ଆବାସ ଯୋଜନା ସାତସପନ, ଭଙ୍ଗା ଦଦରା ଘରେ ବିତୁଛି ତିନି ପ୍ରାଣୀଙ୍କ ଜୀବନ, ସହାୟତା ନିବେଦନ କଲେ ସୁକୁମାରୀ

0
239

ବେଗୁନିଆପଡା,୧୬/୦୨/୨୦୨୨(ଟୁକୁନା ପ୍ରଧାନ) ସାହି ମଝିରେ ଭଙ୍ଗା ଦଦରା ଘର । ଭଲ କାନ୍ଥ କି ଦରଜା ନଥିବା ବେଳେ ଚାଳ ଉପରେ ପଡ଼ିଛି ଖଣ୍ଡେ ଫଟା ପଲିଥିନ୍ । ସାମାନ୍ୟ ବର୍ଷା ହେଲେ ଘରେ ପାଣି ଗଳୁଥବା ବେଳେ ଖରା ହେଲେ ସୂର୍ଯ୍ୟଙ୍କ ରଶ୍ମୀ ଘର ଭିତରେ ପଡ଼ିରହୁଛି । ପଲିଥିନ ଘୋଡ଼ାଇ ଭଙ୍ଗା ଦଦରା ଘରେ ବର୍ଷ ବର୍ଷ ଧରି କଷ୍ଟେମଷ୍ଟେ ରହି ଆସୁଛନ୍ତି ସୁକୁମାରୀ ପ୍ରଧାନଙ୍କ ଗରିବ ଭୂମିହୀନ ପରିବାର । ଦୁଃଖ କହିଲେ ନ ସରେ । ସୁକୁମାରୀ ଙ୍କ ଘର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳା ଗ୍ରାମରେ । ସରକାର ଘୋଷଣା କରୁଛନ୍ତି କେହି ମାଟି କୁଡିଆରେ ରହିବେ ନାହିଁ । ସମସ୍ତଙ୍କ ପାଇଁ ପକ୍କା ଘର ଯୋଗାଇ ଦିଆଯିବ। ଏଥିପାଇଁ ଆବାସ ଯୋଜନା ମାଧ୍ୟମରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କାର ଅନୁଦାନ। ଆବାସ ଯୋଜନାର ହିତାଧିକାରୀଙ୍କ ପାଇଁ ତିଆରି ହେଇଛି ଏକ ତାଲିକା। ଅନେକ ସ୍ୱଚ୍ଛଳ ବର୍ଗର ଲୋକ ଏହି ତାଲିକା ଭୁକ୍ତ ହୋଇ ସରକାରୀ ଯୋଜନା ହାତେଇ ନେଉଛନ୍ତି । ହେଲେ ଏସବୁ ଯୋଜନା ସୁକୁମାରୀ ପ୍ରଧାନଙ୍କ ପାଇଁ ସାତ ସପନ ପାଲଟିଛି। ବର୍ଷ ବର୍ଷ ଧରି ପଲିଥିନ୍ ତଳେ ବିତୁଛି ସୁକୁମାରୀ ଓ ତାଙ୍କ ନିରିହ ପିଲାପିଲିଙ୍କ ଜୀବନ । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। ସୁକୁମାରୀ ଗରୀବ ଦିନ ମଜୁରୀଆ ପରିବାରର । ସ୍ୱାମୀ ନବଘନ ପ୍ରଧାନ ବାହାର ରାଜ୍ୟରେ ଦାଦନ କାମ କରି ଯାହା ରୋଜଗାର କରୁଥିଲେ ସେଥିରେ ସୁକୁମାରୀଙ୍କ ପରିବାର ଦୁଃଖେ ସୁଖେ ଚଳୁଥିଲା । ଏବେ ସ୍ୱାମୀ ନବଘନ ସୁକୁମାରୀଙ୍କୁ ଏକା କରିଦେଇ ଆରପାରିକୁ ଚାଲିଗଲା ପରେ ବର୍ତ୍ତମାନ ସୁକୁମାରୀ ଦୁଇ ଦୁଇଟା ଛୁଆଙ୍କୁ ନେଇ ବହୁ କଷ୍ଟରେ ପରିବାର ପୋଷଣ କରୁଛନ୍ତି । ଝିଅ ଦଶମ ଶ୍ରେଣୀ ପଢି ଘରେ ରହିଥିବା ବେଳ , ପୁଅ ଏବେ ଷଷ୍ଠ ଶ୍ରେଣୀରେ ପଢୁଛି । ସମ୍ପତ୍ତି କହିଲେ ଭଙ୍ଗା ଘରଟିକୁ ଛାଡିଦେଲେ ଜମି ବୋଲି ସେମିତି କିଛି ନାହିଁ । ଘର ଖଣ୍ଡକ ମରାମତି ପାଇଁ ମଧ୍ୟ ସୁକୁମାରୀଙ୍କ ପାଖରେ ସମ୍ବଳର ଅଭାବ। ଯେଉଁଥିପାଇଁ ଭଙ୍ଗା ଦଦରା ଘରେ ପଲିଥିନ ଗୁଡାଇ ଶୀତ କାକର ଓ ଖରା ବର୍ଷାକୁ ସାଥି କରି ପଡିରହିଛନ୍ତି ସୁକୁମାରୀ ଓ ତାଙ୍କ ନିରାଶ୍ରୟ ପରିବାର । ଭଙ୍ଗା ଦଦରା ଘର ଭିତରେ ବିପଦ ସଂକୁଳ ଅବସ୍ଥାରେ ରହୁଛନ୍ତି । ପରିବାର ର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଚାଲିଗଲା ପରେ ପରିବାର ଚଳେଇବା ପାଇଁ ବହୁ କଷ୍ଟ ହେଉଥିବା କଥା ସେ କହିଛନ୍ତି ଆମ ପ୍ରତିନିଧିଙ୍କୁ । ସରକାର ଙ୍କ ତରଫରୁ ରାସନ କାର୍ଡ ଖଣ୍ଡେ ମିଳିଛି ।ବିଧବା ଭତ୍ତା ମିଳିନାହିଁ । ସରକାର କିମ୍ବା ବଦାନ୍ୟ ବ୍ୟକ୍ତିବିଶେଷ ଓ ସ୍ଵେଚ୍ଛାସେବୀ ସଂଗଠନ ମାନେ ତାଙ୍କ ପରିବାର କୁ ସହାୟତା ପାଇଁ ସେ ନିବେଦନ କରିଛନ୍ତି। ଏଥିସହିତ ସରକାର ଓ ସରକାରୀ କଳ ତୁରନ୍ତ ଏ ଦିଗରେ ଦୃଷ୍ଟିଦେବା ପାଇଁ ବିଭିନ୍ନ ମହଲରୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here