ଢ଼ିଙ୍କିଆରେ ପୋଲିସର ଆତଙ୍କରାଜ ଓ ଗିରଫଦାରୀ ବିରୁଦ୍ଧରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ

0
320

ବ୍ରହ୍ମପୁର,୧୫/୦୧/୨୦୨୨:
ଢ଼ିଙ୍କିଆରେ ଗତକାଲି ପୋଲିସ ଆତଙ୍କରାଜ କରି ନିର୍ମମ ଲାଠି ପ୍ରହାର କରିଛି ଏବଂ ଅନ୍ୟାୟପୂର୍ଣ୍ଣ ଆନ୍ଦୋଳନ ନେତାମାନଙ୍କୁ ଗିରଫ କରିଛି। ପୁଲିସ ସମସ୍ତ ସୀମା ଲଂଘନ କରି ବର୍ବରୋଚିତ ଭାବେ ଶିଶୁ, ଗର୍ଭବତୀ ମହିଳା, ବୃଦ୍ଧମାନଙ୍କୁ ନିର୍ମମ ପ୍ରହାର କରିବା ସହ ଲହୁଲୁହାଣ କରିଦେଇଛି। ଜିନ୍ଦଲ ପ୍ରତିରୋଧ ଭିଟାମାଟି ସୁରକ୍ଷା ମଞ୍ଚର ନେତା ତଥା ସମିତିସଭ୍ୟ ଦେବେନ୍ଦ୍ର ସ୍ଵାଇଁ, ଗ୍ରାମ୍ୟ କମିଟିର ସଭାପତି ମୂରଲୀଧର ସାହୁ ଏବଂ ସଂଯୁକ୍ତ କୃଷକ ମୋର୍ଚ୍ଚ।, ଓଡ଼ିଶାର ଆବାହକ ମଣ୍ଡଳୀ ସଦସ୍ୟ ତଥା ମିଥ୍ୟା ମୋକଦ୍ଦମା ବିରୋଧି ଅଭିଯାନର ଆବାହକ ନରେନ୍ଦ୍ର ମହାନ୍ତିଙ୍କ ଗିରଫଦାରୀ ପ୍ରମାଣ କରୁଛି ଯେ ପୁଲିସ ଜିନ୍ଦଲ କମ୍ପାନୀର ଗୁଣ୍ଡା ସାଜିଛି। ଢ଼ିଙ୍କିଆ ଗ୍ରାମବାସୀଙ୍କୁ ୩ ସୀମାରେ ବନ୍ଦୀ କରି ବଳପୂର୍ବକ ଭାବେ ପାନବରଜ ଭାଙ୍ଗିବା ସହ ମନଇଛା ଗିରଫଦାରୀ ଚଲାଇ ଗ୍ରାମରେ କୋକୁଆଭୟ ସୃଷ୍ଟି କରୁଛି। ଏହାକୁ ସଂଯୁକ୍ତ କୃଷକ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା କମିଟିର ପକ୍ଷରୁ ଘୋର ନିନ୍ଦା କରାଯାଇଛି। ଜଗତସିଂହପୁର ଜିଲ୍ଲାର ଏସ ପି ଅଖିଳେଶ ସିଂ ୧୭ ପ୍ଳାଟୁନ ଫୋର୍ସ ଲଗାଇ ଅତର୍କିତ ଆକ୍ରମଣ କରି ଗ୍ରାମବାସୀଙ୍କ ଉପରେ ନିର୍ମମ ଓ ଅମାନବୀୟ ପ୍ରହାର କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ପାନ, ମୀନ, ଧାନ ଓ କାଜୁ ଭଳି ଜୀବିକାର ଉତ୍ସର ସୁରକ୍ଷା ଓ ସୁନ୍ଦର ପରିବେଶର ସୁରକ୍ଷା ପାଇଁ ସଂଘର୍ଷ କରୁଥିବା ଢ଼ିଙ୍କିଆ ଗ୍ରାମବାସୀଙ୍କ ଉପରେ ବନ୍ଧୁକମୁନରେ ଦମନ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଗଣ ପ୍ରତିବାଦ ପକ୍ଷରୁ ବହୁ ନେତା ମତପ୍ରକାଶ କରିଛନ୍ତି। ଏଠାରେ ଦାବି ରଖିଛନ୍ତି ଯେ, ଢ଼ିଙ୍କିଆରେ ପୋଲିସ ଯେଉ ନିର୍ମମ ଲାଠି ପ୍ରହାର କରିଛି ତାହାର ଉଚ୍ଚ ନ୍ୟାୟଳୟର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସ୍ଵତନ୍ତ୍ର ଅନୁସନ୍ଧାନକାରୀ ଦଳ ଦ୍ବାରା ତଦନ୍ତ କରାଯାଉ। ଢ଼ିଙ୍କିଆ ଚାରିଦେଶରୁ ପୁଲିସ ବଳ ହଟାଯିବା, ବଳ ପ୍ରୟୋଗ କରି ପାନ ବରଜ ଭାଙ୍ଗିବା ବନ୍ଦ କରାଯିବା ପାଇଁ ଦାବି କରିଛନ୍ତି। କମ୍ପାନୀର ଗୁଣ୍ଡା ସାଜିଥିବା ଜଗତସିଂହପୁର ଏସ ପି ଙ୍କୁ ସେଠାରୁ ତୁରନ୍ତ ହଟାଯାଉ, ଗିରଫ ହୋଇଥିବା ନେତା ଦେବେନ୍ଦ୍ର ସ୍ଵାଇଁ, ମୂରଲୀଧର ସାହୁ ଏବଂ ନରେନ୍ଦ୍ର ମହାନ୍ତିଙ୍କୁ ନିସର୍ତ୍ତ ଖଲାସ କରିବା ଏବଂ ନିଖୋଜ ଥିବା ମଙ୍ଗୁଳି ଦାଶକୁ ପୋଲିସ ହତ୍ୟା କରିଥିବା ସନ୍ଦେହକୁ ସର୍ବସାଧାରଣରେ ପ୍ରକାଶ କରିବା ସହ ଜୀବିକା ବିପନ୍ନକାରୀ ଓ ପରିବେଶ ଧ୍ବଂସକାରୀ କମ୍ପାନୀ ପ୍ରତିଷ୍ଠା ବାତିଲ କରିବା ପାଇଁ ଦାବି କରିଥିଲେ।ଏହି ଗଣ ପତିବାଦରେ ସଂଯୁକ୍ତ କୃଷକ ମୋର୍ଚ୍ଚ।ର ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଶଙ୍କର ସାହୁ, ଜିଲ୍ଲା ପକ୍ଷରୁ ଗୋପାଳ ପାଣିଗ୍ରାହୀ, ଅବନୀ ଗୟା, ପି.ପାର୍ବତୀ, ନାରାୟଣ ସାହୁ, ବିଜୟ ସ୍ଵାଇଁ, ନିରଞ୍ଜନ ଶବର ଏବଂ ଏସ୍ ୟୁ ସି ଆଇ କମ୍ୟୁନିଷ୍ଟ ପକ୍ଷରୁ ଜିଲ୍ଲା ସମ୍ପାଦକ ସୋମନାଥ ବେହେରା, ସିପିଆଇଏମଏଲ ରେଡଷ୍ଟାର ପକ୍ଷରୁ ସନ୍ତୋଷିନୀ ନାୟକ, ଆଇଏଫ୍‌ଟିୟୁର ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, ଡିଏସଓ ପକ୍ଷରୁ ଶିବାନୀ ଶଙ୍କର ମିଶ୍ର, ମାନବବାଦୀ ଓ ହେତୁବାଦୀ ସଂଗଠନର ନାନ୍ଦେଶୁ ସେନାପତି, ମାନବ ଅଧିକାର ସୁରକ୍ଷା ମଞ୍ଚର ଗଗନ ଚନ୍ଦ୍ର ମଲ୍ଲିକ ଆଦି ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here