ପଥରରେ ଛେଚି ହତ୍ୟା ପରେ ରକ୍ତରେ ଦୁର୍ବୃତ୍ତ ଲେଖିଲେ ପରବର୍ତ୍ତୀ ଟାର୍ଗେଟଙ୍କ ନାଁ

0
355

ବ୍ରହ୍ମପୁର, ୨୦/୦୯/୨୦୨୧:( ଟୁକୁନା ପ୍ରଧାନ) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କୁ ଶୋଇଥିବା ଅବସ୍ଥାରେ ମୁଣ୍ଡକୁ ପଥର ଛେଚି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ୪୮ ବର୍ଷୀୟ ବିନାୟକ ପ୍ରଧାନ । ସୂଚନାନୁଯାୟୀ ହତ୍ୟାକାଣ୍ଡ ପୂର୍ବଶତ୍ରୁତା ଓ ମଦ ବେପାରକୁ କେନ୍ଦ୍ରକରି ଘଟିଥିବା ସନ୍ଦେହ କରାଯାଉଛି । ଏହି ହତ୍ୟାକାଣ୍ଡର ପାରିପାର୍ଶ୍ବିକ ସ୍ଥିତିରୁ ଦେଖିଲେ ଏଥିରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଛି। ହତ୍ୟା କରିବା ପରେ ହତ୍ୟାକାରୀ ମୃତ ବ୍ୟକ୍ତିଙ୍କ ରକ୍ତରେ ପରବର୍ତ୍ତୀ ଟାର୍ଗେଟଙ୍କ ନାଁ ଡ୍ରାଇଭର ଗୌଡ଼ ଘଟଣାସ୍ଥଳରେ ଲେଖିଥିବା ବେଳେ ଏକ ଖାତାରେ ପ୍ରଭା ଗୌଡ଼ଙ୍କ ନାଁ ଲେଖିଛନ୍ତି । ଟାର୍ଗେଟରେ ଲେଖାଯାଇଥିବା ଯୁବକ ଜଣକ ସୁରଟରେ ରହୁଥିବା ବେଳେ ଗତ କିଛି ମାସ ହେଲା ଗ୍ରାମକୁ ଆସିଛନ୍ତି। ଏହି ଯୁବକଙ୍କୁ ମଧ୍ୟ ହତ୍ୟାକାରୀ କେଉଁ କାରଣରୁ ଟାର୍ଗେଟ କରିଛି, ସେନେଇ ପୋଲିସ ତଦନ୍ତର ଦିଗକୁ ନେଇ ହତ୍ୟାକାରୀମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ କରିବାରେ ଲାଗିଛି। ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ପହଂଚି ମୃତଦେହ ଜବତ କରି ତଦନ୍ତ ଚଲାଇଛନ୍ତି। ଗ୍ରାମରେ ରବିବାର ରାତିରେ ଗୋଟିଏ ସାହିରେ ଗଣେଶ ମେଢ଼ରେ ଭୋଜି ଚାଲିଥିବା ବେଳେ ଅନ୍ୟ ଏକ ସାହିର ମେଢ଼ ଭସାଣି ଚାଲିଥିଲା । ମୃତ ବ୍ୟକ୍ତି ଜଣକ ଭୋଜି ଖାଇ ସବୁଦିନ ଭଳି ଗ୍ରାମ ନିକଟସ୍ଥ ଠାକୁରାଣୀ ମନ୍ଦିର ପାଖରେ ଥିବା ଏକ କୋଠଘରକୁ ଯାଇ ବିଶ୍ରାମ ନେଇଥିଲେ। ପ୍ରତ୍ୟେକ ଦିନ ସେଠାରେ ଗ୍ରାମର କିଛି ନା କିଛି ବ୍ୟକ୍ତି ବସାଉଠା କରୁଥିବା ବେଳେ ଘଟଣା ସମୟରେ ସମସ୍ତେ ଭୋଜି ଓ ଭସାଣିରେ ବ୍ୟସ୍ତ ରହିଥିବାରୁ କୋଠଘରକୁ କେହି ଯାଇ ନ ଥିଲେ। ଏହାର ସୁଯୋଗ ନେଇ ହତ୍ୟାକାରୀ ଏଭଳି କାଣ୍ଡ ଭିଆଇଛନ୍ତି। ରାତି ୧୨ଟାରେ ଭୋଜିରେ ବ୍ୟବହୃତ ହଣ୍ଡା ସଫା କରିବାକୁ କୋଠଘର ନିକଟରେ ଥିବା ପୋଖରୀକୁ ଯାଇଥିବା ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here