ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ସରକାରୀ ଅନୁକମ୍ପା ଯୋଗାଇବା ଦାବିନେଇ ତହସିଲଦାରଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ଦେଲା ସାନଖେମୁଣ୍ଡି ଆଞ୍ଚଳିକ କୃଷକ ସଂଗଠନ

0
447

ବ୍ରହ୍ମପୁର , ୦୧/୧୨/୨୦୨୧: କରୋନା ଜନିତ କଟକଣା ଏବଂ ମୌସୁମୀର ଲୁଚକାଳି ଖେଳ ସହ କୃଷିବିଭାଗର ପ୍ରଶାସନିକ ଦାଓପେଞ୍ଚରେ ସଢ଼ି ମେହନତିରେ ଉପୁଯାଇଥିବା ନିଜ କଷ୍ଠଲବ୍ଧ ଫସଲ ଅଦିନିଆ ବର୍ଷାରେ ଧୋଇ ସଢ଼ିଯିବା କାରଣରୁ କୃଷକ ସମାଜ ସମ୍ପ୍ରତି ସନ୍ଦିହାନ ହୋଇଅଛି । ବିଲରେ ଥିବା ପାଚିଲା ଧାନ ଫସଲ ବର୍ଷା ପବନରେ ଭୂମିରେ ଲୋଟିଥିଲା ବେଳେ ବହୁ ଜମିରେ ଧାନଗଛ ଜଳମଗ୍ନ ହୋଇ ନଷ୍ଟ ହୋଇଅଛି । ଏହା ବ୍ୟତୀତ ଲଗାଣ ବର୍ଷାରେ ଅଞ୍ଚଳ ଚାଷୀଙ୍କ ମକା , ବିରି , ବାଇଗଣ , ମାଣ୍ଡିଆ , ଧାନ , ଲଙ୍କା ସହ ପରିବା ଚାଷରେ ପ୍ରଭୂତ କ୍ଷତି ହୋଇଅଛି । ଅନ୍ୟ ପକ୍ଷରେ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ଆଞ୍ଚଳିକ କୃଷକ ସଂଗଠନ ପକ୍ଷରୁ ଆବାହକ ଉମାକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି କଙ୍କୋରଡ଼ା , କଉଡ଼ିଆ , ଡେଙ୍ଗାଡ଼ି ,ଖଲିଙ୍ଗୀ ଆଦି ପଞ୍ଚାୟତର ଶତାଧିକ ମହିଳାଙ୍କ ସହ ଶହଶହ ଚାଷୀ ପାଟପୁର ଗନ୍ଧିଛକ ଠାରୁ ଏକ ବିଶାଳ ସମାବେଶରେ ବାହାରି ବିକ୍ଷୋଭ ସମାବେଶ ସହ ପଦଯାତ୍ରା କରିଛନ୍ତି । ବର୍ଷା ଜନିତ କ୍ଷୟକ୍ଷତି ଆକଳନ କରି ଶତପ୍ରତିଶତ କ୍ଷତିପୂରଣ ଏକରପିଛା ଟ – ୩୦ ୦୦୦ /- ପ୍ରଦାନ କରିବା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ଟ – ୩୦,୦୦୦/- ଧାର୍ଯ୍ୟ କରିବା , ସରକାରୀ ମଣ୍ଡିରେ ଏଫ୍ ଏ କିଉ ମାନ ବଦଳରେ ସବୁ ଧାନକୁ ଗ୍ରେଡ – ୧ ହାରରେ ମୂଲ୍ୟାୟନ କରିବା , କ୍ଷତିଗ୍ରସ୍ତ ଚାଷୀଙ୍କ ବ୍ୟାଙ୍କ ଋଣକୁ ସଂପୂର୍ଣ୍ଣ ଛାଡ଼ କରିବା , ସବୁ ବର୍ଗର ଚାଷୀଙ୍କ ସହ ବାଦ ପଡ଼ିଥିବା ଚାଷୀଙ୍କ ମଣ୍ଡି ପଞ୍ଜିକରଣ ଆଦି ଆଠ ଦଫା ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ସାନଖେମୁଣ୍ଡି ତହସିଲ ସମ୍ମୁଖରେ ଆୟୋଜିତ ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ କୃଷକ ନେତା ତଥା ଆଦର୍ଶଚାଷୀ ରୋହିତ ଦଳେଇ ପୌରହିତ୍ୟ କରିଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍ ତଥା ଅଞ୍ଚଳ ସମାଜସେବୀ ତ୍ରିନାଥ ମହାନ୍ତି ନିଜନିଜ ଅଭିଭାଷଣରେ ଅଞ୍ଚଳ କୃଷକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ତୀବ୍ର ସମାଲୋଚନା କରିଥିଲେ । ବ୍ୟାପକ ଫସଲ କ୍ଷତିରେ କୃଷକଙ୍କ ମାନସିକ ଓ ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିଥିବା ବେଳେ ବିଭାଗୀୟ ଅଚଳାବସ୍ଥା ନେଇ କ୍ଷୋଭ ପ୍ରକାଶ କରିଥିଲେ । ଅରୁଣପାତ୍ର , ତରୁଣ ମହାପାତ୍ର , ଅରୁଣ ପ୍ରଧାନ , ବିଜୟ ନାହାକ , ସଚିନ୍ଦ୍ର ପ୍ରଧାନ , ପାଣ ଦାସ , ଉପେନ୍ଦ୍ର ପ୍ରଧାନ , ଚକ୍ରଧର ପାତ୍ର , ଅମିନ ଖୁଣ୍ଟିଆ , ଉଦୟ ମହାନ୍ତି , ବୁଲୁ ଦାସ , ବିଶ୍ଵନାଥ ପାତ୍ର ପ୍ରମୁଖ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଶତାଧିକ ଚାଷୀ ଧାରଣାରେ ବସିବା ସହିତ ସାନଖେମୁଣ୍ଡି ତହସିଲଦାରଙ୍କ ଜରିଆରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉଦ୍ଧେଶ୍ୟରେ ଆଠ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here