥା ବିଜେଡିର ଅଗଧାଡ଼ିର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ପୁଣି ଆରମ୍ଭ ହୋଇ ଉପ ନିର୍ବାଚନ ତାତି। ବିଜେଡିରୁ ତାଙ୍କ ସୁପୁତ୍ର ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ଟିକେଟ ଦେଇଥିବା ବେଳେ ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କର ଦେବା ପାଇଁ ଭାରତୀୟ ଜନତା ପାର୍ଟି ଆଶ୍ରିତ ପଟ୍ଟନାୟକ ଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ପିପିଲି ପାଇଁ କଂଗ୍ରେସ ଟିକେଟ ହାତେଇଥିଲେ ଟାଣୁଆ ସଂଗଠକ ଅଜିତ ମଙ୍ଗରାଜ। ତେବେ ପୂର୍ବରୁ ହୋଇଥିବା ଲଢେଇ ବିଜେଡି ଓ ବିଜେପି ମଧ୍ୟରେ ହିଁ ହୋଇଥିଲା। କରୋନା କାଳରେ କଟକଣା ମଧ୍ୟରେ ଉପନିର୍ବାଚନ ଚାଲିଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ପ୍ରାଣ ହରାଇଥିଲେ। ପୁଣି ବାତିଲ ହୋଇଥିଲା ପିପିଲି ଉପନିର୍ବାଚନ। କୋଭିଡ ର ସଂକ୍ରମଣ ଯୋଗୁଁ ଉପନିର୍ବାଚନକୁ ସମ୍ପୂର୍ଣ୍ଣ ଭାବେ ସ୍ଥଗିତ ମଧ୍ୟ ରଖାଯାଇଥିଲା। ବର୍ତ୍ତମାନ ପିପିଲି ଉପନିର୍ବାଚନ ବାଟ ଫିଟିଛି। ନିର୍ବାଚନ କମିଶନ ଏନେଇ ସୂଚନା ଦେବା ପରେ ଏବେ ପ୍ରାର୍ଥୀ ମାନେ ପୁଣି ମଇଦାନରେ ଲଢେଇ ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି। ସମସ୍ତେ ନିଜ ଦଳର ବିକାଶ କାର୍ଯ୍ୟ କୁ ଦୃଷ୍ଟି ରେ ରଖି ଲୋକଙ୍କ ନିକଟତର ହେବାରେ ଲାଗିଛନ୍ତି। ବିଜେଡି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସହ ବିକାଶର ବାର୍ତ୍ତାକୁ ନେଇ ପିପିଲି ବାସୀଙ୍କ ନିକଟରୁ ଯାଉଥିବା ବେଳେ କେନ୍ଦ୍ର ମୋଦି ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ସମେତ ରାଜ୍ୟ ରେ ନବୀନ ସରକାରର ଅପାରଗତା କୁ ନେଇ ଗର୍ଜନ କରିବାକୁ ବିଜେପି ପ୍ରସ୍ତୁତ ଚଳାଇଛନ୍ତି। ତେବେ ଏଥିମଧ୍ୟରେ ପଛରେ ପଡିଯାଇଛି କଂଗ୍ରେସ। ଉପନିର୍ବାଚନ ରେ ବିଜୟ ଲାଗି ବଳ ଗୋଟାଉଥିବା ବେଳେ ଆଖି ଦୃଷ୍ଟିଆ ନେତା ଓ ଷ୍ଟାର ପ୍ରଚାରକ ନଥିବା ସମେତ ଦଳରେ ଗୋଷ୍ଟି କନ୍ଦଳ ଯୋଗୁଁ ନିର୍ବାଚନ ବୈତରଣୀ ପାର ହେବା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ। ତେବେ ବିଧିବଦ୍ଧ ଭାବେ ଆସନ୍ତା କାଲି ଠାରୁ ପ୍ରଚାର ମଇଦାନ କୁ ପ୍ରାର୍ଥୀ ଓହ୍ଲାଇବାକୁ ଥିବା ବେଳେ ପୂର୍ବରୁ କିନ୍ତୁ ନିଜ ପ୍ରତିହାରା ଜାହିର କରିବା ପାଇଁ ସଙ୍ଘର୍ଷ ଜାରି ରଖିଛନ୍ତି। ଦିବଂଗତ ରାଜନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ଉପନିର୍ବାଚନରେ କମାଲ କରିବା ପାଇଁ ଆଶା ବାନ୍ଧିଥିବା ଜଣାପଡିଛି । ନବୀନ ଙ୍କ ସ୍ୱଚ୍ଛ ଶାସନ ଓ ପ୍ରଦୀପ ମହାରଥୀଙ୍କ ଆଶୀର୍ବାଦ ଓ ପିପିଲି ବାସୀଙ୍କ ଭଲ ପାଇବା ତାଙ୍କୁ ନିଶ୍ଚୟ ବିଜୟ କରିବ ବୋଲି ଆଶା ରଖିଛନ୍ତି। ଅନ୍ୟପଟେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ କମ ନୁହଁନ୍ତି। ନେତା ହିସାବରେ ବିଜେଡି ଉପରେ ଭାରି ପଡି ପାରନ୍ତି। ପୂର୍ବରୁ ମଧ୍ୟ ସେ ପିପିଲି ମାଟିରେ ବିପୁଳ ଭୋଟ ହାତେଇ ପାରିଥିଲେ। ତେବେ ବର୍ତ୍ତମାନ କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ମୈଦାନରେ ଥିବା ବେଳେ କେତେ ମାତ୍ରାରେ ଭୋଟ ହାତେଇବେ ତାହା ସମୟ ହିଁ କହିବ। ତେବେ ଦେଖାଯାଉ କାହାକୁ ବିଜୟ ଚୌକିରେ ବସାଉଛନ୍ତି ପିପିଲି ବାସୀ।

LEAVE A REPLY

Please enter your comment!
Please enter your name here