ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରିଲା ଯାଞ୍ଚ ପ୍ରକ୍ରିୟା, ଆଜି ପ୍ରକାଶ ପାଇବ ଚୂଡାନ୍ତ ତାଲିକା

0
374

ଭୂବନେଶ୍ୱର,୨୩/୦୧/୨୦୨୨:
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ ସରିଛି। ଆଜି ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ଏହାସହ ଆଜି ଠାରୁ ନାମାଙ୍କନ ପ୍ରତ୍ୟାହାର ମଧ୍ୟ ହୋଇପାରିବ । ୨୩ରୁ ୨୫ତାରିଖ ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିହେବ। ୨୫ତାରିଖ ଅପରାହ୍ନରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଏହାପରେ ଜଣାପଡ଼ିବ ନିର୍ବାଚନ ମଇଦାନକୁ କେତେ ପ୍ରାର୍ଥୀ ଓହ୍ଲାଇଲେ। ଏହିଠାରୁ ହିଁ ପ୍ରଚାର ଜୋର ଧରିବ।ତେବେ ବହୁ ସ୍ଥାନରେ ୱାର୍ଡ ମେମ୍ବର ପ୍ରାର୍ଥୀମାନେ ଅପ୍ରତିନ୍ଦ୍ବନ୍ଦ୍ବୀ ଅଛନ୍ତି। ରାଜ୍ୟରେ ୯୧ ହଜାର ୮୯୦ଟି ୱାର୍ଡ ପାଇଁ ୧ ଲକ୍ଷ ୬୨ ହଜାର ୨୯୭ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମୋଟ ୱାର୍ଡ ସଂଖ୍ୟାକୁ ଦେଖିଲେ ଯଦି ପ୍ରତି ୱାର୍ଡରେ ଦୁଇ ଜଣ ପ୍ରାର୍ଥୀ ରହିଥାନ୍ତେ ତେବେ ୧ ଲକ୍ଷ ୮୩ ହଜାର ୭୮୦ଜଣ ନାମାଙ୍କନ ପତ୍ର ଦାଖଲ କରିଥାନ୍ତେ। ହେଲେ ଏହାଠାରୁ ୨୧ ହଜାର ୪୮୩ଜଣ କମ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ବହୁ ସ୍ଥାନରେ ୱାର୍ଡମେମ୍ବର ପ୍ରାର୍ଥୀ ନିର୍ବାଚନ ପୂର୍ବରୁ ବିଜୟୀ ହେବେ। ଏଥର ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୧୨ ହଜାର ୨୭୯ଜଣ ୱାର୍ଡମେମ୍ବର ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।ସେହିପରି ୬୭୯୪ ସରପଞ୍ଚ ପଦବି ପାଇଁ ମୋଟ ୩୪,୬୧୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ମୟୂରଭଞ୍ଜରେ ସର୍ବାଧିକ ୨୫୦୦ଜଣ ଅଛନ୍ତି। ସମିତି ସଭ୍ୟ ପାଇଁ ୨୮ ହଜାର ୧୫୩ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ମୟୂରଭଞ୍ଜରେ ସର୍ବାଧିକ ୨୧୨୬ଜଣ ପ୍ରାର୍ଥୀ ଅଛନ୍ତି। କିନ୍ତୁ ଜିଲ୍ଲା ପରିଷଦ ପାଇଁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୬ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆବେଦନ ହୋଇଥିବା ପ୍ରାର୍ଥିପତ୍ର ସଂଖ୍ୟା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲା ସବୁ ଠାରୁ ଆଗରେ ଅଛି। ଆସନ୍ତା ୨୫ତାରିଖ ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ କେଉଁଠି କେତେ ପ୍ରାର୍ଥୀଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ ତାହା ସ୍ପଷ୍ଟ ହେବ।

LEAVE A REPLY

Please enter your comment!
Please enter your name here