ଖଲିଙ୍ଗିରେ ଦଳୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସାନଖେମୁଣ୍ଡି ବିଜେଡିର ଜୋନ କମିଟି ବୈଠକ ଓ ମିଶ୍ରଣ ପର୍ବ ।

0
278

ବ୍ରହ୍ମପୁର ,୧୦/୨୦/୨୦୨୧: ପଞ୍ଚାୟତ ନିର୍ବାଚନ ଅବ୍ୟବହିତରେ ଆଜି ସାନଖେମୁଣ୍ଡି ବିଜେଡିର ଏକ ଜୋନ ସ୍ତରୀୟ ସାଂଗଠନିକ ବୈଠକ ଆଜି ସାନଖେମୁଣ୍ଡି ବ୍ଲକ୍ ଖଲିଙ୍ଗି ପଞ୍ଚାୟତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଅଛି । ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ତଥା ମହିଳା ବିଜେଡି ଉପଦେଷ୍ଟା ନନ୍ଦିନୀ ଦେବୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସାଂଗଠନିକ କାର୍ଯ୍ୟକ୍ରମରେ ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ଵରେ ଥିବା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା , ପୋଲସରା ବିଧାୟକ ଶ୍ରୀକାନ୍ତ ସ୍ବାଇଁ , କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ , ରାଜ୍ୟ ବିଜେଡିର ସୁବାସ ମହାରଣା , ବିଜେଡି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ବାଇଁ , ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇଙ୍କ ସମେତ ସାନଖେମୁଣ୍ଡି ବିଜେଡି ସଂଗଠନର କାର୍ଯ୍ୟକର୍ତ୍ତା ଓ ଦଳୀୟ ଜନ ପ୍ରତିନିଧି ଯୋଗଦେଇ ଆସନ୍ତା ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡ଼ିର ସଫଳତାକୁ ନେଇ ବିଚାର ଆଲୋଚନା କରିଥିଲେ । ଦଳୀୟ ଅନୁଶାସନରେ ରହି ଶୃଙ୍ଖଳାର ସହିତ ଦଳର ହିତପାଇଁ ହୀନମନ୍ୟତା ଭୁଲି ସମନ୍ଵୟତା ରକ୍ଷା ସହିତ ତୃଣମୂଳ ସ୍ତରରେ ପ୍ରଣୟନ କରାଯାଉଥିବା ନବୀନ ସରକାରଙ୍କ ଲୋକପ୍ରିୟ ଯୋଜନାକୁ ପାଥେୟ କରି ସାଧାରଣରେ ବିଜେଡି ପ୍ରତି ଥିବା ଆକୃଷ୍ଟତାକୁ ଦୋହରାଇବାକୁ ଉପସ୍ଥିତ ଦଳୀୟ ପର୍ଯ୍ୟବେକ୍ଷକ କର୍ମୀ ଓ କର୍ମକର୍ତ୍ତାଙ୍କୁ ଅନୁପ୍ରାଣିତ କରିଥିଲେ । ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଯୋଗିନ୍ଦ୍ର ସ୍ବାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ବ୍ଲକ୍ ବିଜେଡି ସଭାପତି ଧୋବା ସ୍ବାଇଁ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ , ବ୍ଲକ୍ ଉପାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ବାଇଁ , ସମିତି ସଭ୍ୟ ଅମିନ ପ୍ରଧାନ , ବରିଷ୍ଟ ବ୍ଲକ୍ ବିଜେଡି ବ୍ୟକ୍ତିତ୍ଵ ସୁବାସ ମହାପାତ୍ର ପ୍ରମୁଖ ନିଜ ନିଜ ଅଭିଭାଷଣରେ ବ୍ଲକ୍ ବିଜେଡି ସଙ୍ଗଠନର ଦୂରାବସ୍ଥା , ଦଳୀୟ କର୍ମୀ ଓ ସଂଗଠକଙ୍କ ଦୂରାବସ୍ଥାକୁ ନେଇ ମାନସ ମନ୍ଥନ କରିଥିବା ବେଳେ ପର୍ଯ୍ୟବେକ୍ଷକ ତଥା ଦାୟିତ୍ଵରେ ଥିବା ଦଳୀୟ ବିଧାୟକ ଏବଂ ରାଜ୍ୟ ନେତୃବୃନ୍ଦ ଏହାର ପ୍ରତିକାର ବ୍ୟବସ୍ଥା ନେଇ ଅନୁପ୍ରାଣିତ କରିଥିଲେ ।

ଏହି ପରିପ୍ରେକ୍ଷୀରେ ବ୍ଲକ୍ ଅନ୍ତର୍ଗତ ସିଙ୍ଗିପୁର , ଛଣମେରି ଏବଂ କଂସାମାରୀ ପଞ୍ଚାୟତର ଦୁଇଶହରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଜୟରାମ ଦୋରା , ଡେଙ୍ଗାଉସ୍ତା ମଠ ମହନ୍ତ ସଚ୍ଚିଦାନନ୍ଦ ଦାସ ମହାରାଜ ଏବଂ ଟୁକୁନା ରଥଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାନଖେମୁଣ୍ଡିରେ ନନ୍ଦିନୀ ଦେବୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସ୍ବତନ୍ତ୍ର ଆୟୋଜନ ସହ ବିଶାଳ ପଟୁଆରରେ ବିଜେଡିକୁ ଘର ବାହୁଡ଼ା କରିଥିବା ଏହି ତୁଙ୍ଗ ସଙ୍ଗଠକଙ୍କୁ ପର୍ଯ୍ୟବେକ୍ଷକଙ୍କ ଦ୍ଵାରା ଦଳୀୟ ଉତ୍ତରୀୟ ପରିଧାନ କରାଯାଇ ଦଳରେ ସାମିଲ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଯୁବ ବିଜେଡି ସଭାପତି ସନ୍ତୋଷ ବିଷୋୟୀ , ନୀଳମାଧବ ରାଉତ , ସହଦେବ ପ୍ରଧାନ ସଞ୍ଜୟ ରାଉତ ପ୍ରମୁଖଙ୍କ ସହିତ ବ୍ଲକ୍ ସ୍ତରୀୟ ବିଜେଡି କାର୍ଯ୍ୟକର୍ତ୍ତା ସାମିଲ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

LEAVE A REPLY

Please enter your comment!
Please enter your name here