ଜନସଚେତନତାର ଅନ୍ୟନାମ ଶିଳ୍ପୀ ସ୍ଥିତଧୀ ରଥ

0
229

ବୁଗୁଡା, ୨୬/୧୨/୨୦୨୧: କରୋନା ପ୍ରଥମ ଲହର ସମୟରେ ପ୍ରଶାସନ ନିର୍ଦ୍ଦେଶ କ୍ରମେ ବିଭିନ୍ନ କର୍ମଚାରୀ ବୃନ୍ଦ କରୋନା ସଂକ୍ରମଣକୁ ରୋକିବା ପାଇଁ ଅହରହ ସଂଗ୍ରାମ କରିଥିବା ଯୋଗୁଁ ସେମାନେ ନମସ୍ୟ, ଏଥିରେ ସନ୍ଦେହ ନାହିଁ। ହେଲେ ସେମାନଙ୍କ ସଚେତନତା କାର୍ଯ୍ୟ ପ୍ରଶାସନିକ ନିର୍ଦ୍ଦେଶ କ୍ରମେ ହେଉଥିବା ବେଳେ କେତକ ବ୍ୟକ୍ତି ବିଶେଷ ନିଜ ଉଦ୍ୟମରେ କରୋନା ସଚେତନତା ସୃଷ୍ଟି କରିବା ପାଇଁ ଆକର୍ଷଣୀୟ କାର୍ଯ୍ୟକ୍ରମ ହାତକୁ ନେଇ ସଫଳ ହୋଇପାରିଛନ୍ତି। ସେହି ମହାନ ବ୍ୟକ୍ତିମାନଙ୍କ ମଧ୍ୟରୁ ଶିଳ୍ପୀ ସ୍ଥିତଧୀ ରଥ ଅନ୍ୟତମ। “ମର୍ତ୍ତ୍ୟପୁରରେ ଯମରାଜ” , “କରୋନା ତୁ ଫେରିଯା” ଓ “କରୋନା ପୁଣି ଫେରୁଛି” ତିନିଗୋଟି କରୋନା ସଚେତନତା କ୍ଷୁଦ୍ର ଚଳଚିତ୍ର ହେଉଛି ସ୍ଥିତଧୀ ବାବୁଙ୍କ ଅବଦାନ। ଏହି କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ତିନୋଟି ବିଷୟ ଦେଖିବାକୁ ମିଳିଛି। ପ୍ରଥମଟି ହେଲା ଜନସାଧାରଣ କରୋନାର ଭୟାବହ ଜାଣିବା ଦ୍ୱାରା ସଚେତନ ହୋଇପାରିଲେ। ଦ୍ଵିତୀୟଟି ହେଲା ଏହି କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଅଞ୍ଚଳର ବିଭିନ୍ନ ପ୍ରାକୃତିକ ଶୋଭା ଓ କୀର୍ତ୍ତିରାଜ ଲୋକଲୋଚନକୁ ଆସିବା ଦ୍ୱରା ବୁଗୁଡା ଅଞ୍ଚଳ ସମସ୍ତଙ୍କ ଦ୍ୱାରା ପରିଚିତ ହୋଇପାରିଲା। ତୃତୀୟଟି ହେଲା କଳା ସଂସ୍କୃତିର ଅଞ୍ଚଳରେ ଲୁକାୟିତ ଭାବେ ଥିବା କଳାକାର ମାନଙ୍କୁ ଅଭିନୟର ସୁଯୋଗ ଦେଇ ସେମାନଙ୍କ ଅଭିନୟ ଶୈଳୀକୁ ବିଶ୍ୱ ଦରବାରରେ ପରିଚିତ କରାଇବା। ନିଜର ସ୍ଥିତଧୀ ରଥ ଫିଲ୍ମି ବ୍ୟାନର ମାଧ୍ୟମରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ବୁଗୁଡା ଅଞ୍ଚଳକୁ ବିଶ୍ୱ ଦରବାର ରେ ପରିଚିତ କରିବା ପାଇଁ ଓ ଲୋକମାନଙ୍କୁ ଏହି ମାଧ୍ୟମରେ ସଚେତନତା ପାଇଁ ତାଙ୍କର ଭୂମିକା ଅତୁଳନୀୟ, ଏଥିରେ ସନ୍ଦେହ ନାହିଁ। ବର୍ତ୍ତମାନ ପୁଣି ଶ୍ରୀ ରଥଙ୍କ ପଞ୍ଚମ କ୍ଷୁଦ୍ର ଚଳଚ୍ଚିତ୍ର “ଜଙ୍ଗଲ” ମୁକ୍ତିଲାଭ କରିଛି। ପୃଥିବୀ ବକ୍ଷରେ ସୃଷ୍ଟି ଜଙ୍ଗଲ ଓ ବୃକ୍ଷଲତା ବଞ୍ଚି ରହିଲେ ଆମେ କିପରି ସୁରକ୍ଷିତ ରହିପାରିବା ଓ ଜଙ୍ଗଲ ମଧ୍ୟରେ ରହୁଥିବା ଆଦିବାସୀ ସମାଜ ପ୍ରକୃତି କୋଳରେ କିପରି ଶାନ୍ତିରେ ରହିପାରୁଛନ୍ତି ତାହାକୁ ନିଖୁଣ ଭାବେ ପ୍ରଦର୍ଶିତ କରିଛନ୍ତି। ବନବିଭାଗ ଲୋକ ଦେଖାଆଣିଆ ଜଙ୍ଗଲ ସୁରକ୍ଷା ପାଇଁ ପ୍ରଚାର କରୁଥିବା ବେଳେ ବହୁ ମୂଲ୍ୟବାନ ବୃକ୍ଷ କାଟି ଚୋରା ଚାଲାଣ ହେଉଥିବା ବେଳେ ବନବିଭାଗର ଅଧିକାରୀ ନିରବ ଦ୍ରଷ୍ଟା ସାଜିଛନ୍ତି। ଅଥଚ ଜଣେ ଶିଳ୍ପୀ ନିଜ ଉଦ୍ୟମରେ ଜଙ୍ଗଲ ସୁରକ୍ଷା ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଜନସଚେତନତା ସୃଷ୍ଟି କରୁଛନ୍ତି। ଏହି ସବୁ ଦୃଷ୍ଟିରୁ ଜନସଚେତନତା ର ଅନ୍ୟ ନାମ ଶିଳ୍ପୀ ସ୍ଥିତଧୀ ରଥ କହିଲେ ଅତ୍ୟୁକ୍ତି ହେବନାହିଁ। ଶ୍ରୀ ରଥଙ୍କ ଏହି କାର୍ଯ୍ୟକ୍ରମକୁ ଅଞ୍ଚଳର ବୁଦ୍ଧିଜୀବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିବା ସହ ଜନସଚେତନତା ସୃଷ୍ଟି କରୁଥିବା ଏହି ମହାନ ଶିଳ୍ପୀଙ୍କୁ ସରକାର ସହଯୋଗର ହାତ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି।

ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here