୧୪ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ‘ଏଇ ବୋଧେ ପ୍ରେମ’

0
253

ବ୍ରହ୍ମପୁର,୧୨/୦୩/୨୦୨୨: ସ୍ଥାନୀୟ ହିଲ୍‌ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତିଭବନ ଠାରେ ବ୍ରହ୍ମପୁରର ଅଗ୍ରଣୀ ନାଟ୍ୟାନୁଷ୍ଠାନ ଓଡ଼ିଶା ନାଟକ ସମାରୋହ ସମିତି ଆନୁକୂଲ୍ୟରେ ଆୟୋଜିତ ୧୪ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଓଡ଼ିଶା ନାଟ୍ୟସଂଘ ସଭାପତି ହରେନ୍ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥ ଭାବେ ଭୁବନେଶ୍ବର ସ୍ଥିତ ସଂଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନବୀନ ପରିଡ଼ା, ରାଜ୍ୟ ସଂସ୍କୃତି ବିଭାଗର ପ୍ରାକ୍ତନ ସହ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଶଙ୍କ, ଓ ଟିଭି ଶାଖା ମୁଖ୍ୟ ଅଶୋକ କୁମାର ବ୍ରହ୍ମା, ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପାଢ଼ୀ, ଓଡ଼ିଶା ନାଟ୍ୟସଂଘ ସଂପାଦକ ଶୁଭକାନ୍ତ ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ ସଭାରେ ନାଟକ ସମାରୋହ ସମିତିର ସାଧାରଣ ସଂପାଦକ ସାପା ସିମାଦ୍ରୀ ଅଧ୍ୟକ୍ଷତା କରିଥିବା ବେଳେ ସୁନୀଲ ସ୍ୱାଇଁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ନମିତା ରାଣୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଅନ୍ଵେଷା କଳାକେନ୍ଦ୍ରର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଶା ସଂସ୍କୃତି ବିଭାଗ ଓ ସଂଗୀତ ନାଟକ ଏକାଡ଼େମୀର ମିଳିତ ସହଯୋଗରେ ଆୟୋଜିତ ଏହି ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଭୁବନେଶ୍ଵରର ବିଦ୍ୟାକନକ ସୃଜନାନୁଷ୍ଠାନ ତରଫରୁ ‘ଏଇ ବୋଧେ ପ୍ରେମ’ ନାଟକ ମଞ୍ଚସ୍ଥ ହୋଇଥିଲା ଜୀବନ ଏକ ମଧୁର ଯନ୍ତ୍ରଣା, ମଧୁସିକ୍ତ ବେଦନା ଏହାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି ସେମାନେ । ଜୀବନର ସାୟାହ୍ନରେ ସନ୍ତାନର ଅନୁପସ୍ଥିତି ପାଇଁ ମନର କୋହ ଏକ କୋଣରେ ଥାଏ ନିଶ୍ଚିତ । ହେଲେ ହାତରେ ଥିବା ଅନେକ ବଳକା ସମୟ ସେମାନଙ୍କୁ ବ୍ୟସ୍ତ ବିଚଳିତ କି ବ୍ୟଥ୍‌ତ କରିପାରେନି ଦୁଃଖଠୁ ଦୂରକୁ ଯିବାର ପ୍ରଚେଷ୍ଟା ନ କରି ଉପଭୋଗ କରିବା ପାଇଁ ଚେଷ୍ଟା କରନ୍ତି । ସାଥ୍‌ ହୋଇ ଜୀଇଁବାର ଅଲିଖିତ ଚୁକ୍ତି ଥିଲେ ବି ସାଥ୍‌ ହୋଇ ମରିବାର ନିଷ୍ପତ୍ତି ନଥିଲା ସେମାନଙ୍କ ଭିତରେ । ଅଭାବବୋଧ ଆଘାତ ଦେଇଛି, ଅଜାଣତରେ ନିକଟତର କରେଇଛି ପରସ୍ପରକୁ କିଛି ଦ୍ବିଧା, ଦ୍ବନ୍ଦ୍ବ ଏବଂ ଦୃଢ଼ ନିଷ୍ପତି କୁ ନେଇ ନାଟକ ‘ ଏଇ ବୋଧେ ପ୍ରେମ’ । ଯେଉଁ ନାଟକର ସଂକଳ୍ପ ଦର୍ଶକମାନଙ୍କୁ ଦେବ ଦି’ଟୋପା ଲୁହ ଆଉ ହୃଦୟଭରା ପ୍ରେମ । ଏପରି ଏକ ପ୍ରସଙ୍ଗକୁ ନେଇ ନାଟକ ‘ଏଇ ବୋଧେ ପ୍ରେମ’ର ପରିକଳ୍ପନା ନାଟ୍ୟକାର ଦିଲ୍ଲୀପ ବଳବନ୍ତରାୟଙ୍କ ଦ୍ବାରା ରଚିତ ଏହି ନାଟକକୁ ଜଗଦୀଶ ପ୍ରସାଦ ମହାରଣା ନିର୍ଦ୍ଦେଶନାର ଗୁରୁ ଦାୟିତ୍ବ ଗ୍ରହଣ କରିଥିବା ବେଳେ ଆବହ ସଂଗୀତ ଦେଇଥିଲେ ଶକ୍ତି ପ୍ରସାଦ ମିଶ୍ର ମଂଚ ପରିକଳ୍ପନା ଓ ପ୍ରସ୍ତୁତି କରିଥିଲେ ପ୍ରଜ୍ଞାଦର ସାହୁ ଶୁଭକାନ୍ତ ପାଢ଼ୀଙ୍କ ସଂଯୋଜିତ ଏହି ନାଟକର ବିଭିନ୍ନ ଭୂମିକାରେ ନବୀନ ପରିଡ଼ା, ସୌନିକା, ଜଗଦୀଶ, ଶୁଭଙ୍କର, ଲକ୍ଷ୍ମୀପ୍ରିୟା (ପିନ୍ଦୁ), ବନିତା, ସୁରେଶ, ଅବନ୍ତୀ, ପ୍ରେମ ଓ ଶୁଭକାନ୍ତ ପ୍ରମୁଖ ଚମତ୍କାର ଅଭିନୟ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ବିମଳ କୁଣ୍ଡ, ଡ. ମିହିର ତ୍ରିପାଠୀ, ଶଙ୍କର୍ଷଣ ସାବତ, ପ୍ରତାପ ମହାପାତ୍ର, ମଦନ ମିଶ୍ର, ଅନୀଲ ବିମଳ ସାହୁ, ପୀତବାସ, ସନ୍ତୋଷ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here