ସରକାରୀ ଅର୍ଥ ଆତ୍ମସାତ !!! ଦୀର୍ଘ ବର୍ଷ ହେଲା ଅର୍ଦ୍ଧ ନିର୍ମିତ ପ୍ରାଣୀ ଚିକିତ୍ସା ଉପକେନ୍ଦ୍ର

0
277

ବୁଗୁଡା, ୧୯/୦୧/୨୦୨୨: ବୁଗୁଡା ବ୍ଲକ ପକ୍ଷରୁ ଦୀର୍ଘ ବର୍ଷ ଧରି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିରହିଛି ମାଣିତରା ପ୍ରାଣୀ ଚିକିତ୍ସା ଉପକେନ୍ଦ୍ର। ସେତେବେଳେ ବୁଗୁଡା ବ୍ଲକ ସହକାରୀ ଯନ୍ତ୍ରୀ ଥିଲେ ଇଂ ମୋହନ ସାହୁ। ଶ୍ରୀ ସାହୁଙ୍କ ସମୟରେ ମାଣିତରା ର ଏହି ପ୍ରାଣୀଧନ ଚିକିତ୍ସା ଉପକେନ୍ଦ୍ର ନିର୍ମାଣ ପାଇଁ କାର୍ଯାଦେଶ ବେଳଗୁଣ୍ଠାର ଜଣେ ବ୍ୟବସାୟୀ ପଣ୍ଡା ବାବୁଙ୍କୁ ଦିଆଯାଇଥିବା ଜଣାପଡିଛି। ପଣ୍ଡାବାବୁ ମାଣିତରାର ଏହି ପ୍ରାଣୀଧନ ଚିକିତ୍ସା ଉପକେନ୍ଦ୍ର ପାଇଁ ଛାତ ସ୍ତର ପର୍ଯ୍ୟନ୍ତ କାମ କରି ଟଙ୍କା ଉଠାଇ ନେଇଛନ୍ତି। ତାପରେ ପଣ୍ଡାବାବୁ ସହକାରୀ ଯନ୍ତ୍ରୀଙ୍କୁ ଅନୁରୋଧ କରି ଏହି କାର୍ଯ୍ୟର ଛାତ ପକାଇବା ପାଇଁ ଓ ଘରକାମ ଶେଷ କରିବା ପାଇଁ ବ୍ଲକ ଅଫିସରୁ ସିମେଣ୍ଟ ଉଠାଇ ଆଣିଥିଲେ। ହେଲେ ପଣ୍ଡାବାବୁ ମାଣିତରା ପ୍ରାଣୀ ଚିକିତ୍ସା ଉପକେନ୍ଦ୍ର ଗୃହର ଛାତ ଓ ସମସ୍ତ କାମ ଶେଷ କରିବାକୁ ସିମେଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ଆଣିଥିଲେ ମଧ୍ୟ ଗୃହ କାର୍ଯ୍ୟ ସମାପ୍ତ ନକରି ସିମେଣ୍ଟ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ବିନିଯୋଗ କରିଥିବା ଅଭିଯୋଗ ହୋଇଥିଲା। ହେଲେ ରାଜନୈତିକ ବାହୁଛାୟା ତଳେ ପଣ୍ଡାବାବୁ ସୁରକ୍ଷିତ ରହିଥିବା ବେଳେ ମାଣିତରା ପ୍ରାଣୀଧନ ଚିକିତ୍ସା ଉପକେନ୍ଦ୍ର ନିର୍ମାଣ ନହୋଇ ବର୍ତ୍ତମାନ ଜଙ୍ଗଲରେ ପରିଣତ ହୋଇ ପଡିରହିଛି। ଏଣେ ପ୍ରାଣୀଧନ ସହାୟକ ମୁଣ୍ଡ ଗୁଞ୍ଜିବାକୁ ଜାଗାଖଣ୍ଡେ ମିଳୁନାହିଁ। ପଣ୍ଡାବାବୁ ଏହି କାର୍ଯ୍ୟପାଇଁ ସିମେଣ୍ଟ ଉଠାଇଥିଲେ ମଧ୍ୟ ପ୍ରାଣୀଧନ ଉପକେନ୍ଦ୍ରର ଗୃହର ଛାତ ନପକାଇ ଉଠାଇଥିବା ସିମେଣ୍ଟ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇ ସରକାରୀ ଅର୍ଥ ଆତ୍ମସାତ କରିଥିବା ଯୋଗୁଁ ସେହି କାର୍ଯ୍ୟର ଫାଇଲ ବ୍ଲକ ଅଫିସରୁ ଗାଏବ ହୋଇଥିବା ଶୁଣିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲାପାଳ ଏବଂ ଦୁର୍ନୀତି ନିବାରଣ ବିଭାଗ ଅଧିକ୍ଷକ ଏହି ବିଷୟ ନେଇ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ଦୃଢ଼ ଦାବି କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here