ବିଏମସିରେ ମିଶ୍ରଣ ନିମିତ୍ତ ଇଚ୍ଛା ଜାହିର କରି ରେଜୋଲୁସନ ପାସ୍ କରିଥିବା କୁକୁଡ଼ାଖଣ୍ଡି ବ୍ଲକର ଲୋଚାପଡ଼ା ପଞ୍ଚାୟତ ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ତିନୋଟି ଗ୍ରାମକୁ ତିନି ମାସ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

0
958

ବ୍ରହ୍ମପୁର,୨୨/୦୧/୨୦୨୨: ବ୍ରହ୍ମପୁର ମହାନଗର ସନ୍ନିକଟ ତଳି ଅଞ୍ଚଳ ତଥା ପାର୍ଶ୍ଵବର୍ତ୍ତୀ ଅଠରଟି ପଞ୍ଚାୟତକୁ ବ୍ରହ୍ମପୁର ପୌରପାଳକାରେ ସାମିଲ କରି ବ୍ରହ୍ମପୁର ମହାନଗର ନିଗମ ଗଠନ କରାଯିବ ବୋଲି ରାଜ୍ୟ ସରକାର ୨୦୦୮ ମସିହାରେ ଯେଉଁ ଗେଜେଟ ନୋଟିଫିକେସନ ଜାରି କରି ଘୋଷଣା କରିଥିଲେ ତାହା ଆଧାରରେ ସହର ସନ୍ନିକଟ ଅଞ୍ଚଳ ଓ ପାର୍ଶ୍ଵବର୍ତ୍ତୀ ଅଠରଟି ପଞ୍ଚାୟତକୁ ସାମିଲ କରି ଏକ ପୂର୍ଣ୍ଣାଙ୍ଗ ଏବଂ ବୃହତ୍ତର ମହାନଗର ନିଗମ ଗଠନ କରିବାକୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଦୀର୍ଘ ଦିନ ହେଲା ଆନ୍ଦୋଳନ ଓ ଦାବୀ ହୋଇ ଆସୁଥିଲେ ସୁଦ୍ଧା ସରକାର ମିଶ୍ରଣ ନିମନ୍ତେ ଠୋସ ପଦକ୍ଷେପ ନେବା ବଦଳରେ ଆଜି ପର୍ଯ୍ୟନ୍ତ କେବଳ ପ୍ରତିଶ୍ରୁତି ଦେବା ବ୍ୟତୀତ ତାହାକୁ ପୂରଣ କରିବାରେ ଟାଳ ଟୁଳ ନୀତି ଆପଣେଇ ଅଣଦେଖା କରିଚାଲିଛନ୍ତି। ଫଳରେ ବାଧ୍ୟ ହୋଇ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଆଇନଗତ ପଦକ୍ଷେପ ସ୍ୱରୂପ ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନିଆଯାଇ ରିଟ୍ ଦାଖଲ କରାଯାଇ ଅଦାଲତର ଆଶ୍ରୟ ନିଆଯାଇ ଥିଲା। କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ, ଉପସଭାପତି ହରି ହର ନାୟକ ଏବଂ ଯୁଗ୍ମ ସମ୍ପାଦକ ଟି . ସୁଦେସ କୁମାର ପାତ୍ରଙ୍କ ଦ୍ଵାରା ଦାୟର କରାଯାଇଥିବା ରୀଟ୍ ଯାଚିକର ବିଚାର କରି ମାନ୍ୟବର ହାଇକୋର୍ଟ ବିଚାରପତି ଶ୍ରୀ ବିଶ୍ଵନାଥ ରଥ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରା କୁକୁଡାଖଣ୍ଡି ବ୍ଲକର ଲୋଚାପଡ଼ା ଗ୍ରାମ ପଞ୍ଚାୟତ ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ବଡ଼କୁସସ୍ଥଳି ପଞ୍ଚାୟତର ସାନକୁସସ୍ଥଳି ଗ୍ରାମ, ଗଞ୍ଜୁ ପଞ୍ଚାୟତର ବ୍ରାହ୍ମଣପଲ୍ଲି ଗ୍ରାମ ଓ ଗୋଳାବନ୍ଧ ପଞ୍ଚାୟତର ଗୋଳାବନ୍ଧ ଆର୍ମି ଟ୍ରେନିଙ୍ଗ ସ୍କୁଲ ପ୍ରଭୃତି ବିଏମ୍ ସି ରେ ସାମିଲ ନେଇ ଯେଉଁ ଇଚ୍ଛା ସଂକଳ୍ପ ପତ୍ର ପାସ କରି ଦେଇଥିଲେ ତାହାରି ଆଧାରରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସରକାରଙ୍କୁ ଯେଉଁ ଚିଠି ତାଙ୍କ ଦ୍ଵାରା ପଠାଯାଇଥିଲା ତାହାକୁ ଭିତ୍ତି କରି ତିନି ମାସ ମଧ୍ୟରେ ଏହି ସବୁ ରେଜୋଲୁସନ ପାସ୍ କରିଥିବା ପଞ୍ଚାୟତ ଓ ଗ୍ରାମକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବା ପକ୍ରିୟା ସାରିବାକୁ ନିର୍ଦ୍ଦେଶକ, ପୌର ପ୍ରଶାସକ, ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୋକଦ୍ଦମା କୁ କମିଟି ତରଫରୁ ଆଇନଜୀବି ବୌଜୟନ୍ତୀ ମହାନ୍ତି ପରିଚାଳନା କରୁଥିଲେ।ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ବର୍ତ୍ତମାନ ସରକାର ସେହି ସବୁ ଅଞ୍ଚଳରେ ନିର୍ବାଚନ ବନ୍ଦ କରି ତୁରନ୍ତ କୁକୁଡ଼ାଖଣ୍ଡି ବ୍ଲକର ଲୋଚାପଡ଼ା ପଞ୍ଚାୟତ ଓ ରଙ୍ଗେଇଲୁଣ୍ଡା ବ୍ଲକର ବଦକୁସସ୍ଥଳି ପଞ୍ଚାୟତର ସାନକୁଶସ୍ଥଳି ଗ୍ରାମ, ଗଞ୍ଜୁ ପଞ୍ଚାୟତର ବ୍ରାହ୍ମଣପଲ୍ଲି ଗ୍ରାମ ଏବଂ ଗୋଳାବନ୍ଧ ପଞ୍ଚାୟତର ଗୋଳାବନ୍ଧ ଆର୍ମି ଟ୍ରେନିଙ୍ଗ ସ୍କୁଲକୁ ମହାନଗର ନିଗମରେ ସାମିଲ ନେଇ ପକ୍ରିୟା ତୁରନ୍ତ ଆରମ୍ଭ କରିବାକୁ କମିଟି ଦାବୀ କରିଛି।ଏ ନେଇ ଖୁବ୍ ଶୀଘ୍ର କମିଟିର ଏକ ପ୍ରତିନିଧି ମଣ୍ଡଳୀ ନିର୍ଦ୍ଦେଶକ ପୌର ପ୍ରଶାସକଙ୍କୁ ସାକ୍ଷାତ କରି କୋର୍ଟଙ୍କ ଆଦେଶ ପ୍ରକାରେ ଆରମ୍ଭ କରିବାକୁ ଅନୁରୋଧ କରିବ। ତତ୍ ସହିତ କମିଟି ଆଶା କରୁଛି ବିଳମ୍ବରେ ହେଲେ ମଧ୍ୟ ସରକାରଙ୍କ ସଦବୁଦ୍ଧି ଉଦୟ ହେବ ଏବଂ ଜନସାଧାରଣଙ୍କୁ ନହେଲା ନାହିଁ ଅନ୍ତତଃ କୋର୍ଟଙ୍କ ଆଦେଶକୁ ସମ୍ମାନ ଜଣାଇ ଏବଂ ବ୍ରହ୍ମପୁର ମହାନଗର ନିଗମ ବାସୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ୨୦୦୮ ମସିହା ଗେଜେଟ ନୋଟିଫିକେସନ ଅନୁଯାୟୀ ପଦକ୍ଷେପ ନେଇ ସମସ୍ତ ୧୮ ଟି ଯାକ ପଞ୍ଚାୟତକୁ ବିଏମ୍ ସି ରେ ସାମିଲ ନେଇ ଉଚିତ ପଦକ୍ଷେପ ନେବେ ବୋଲି କମିଟି ବିଶ୍ବାସ ରଖୁଛି। ଯଦି ସରକାର ଏଥିରେ ବିଫଳ ହୁଅନ୍ତି ତାହାହେଲେ କମିଟି ତରଫରୁ ଅନ୍ୟ ପଞ୍ଚାୟତର ମିଶ୍ରଣ ନେଇ ମୂଳ ମାମଲାକୁ ଯୋଡ଼ି ବ୍ୟକ୍ତିଗତ ଭାବରେ ପୃଥକ ପୃଥକ ରିଟ୍ ଦାଖଲ କରାଯିବ ବୋଲି କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି। ମହାନଗର ସନ୍ନିକଟ ସମସ୍ତ ଅଞ୍ଚଳ ଏବଂ ପଞ୍ଚାୟତ ଗୁଡିକ ବ୍ରହ୍ମପୁର ମହାନଗର ନିଗମରେ ପୂର୍ଣ୍ଣ ଭାବେ ସାମିଲ ନହେବା ପର୍ଯ୍ୟନ୍ତ କମିଟି ତାର ଲଢେଇ ସମସ୍ତ ସ୍ତରରେ ଜାରି ରଖିବ ଏବଂ ମିଶ୍ରଣ ସାକାର ନହେଲା ପର୍ଯ୍ୟନ୍ତ ବିଶ୍ରାମ ନେବ ନାହିଁ ବୋଲି କମିଟି ସଭାପତି ଏକ ପ୍ରେସ ବିବୃତିରେ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ୨୦୦୮ ଗେଜେଟ ନୋଟିଫିକେସନ ଅନୁସାରେ ଯଦି ମିଶ୍ରଣ ପକ୍ରିୟା ସରକାର ସମ୍ପାଦନ କରନ୍ତି ତାହାହେଲେ ଲୋଚାପଡ଼ା , ନିମଖଣ୍ଡି, ଜଗଦଳପୁର, ଅଙ୍କୁଶପୁର, ସାଟକୁଟୁଣି, ଭାବିନପୁର, ଲାଠି, ଦକ୍ଷିଣପୂର୍ , ହଳଦିଆପଦର, ଡୁରା, ଗଞ୍ଜୁ, ବଡ଼କୁସସ୍ଥଳି ଓ ଗୋଳାବନ୍ଧ ଏହି ଭଳି ଅଠରଟି ପଞ୍ଚାୟତ ମହାନଗର ନିଗମ ଅଧିନକୁ ଆସିଯିବ। ଫଳରେ ଏହି ସବୁ ପଞ୍ଚାୟତରେ ବସବାସ କରୁଥିବା ଅଢେଇ ଲକ୍ଷରୁ ଉର୍ଦ୍ଧ ଲୋକ ମହାନଗର ନିଗମର ସୁବିଧା ପରିସରକୁ ଆସିବା ସହ ସାଠିଏ ହଜାରରୁ ଉର୍ଦ୍ଧ ବାସଗୃହ ଏଥିରେ ସାମିଲ ହେବ । ଏହିସବୁ ଅଞ୍ଚଳ ଲୋକେ ସହର ନିକଟସ୍ଥ ଥାନା, ତହସିଲ ଏବଂ ଅନ୍ୟ ସମସ୍ତ ଅତ୍ୟାବଶ୍ୟକ ସରକାରୀ କାର୍ଯ୍ୟାଳୟରୁ ସୁବିଧା ଓ ସେବା ସହଜରେ ପାଇପାରିବେ। ତତ୍ ସହିତ ବ୍ରହ୍ମପୁର ମହାନଗର ନିଗମ ଏକ ପୂର୍ଣ୍ଣାଙ୍ଗ ମହାନଗର ନିଗମରେ ପରିଣତ ହେବା ସହ ଏକ ମର୍ଯ୍ୟାଦାଜନକ ମହାନଗର ରୂପେ ରାଜ୍ୟରେ ଗଣାଯିବ । ସେହିଭଳି ବ୍ରହ୍ମପୁର ମହାନଗର ନିଗମର ଭିତ୍ତିଭୂମି ନିର୍ମାଣ ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହେଇପାରିବ। ଏତତବ୍ୟତିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ପ୍ରଚୁର ଅର୍ଥ ବିଭିନ୍ନ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେବା ନିମନ୍ତେ ଉପଲବ୍ଧ ହେଇପାରିବ। ତେଣୁ ଏ ସବୁକୁ ବିଚାର କରି ରାଜ୍ୟ ସରକାର ଆଉ କାଳ ବିଳମ୍ବ ନକରି ତୁରନ୍ତ ପାର୍ଶ୍ଵବର୍ତ୍ତୀ ପଞ୍ଚାୟତକୁ ସାମିଲ କରି ଏକ ବୃହତ୍ତର ଏବଂ ସୌନ୍ଦର୍ଯ୍ୟ ମୟ ମହାନଗର ନିଗମରେ ପରିଣତ କରିବାରେ ପଦକ୍ଷେପ ନିଅନ୍ତୁ ବୋଲି କମିଟି ପକ୍ଷରୁ ଦାବୀ କରାଯାଇଛି। ଆଜିର ଏହି ଖବର ଦାତା ସମ୍ମିଳନୀରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ବ୍ୟତୀତ କାର୍ଯ୍ୟକାରୀ ସଭାପତି ନାରାୟଣ ଚନ୍ଦ୍ର ପାଇଛା , ଉପସଭାପତି ହରିହର ନାୟକ, ସାଧାରଣ ସମ୍ପାଦକ ଶିବ ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର, ଉପଦେଷ୍ଟା ଲକ୍ଷ୍ମଣ ପାତ୍ର, ସହ ସମ୍ପାଦକ ବି ଭି ସାଗର, ରମା ରଞ୍ଜନ ପଣ୍ଡା, ଗଣେଶ ଦାସ, ଅମୀୟ ପଟନାୟକ,ଗଣେଶ ପଟ୍ଟନାୟକ, ଶ୍ରୀକାନ୍ତ ପଢ଼ୀହାରି ଓ ଗରୀବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here