ରାଷ୍ଟ୍ରୀୟ ବାଳିକା ଦିବସ ୨୦୨୨ ପାଳନ,ବାଳିକା ଓ କିଶୋରୀ ମାନଙ୍କୁ ସୁହାଇଲା ଭଳି ପରିବେଶର ଆବଶ୍ୟକତା ରହିଛି

0
911

ବ୍ରହ୍ମପୁର,୨୪/୦୧/୨୦୨୨:
କିଶୋରୀ ମାନଙ୍କ ଦ୍ବାରା ବ୍ରହ୍ମପୁର ସହରର ବିଭିନ୍ନ ବସ୍ତିରେ ରାଷ୍ଟ୍ରୀୟ ବାଳିକା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ କିଶୋରୀ କ୍ଳବର ସଦସ୍ୟା ମାନଙ୍କ ତରଫରୁ ସହରର ଜଗବନ୍ଧୁ ସାହି, ଉତ୍ତରମୁଖି ସାହି ବସ୍ତି ଗୁଡିକରେ କିଶୋରୀ ମାନଙ୍କ ଦ୍ବାରା ବୈଠକ ଓ ବାଲିର ଆୟୋଜନ କରାଯାଇଥିଲା। କିଶୋରୀ ମାନେ ଘରକୁ ଘର ବୁଲି କନ୍ୟା ସନ୍ତାନର ଆବଶ୍ୟକତା ବିଷୟରେ ପିତାମାତାଙ୍କୁ ବୁଝାଇଥିଲେ। ବିଭିନ୍ନ କ୍ଷେତ୍ରରେ ମହିଳାମାନେ ବିଜ୍ଞାନ, ଜ୍ଞାନକୌଶଳ, ସମାଜ ସେବା ଓ ରାଜନୀତିରେ ସକ୍ରିୟ ଭାବେ ଦାୟିତ୍ଵ ମଧ୍ୟ ତୁଲାଇଥାନ୍ତି ତେଣୁ ଝିଅମାନେ ମଧ୍ୟ ପୁଅମାନଙ୍କ ଭଳି ବହୁତ ଗୁଡିଏ କାମ କରିପାରନ୍ତି ବୋଲି ନିଜର ପିତା ମାତା ଓ ଅଭିଭାବକଙ୍କୁ ବୁଝାଇଥିଲେ । ବାଳିକା ଓ କିଶୋରୀମାନଙ୍କ ପାଇଁ ଉପଯୁକ୍ତ ପରିମାଣର ପରିବେଶର ଅଭାବ ରହୁଥିବାରୁ ବାପାମାଆ ନିଜର ଝିଅମାନଙ୍କୁ କମ୍ ବୟସରେ ବାହା ଦେବାକୁ ଇଚ୍ଛା କରୁଛନ୍ତି । ଫଳରେ ବାଳିକା ବା କିଶୋରୀଟିର ଶାରିରୀକ ଓ ମାନସିକ ବିକାଶରେ ବାଧା ପ୍ରାପ୍ତ ହେଉଛି । ବିଦ୍ୟାଳୟରେ ଉପଯୁକ୍ତ ପରିମାଣର ସ୍ବାସ୍ଥ୍ୟକର ଓ ପରିମଳ ବ୍ୟବସ୍ଥା ନ ଥିବା ଫଳରେ ଝିଅମାନେ ମଧ୍ୟ ବିଦ୍ୟାଳୟକୁ ଯିବାକୁ ଇଛା ପ୍ରକାଶ କରନ୍ତି ନାହିଁ ଏବଂ ଘରେ ରହିବା ଫଳରେ ପିତାମାତା ବର ଖୋଜିବାରେ ଲାଗି ପଡନ୍ତି। ଏହାଦ୍ଵାରା କିଶୋରୀଟିର ଅଧିକାର ବାଧାପ୍ରାପ୍ତ ହୁଏ ଏହାସହ ଯୌନ ଶୋଷଣ, ଝିଅମାନଙ୍କୁ ଖରାପ ବ୍ୟବହାର, ଝିଅମାନଙ୍କୁ ବିବାହ କରିବା ପାଇଁ ଅପହରଣ କରିବା ଭଳି ଅନେକ ସମ୍ବେଦନଶୀଳ ଘଟଣା ଘଟିବାରେ ଲାଗିଛି। ଏହିଭଳି ଘଟଣା ଘଟୁଥିବା ଯୋଗୁଁ ବାପାମାଆ ନିଜ ଛୁଆମାନଙ୍କର ଭବିଷ୍ୟତ ପାଇଁ ଭୟ ମଧ୍ୟରେ ରହୁଛନ୍ତି । ଏଣୁ ଅଭିଭାବକ, ସମ୍ପର୍କିୟ, ଗ୍ରାମବାସୀ, ବସ୍ତିବାସିନ୍ଦା, ବିଦ୍ୟାଳୟର ପରିବେଶ ଓ ଚଳପ୍ରଚଳ ପରିବେଶ ସହ କିଶୋରୀ ମାନଙ୍କୁ ଉପଯୁକ୍ତ ପରିମାଣର ଧ୍ୟାନ ଦେବାକୁ ପଡିବ । ଉଭୟ ବେସରକାରୀ ଓ ସରକାରୀ ଭାବରେ ଥିବା କମିଟି ଗୁଡିକରେ ଯେପରିକି ଗ୍ରାମ କମିଟି, ଯୁବକ ସଂଘ, ମାତୃ ସଂଘ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଗାଁ କଲ୍ୟାଣ ସମିତି, ବସ୍ତି ସ୍ତରୀୟ କମିଟି, ବିଦ୍ୟାଳୟ ପରଚାଳନା କମିଟି, ପଂଚାୟତ ସ୍ତରୀୟ ବିଭିନ୍ନ ଷ୍ଟାଣ୍ଡିଂ କମିଟି ଗୁଡିକ କିଶୋରୀ ମାନଙ୍କୁ ଉପଯୁକ୍ତ ପରିବେଶ ଯୋଗାଇବାକୁ ନିଜ ନିଜ ସ୍ତରରେ ଯୋଜନା ପ୍ରସ୍ତୁତ କରିବାକୁ ପଡିବ ବୋଲି କିଶୋରୀ ମାନେ ଅନୁରୋଧ କରିଛନ୍ତି। ଏହି ଅବସରରେ ଶିଶୁ ସୁରକ୍ଷା ଆଇନ, ବାଲ୍ୟ ବିବାହ ନିସିଦ୍ଧ ଆଇନ, ଗର୍ଭସ୍ଥ ଲିଙ୍ଗ ନିରୂପଣ ଆଇନ ଏବଂ ପୁଅମାନଙ୍କ ତୁଳନାରେ ଝିଅ ସଂଖ୍ୟା କମିଗଲେ ସମାଜରେ କ’ଣ ସବୁ ଅସୁବିଧା ଦେଖାଦେବ ସେହି ବିଷୟରେ ଆଲୋଚନା କରାଯାଇଥିଲା। କିଶୋରୀ କ୍ଳବ ତରଫରୁ ସମରନ ପାତ୍ର, ଆଲିସା ପଣ୍ଡା, ଲିଜା ନାହକ ସଭ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ୟୁଥ ସୋସିଆଲ ଡେଭଲପମେଣ୍ଟ ତରଫରୁ ଅନିତା ପାତ୍ର, ଅର୍ଘ୍ୟରୁପା ନାୟକ, ମହିମା ପ୍ରଧାନ ଓ ସ୍ମୃତି କୁମାରି ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here