କାର୍ଯ୍ୟକାରୀ ହେବ ଗ୍ରାମାଞ୍ଚଳରେ ସହରୀ ବ୍ୟବସ୍ଥା

0
181

ପୋଲସରା / ବୁଗୁଡା, ୧୦/୧୦/୨୧ ପୋଲସରା ଓ ବୁଗୁଡା ବ୍ଲକର ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହେବାକୁ ଯାଉଛି ସହରୀ ବ୍ୟବସ୍ଥା। ଗ୍ରାମ ପଞ୍ଚାୟତରେ ମଧ୍ୟ ରାସ୍ତାରେ ପଡିବ ନାହିଁ ବର୍ଜ୍ୟବସ୍ତୁ। ସହର ପ୍ରକାରେ ପ୍ରତ୍ୟେକ ପରିବାରର ଦ୍ୱାର ମୁହଁରୁ ବର୍ଜ୍ୟବସ୍ତୁ ସିଧାସଳଖ ଗାଡ଼ିରେ ଯିବ ମିନି କମ୍ପୋଷ୍ଟ କେନ୍ଦ୍ରକୁ। ପୋଲସରା ବ୍ଳକର ଜକର ପଞ୍ଚାୟତରେ ଓ ବୁଗୁଡା ବ୍ଲକର ବାଲିପଦର ପଞ୍ଚାୟତରେ ମିନି କମ୍ପୋଷ୍ଟ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଡ଼ଷ୍ଟବିନ ପ୍ରଦାନ କରାଯାଇଛି। ପୋଲସରା ବ୍ଲକର ଜକର ପଞ୍ଚାୟତରେ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ଓ ବିଡ଼ିଓ ସୁରଞ୍ଜନ କୁମାର ସାହୁ ପ୍ରତ୍ୟେକ ପରିବାରକୁ ନୀଳ ଓ ସବୁଜ ରଙ୍ଗର ଦୁଇଟି ଲେଖାଏଁ ଡ଼ଷ୍ଟବିନ ପ୍ରଦାନ କରିଛନ୍ତି । ସବୁଜ ଡଷ୍ଟବିନରେ କମ୍ପୋଷ୍ଟ ହେବାକୁ ଯୋଗ୍ୟ ଆବର୍ଜନା ରହିବା ବେଳେ ନୀଳ ରଙ୍ଗର ଡଷ୍ଟବିନରେ ପ୍ଲାଷ୍ଟିକ, ଲୁହା, କାଚ ପ୍ରଭୃତି କମ୍ପୋଷ୍ଟ ଅନୁପଯୁକ୍ତ ପଦାର୍ଥ ରହିବ। ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଗାଡି ଦ୍ୱାରା ଦ୍ଵାରକୁ ଦ୍ୱାର ଯାଇ ଭିନ୍ନଭିନ୍ନ ବର୍ଜ୍ୟବସ୍ତୁ ସଂଗ୍ରହ କରି ମିନି କମ୍ପୋଷ୍ଟ କେନ୍ଦ୍ରକୁ ନିଆଯିବ। ସେହି କମ୍ପୋଷ୍ଟ ଉପଯୋଗୀ ବର୍ଜ୍ୟବସ୍ତୁରୁ ମିନି କମ୍ପୋଷ୍ଟ କରଣ କେନ୍ଦ୍ରରେ କମ୍ପୋଷ୍ଟ ତିଆରି ହୋଇ ଚାଷୀ ଓ ଅନ୍ୟ ମାନଙ୍କୁ ବିକ୍ରି କରାଯିବ। ଯାହା ଫଳରେ ରାସ୍ତାଘାଟରେ ଆବର୍ଜନା ପଡି ପରିବେଶ ଦୂଷିତ ନହୋଇ ଉତ୍ତମ କମ୍ପୋଷ୍ଟ ଖତ ଚାଷୀମାନେ ପାଇବା ସହ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ। ସେହିପରି ବାଲିପଦର ପଞ୍ଚାୟତରେ ମଧ୍ୟ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା ଓ ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା ଉଭୟେ ଡଷ୍ଟବିନ ବଣ୍ଟନ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି। ପୋଲସରା ବ୍ଳକର ମଥୁରା ଓ ଚିରିକିପଡା ଶାସନ ପଞ୍ଚାୟତରେ ମିନି କମ୍ପୋଷ୍ଟ କେନ୍ଦ୍ର ସ୍ଥାପନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବା ବେଳେ ପର୍ଯ୍ୟାୟ କ୍ରମେ ଅନ୍ୟ ସମସ୍ତ ପଞ୍ଚାୟତରେ ମଧ୍ୟ ମିନି କମ୍ପୋଷ୍ଟ କରଣ କେନ୍ଦ୍ର ନିର୍ମାଣ ହେବବୋଲି ପୋଲସରା ବିଡ଼ିଓ ଶ୍ରୀ ସାହୁ ଓ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here